ଡେଲାଙ୍ଗ :ଗାନ୍ଧୀଜୀଙ୍କ ଓଡ଼ିଶା ଆଗମନ ଏବଂ ଓଡ଼ିଶା କଂଗ୍ରେସର ଶତବାର୍ଷିକୀ ପୂର୍ତ୍ତି ଅବସରରେ ଡେଲାଙ୍ଗର ବେରବୋଇ ଗାନ୍ଧୀ ପୀଠଠାରୁ ଦାଣ୍ଡମୁକୁନ୍ଦପୁର ପର୍ଯ୍ୟନ୍ତ କଂଗ୍ରେସର ଐତିହାସିକ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ନେତୃତ୍ୱରେ ପଦଯାତ୍ରା ବାହାରିଥିଲା।

ଆଜିକୁ ଶହେ ବର୍ଷ ପୂର୍ବେ ସ୍ୱରାଜପ୍ରାପ୍ତି ଅଭିଯାନ କ୍ରମେ ୧୯୨୧ ମାର୍ଚ୍ଚ ୨୩ ତାରିଖରେ ମହାତ୍ମାଗାନ୍ଧୀଙ୍କ ପତ୍ନୀ କସ୍ତୁରବା ଏବଂ ପୁତ୍ର ଦେବଦାସଙ୍କ ସହ ପ୍ରଥମ ଓଡ଼ିଶା ଗସ୍ତ କରିଥିଲେ । କଟକ ରେଳ ଷ୍ଟେସନ ଠାରେ ନାଗପୁର କଂଗ୍ରେସର ସଂକଳ୍ପ ଅନୁଯାୟୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ପ୍ରଥମ ପ୍ରାଦେଶିକ ଓଡ଼ିଶା ( ଉତ୍କଳ) କଂଗ୍ରେସ କମିଟିର ସଭାପତି ଭାବେ ନିର୍ବାଚିତ ହୋଇ ଗାନ୍ଧୀଜୀଙ୍କୁ ସ୍ୱାଗତ କରିଥିଲେ । ଏହି ସ୍ମୃତିକୁ ଉଜ୍ଜୀବିତ ପାଇଁ ପଦଯାତ୍ରା ଆରମ୍ଭ ହୋଇଛି।

ଏଥିରେ ରାଜ୍ୟ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସ ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବିଜୟଲକ୍ଷ୍ମୀ ସାହୁ, ରାଜ୍ୟ ମହିଳା କଂଗ୍ରେସ ସମ୍ପାଦିକା ନିରୁପମା ପାତ୍ରଙ୍କ ସହ ଉମା ବଲ୍ଲଭ ରଥ, ପଞ୍ଚାନନ କାନୁନଗୋ, ଡେଲାଙ୍ଗ ବ୍ଲକ କଂଗ୍ରେସ ସଭାପତି ରବି ଦାଶ, ଦେବପ୍ରସାଦ ରାଉତରାୟ, ମାନସ ସ୍ୱାଇଁ, ପ୍ରହଲ୍ଲାଦ ପ୍ରଧାନ, ବିଶ୍ୱରଞ୍ଜନ ବଲବନ୍ତରାୟ ଓ ନିର୍ମଳ ପରିଡ଼ା ପ୍ରମୁଖ ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।

ପ୍ରଥମେ ବେରବୋଇସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଗାନ୍ଧୀଙ୍କ ପ୍ରିୟ ଭଜନ ରାମଧୂନ ଗାନ କରାଯିବା ପରେ ଏକ ପ୍ରଥପ୍ରାନ୍ତ ସଭା କରାଯାଇ କଂଗ୍ରେସ ଦଳର ଆଭିମୁଖ୍ୟ ଓ ଗାନ୍ଧୀଜୀଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରାଯାଇଥିଲା। ଏହାପରେ ପଦଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ନାମ ସଂକୀର୍ତ୍ତନ କରାଯାଇ କଂଗ୍ରେସ ନେତୃବୃନ୍ଦଙ୍କ ସହ ଶତାଧିକ ପୁରୁଷ ମହିଳା କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

The post ଗାନ୍ଧୀଜୀଙ୍କ ଓଡିଶା ଆଗମନର ଶତବାର୍ଷିକୀ : ଗାନ୍ଧୀଙ୍କ ପାଇଁ ଚାଲିଲା କଂଗ୍ରେସ first appeared on Sambad.



from ଜିଲ୍ଲା – Sambad https://ift.tt/3thVSgR