ବାଲିଅନ୍ତା: ଅନ୍ୟର ବିବାହ, ବ୍ରତ, ଉତ୍ସବ, ମହୋତ୍ସବ ତଥା ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ବେଳେ ସାହାନାଇ, ଯୋଡ଼ିମହୁରି, ଚାଙ୍ଗୁ, ଝୁମକା ଏବଂ ଢୋଲ ବଜାଇ ଲୋକଙ୍କ ସୁଭ ମନାସୁଥିବା ପରିବାର ପ୍ରତି ପ୍ରଶାସନ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିଧ ଜନ କଲ୍ୟାଣ ଯୋଜନା ଗ୍ରାମବାସୀଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ସରକାରଙ୍କ ପକ୍କାଘର ଯୋଜନାରୁ ସଂପୃକ୍ତ ପରିବାର ବାଦପଡ଼ିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହା କୌଣସି ଉପାନ୍ତ ଅଞ୍ଚଳର ସମସ୍ୟା ନୁହେଁ, ଖୋଦ ରାଜଧାନୀ ଉପକଣ୍ଠ ସ୍ଥାନୀୟ ସରକଣା ପଞ୍ଚାୟତ ଅଧୀନ ସରକଣା ଉପରମୁଣ୍ଡ ସାହିରେ ରହୁଥିବା ନାଏକ ସାହିବାସୀଙ୍କ ସମସ୍ୟା। ଖବର ମୁତାବକ ଏହି ସାହିରେ ୪୦ ପରିବାର ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ୩୦ ପରିବାର ବାଜା ଓ ମହୁରି ବଜାଇ ପରିବାର ଗୁଜୁରାଣ ମେଣ୍ଟାନ୍ତି। ଲୋକମୁଖରେ ଏହି ଗ୍ରାମ ବାଜାବାଲାର ଗାଁ ଭାବେ ବେଶ ଜଣାଶୁଣା।

Sambad

୧୯୯୯ ମସିହା ମହାବାତ୍ୟା ଏବଂ ଗତ ଫନି ବାତ୍ୟାରେ ଲୋକଙ୍କର ବିପୁଳ କ୍ଷୟକ୍ଷତି ଘଟିଥିଲା। ହେଲେ ସେମାନଙ୍କ ମଧ୍ୟରୁ ଅନେକ ଲୋକଙ୍କୁ ସରକାରଙ୍କ ଫନି ସହାୟତା ଅର୍ଥ ମିଳିନାହିଁ। ଭତ୍ତା ଓ ରାସନକାର୍ଡ଼ ଭଳି ଅନ୍ୟାନ୍ୟ ସରକାରୀ ସହାୟତା ଏଯାଏ ପହଞ୍ଚିପାରିନି। ୧୦ଟି ପରିବାର ଏବେ ସୁଦ୍ଧା ପଲିଥିନ ତଳେ ମୁଣ୍ଡ ଗୁଞ୍ଜିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କାଘର ଯୋଜନାରେ ସେମାନଙ୍କୁ ଅନ୍ତଭୁର୍କ୍ତ କରାଯାଇ ନାହିଁ। ସାହିର ମାଗୁ ନାଏକ, ଭଗବାନ ନାଏକ, ମଦନା ନାଏକ, ବିଦ୍ୟାଧର ନାଏକ ଓ ସୁକାନ୍ତ ନାୟକଙ୍କ ସମେତ ୧୦ ପରିବାର ପିଲା ଛୁଆଙ୍କ ସହ ପଲିଥିନ ତଳେ ଆଶ୍ରୟ ନେଇଛନ୍ତି। ପକ୍କାଘର ନଥିବାରୁ ଖରାବର୍ଷା ଓ ଶୀତକାକରରେ ସେମାନେ ହନ୍ତସନ୍ତ ହେଉଛନ୍ତି। ସ୍ଥାନୀୟ ଜନପ୍ରତିନିଧି ଓ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

The post ପଲିଥିନ ତଳେ ୧୦ ପରିବାର, ପକ୍କାଘର ସାତ ସପନ first appeared on Sambad.



from ଜିଲ୍ଲା – Sambad https://ift.tt/3r8bYck