ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ଜିଲ୍ଲାରେ ଗତ ତିନି ବର୍ଷ ତଳେ ମାଲକାନଗିରି ଜିଲ୍ଲାରେ ଆଦିବାସୀ ଯୁବତୀ ମାନଙ୍କୁ ନେଇ ଗଢି ଉଠିଥିଲା ‘ବଡିଦିଦି’ ସ୍ବେଚ୍ଛାସେବୀ ସଂଗଠନ। ଏହି ସଂଗଠନ ସରକାରଙ୍କର ସ୍ବୀକୃତୀ ପାଇନଥିଲେ ମଧ୍ୟ ଜିଲ୍ଲାର ଆଦିବାସୀ ମହିଳା ଏବଂ ଯୁବତୀ ମାନଙ୍କୁ ସଚେତନ କରାଇବା ଏହାର ମୁଖ୍ୟ ଲକ୍ଷ୍ୟ। ଏହି ସଂଗଠନକୁ ଗଢିବାରେ ଆଦିବାସୀ ଯୁବତୀ ଜୟନ୍ତୀ ବୁରୁଦାଙ୍କ ପ୍ରମୁଖ ଭୁମିକା ରହିଛି।

ଜୟନ୍ତୀ ଜଣେ ପେଶାରେ ସାମ୍ବାଦିକ ଏବଂ ନିଶାରେ ସାମାଜିକକର୍ମୀ ଅଟନ୍ତି। ଦୁର୍ଗମ ଅଂଚଳର ଆଦିବାସୀ ଛାତ୍ରୀମାନେ ପାଠ ନପଢି ଘରେ ରହୁଥିବା ଝିଅମାନଙ୍କୁ ବହିପତ୍ର ଯୋଗାଇବା, ସ୍କୁଲରେ ନାମ ଲେଖାଇବା ସହ ଘରେ ଆଣି ସେମାନଙ୍କ ରଖି ପାଠ ପଢାଇବାରେ ବହୁ ସହଯୋଗ କରିଆସୁଛନ୍ତି। ଏକଲା ଚଲୋ ସଦୃଶ୍ୟ ଜୟନ୍ତୀ ନିଜେ ଯାହା ରୋଜଗାର କରନ୍ତି, ସେସବୁକୁ ଗରିବ ଏବଂ ନିଷ୍ପେସିତ ଆଦିବାସୀ ମାନଙ୍କ ପାଇଁ ଖର୍ଚ୍ଚ କରିଦିଅନ୍ତି। ନିଜେ ଅବିବାହିତା ହୋଇ ମଧ୍ୟ ମାତୃତ୍ବର ସ୍ନେହ ସେ ଶହ ଶହ ଆଦିବାସୀ ପିଲାଙ୍କୁ ଦେଇ ଆସୁଛନ୍ତି। ସେ ଜଣେ ଉଚ୍ଚଶିକ୍ଷିତା ହେବା ସହ ରାଜ୍ୟ ଏବଂ ଦେଶର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଂକୁ ସମ୍ମାନିତ କରାଯାଇଛି।

Sambad

ଜୟନ୍ତୀ ଜିଲ୍ଲାର ବିଭିନ୍ନ ଅଂଚଳ ବୁଲି ଲୋକଙ୍କୁ ସଚେତନ କରାଉଥିବା ବେଳେ ଏବେ ସେ ସାଥିରେ ପ୍ରାୟ ଦଶରୁ ଉର୍ଦ୍ଧ୍ବ ଆଦିବାସୀ ଶିକ୍ଷିତ ଯୁବତୀଙ୍କୁ ନେଇ ଜିଲ୍ଲା ସାରା ବୁଲି ଆଦିବାସୀ ମହିଳା, ଯୁବତୀ ଏବଂ ଛାତ୍ରୀ ମାନଙ୍କୁ ସଚେତନ କରାଉଛନ୍ତି। ଏମାନେ ହେଲେ ଦୀପାରାଣୀ ନାୟକ, ବିନୋତୀ ପଡିଆମି, ରାଧିକା ମାଝି, ଭବାନୀ ହରିଜନ, ଜ୍ୟୋତିର୍ମୟୀ ଖରା, ଲକ୍ଷ୍ମୀ ମାଡକାମୀ, ମଧୁ ପଡିଆମି, କନିକା ପଡିଆମି, କେ.ରୋଲାକ୍ସି, ସବିତା ପୂଜାରୀ, ମୋନିକା ମାଝି, ସବିତା କଚିମ। ସଚେତନତା ବାର୍ତ୍ତା ମଧ୍ୟରେ ମୁଖ୍ୟତଃ ବାଲ୍ୟ ବିବାହ ପ୍ରଥାକୁ ରୋକିବା।

ଆଦିବାସୀ ଅଂଚଳରେ କମ୍ ବୟସରେ ଝିଅମାନଙ୍କୁ ବିବାହ କରିଦିଆଯାଉଛି। ତେଣୁ ଝିଅମାନେ କମ୍ ବୟସରେ ମାତୃତ୍ବ ଲାଭ କରି ମୃତ୍ୟୁବରଣ କରୁଛନ୍ତି। ଏହାକୁ ରୋକିବାକୁ ହେଲେ ଜନସଚେତନ ଦରକାର। ଦୁର୍ଗମ ସ୍ବାଭିମାନ ଅଂଚଳ ଠାରୁ ଆରମ୍ଭକରି ବଣ୍ଡାଘାଟିର ଅପହଞ୍ଚ ଅଂଚଳ, ସୀମାନ୍ତକୁ ଲାଗି ରହିଥିବା ପଡିଆ, ଚିତ୍ରକୋଣ୍ଡା, କାଲିମେଳା, ମାଥିଲି ଭଳି ଅଂଚଳରେ ପହଞ୍ଚି ଆଦିବାସୀ ମହିଳାଙ୍କୁ ଏକତ୍ର କରି ସେମାନଙ୍କୁ ସଚେତନତାର ବାର୍ତ୍ତା ଦେଉଛନ୍ତି। ଯେଉଁଠି ସରକାର ପହଞ୍ଚିବା ମୁସକିଲ ସେଠାକୁ ଏହି ଯୁବତୀ ମାନେ ପହଞ୍ଚି ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି।

ତେବେ ଏହାର ଲାଭ ମଧ୍ୟ ମିଳିବାରେ ଲାଗିଛି। କାରଣ ଜଣେ ଆଦିବାସୀ ଝିଅ ଅନ୍ୟ ଜଣେ ଆଦିବାସୀକୁ ବୁଝାଇବାରେ କଷ୍ଟ ହେଉନାହିଁ। ନିଜ ଆଦିବାସୀ ଭାଷାରେ ସେମାନଙ୍କୁ କଣ କଲେ ଜଣେ ଭଲ ମଣିଷ ହେବ ଏବଂ ଅନ୍ଧବିଶ୍ବାସରୁ ବର୍ତ୍ତିପାରିବ ତାହା ଉପରେ ବିସ୍ତୃତ ଭାବେ ବୁଝାଇ ଦିଆଯାଉଛି। ବଡିଦିଦିର ସ୍ବେଚ୍ଛାସେବୀମାନେ ନିଜର ପକେଟରୁ ଟଂକା ବାହାର କରି ନିଜର ଖର୍ଚ୍ଚ ତୁଲାଉଛନ୍ତି।

Sambad

ଏଥିରେ କୌଣସି ସରକାର ନା କେହି ଅନୁଷ୍ଠାନ ତାଂକୁ ସହଯୋଗ କରୁଛନ୍ତି। ନିଜ ନିଜର ସ୍କୁଟି ବାହାର କରି ନିଜେ ତେଲ ପକାଇ ଦୁର୍ଗମ ଗ୍ରାମରେ ପହଞ୍ଚିଯାନ୍ତି। ତେବେ ଏମାନଙ୍କ ସୁରକ୍ଷା ପାଇଁ ମାଲକାନଗିରି ଏସପି ରିଶିକେଷ ଖିଲାରି ନିକଟରେ ‘ବଡ଼ିଦିଦି’ର ସମସ୍ତଙ୍କୁ ହେଲମେଟ ପ୍ରଦାନ କରିଥିଲେ, ଯାହାକି ସ୍ବାଗତଯୋଗ୍ୟ ପଦକ୍ଷେପ।

ଆଦିବାସୀ କିଶୋରୀ ବାଳିକାମାନେ ପ୍ରାୟତଃ ନିଜ ଶରୀରରେ ହେଉଥିବା ପରିବର୍ତ୍ତନ ସଂପର୍କରେ ଅବଗତ ହୋଇ ନଥାନ୍ତି। ଏଥିପାଇଁ ତାଂକୁ କେହି ଶିକ୍ଷା ମଧ୍ୟ ଦିଅନ୍ତି ନାହିଁ। ତେଣୁ ବଡିଦିଦିର ସ୍ବେଚ୍ଛାସେବୀମାନେ କିଶୋରୀ ବାଳିକାମାନଙ୍କୁ ନେଇ ସେମାନଙ୍କ ଭାଷାରେ ସେମାନଙ୍କ ଶରୀରରେ ହେଉଥିବା ପରିବର୍ତ୍ତନ ସଂପର୍କରେ ଅବଗତ କରାଇବା ସହ ଏହାର ଉପଚାର ମଧ୍ୟ କହିଥାନ୍ତି।

ସେହିପରି କନ୍ୟା ଶିକ୍ଷା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଥାଏ। ପ୍ରତ୍ୟେକ ଝିଅ ଯେପରି ଶିକ୍ଷାର ବିଞ୍ଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଅନ୍ତି ଏହି ସ୍ବେଚ୍ଛାସେବୀ ମାନେ। ଝିଅ ପାଠ ପଢିଲେ ହିଁ ସମାଜ ଏବଂ ଦେଶ ଆଗକୁ ବଢିବ ବୋଲି ଏମାନେ କହନ୍ତି। ସବୁଠାରୁ ବେଶୀ ଚର୍ଚ୍ଚିତ ହୋଇଥିଲେ ସେତେବେଳେ ଯେତେବେଳେ ଏମାନେ ପଥପ୍ରାନ୍ତ ପାଠାଗାର ନିର୍ମାଣ କରିଥିଲେ। ତେଣୁ ମାଲକାନଗିରି ଭଳି ଉପାନ୍ତ, ନକ୍ସଲ ପ୍ରବଣ, ଅପହଞ୍ଚ ଅଂଚଳରେ ଏହି ଆଦିବାସୀ ଯୁବତୀମାନଙ୍କ କାର୍ଯ୍ୟ ପ୍ରଶଂସନୀୟ। ମହିଳା ଦିବସରେ ଏହି ସାହସୀ ଏବଂ ପରୋପକାରୀ ମହିଳାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା।

Sambad

The post ଆଦିବାସୀ ଅଂଚଳରେ ଝିଅଙ୍କ ପାଠପଢ଼ାରେ ବଡ଼ ଭୂମିକା ତୁଲାଉଛି ମାଲକାନଗିରିର ‘ବଡ଼ିଦିଦି’ ସଂଗଠନ first appeared on Sambad.



from ଜିଲ୍ଲା – Sambad https://ift.tt/3v2EcaO