ବନ୍ଦ୍ ଥିବା ଏମ୍‌କେସିଜି ମେଡିକାଲ ଦ୍ବିତୀୟ ଫାଟକ ଖୋଲିବା ପ୍ରସଂଗ : ନିଷ୍ପତ୍ତି ନେବାକୁ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ

କଟକ : ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଦୁଇଟି ମୁଖ୍ୟ ଫାଟକ ମଧ୍ୟରୁ ନୂଆ ବସଷ୍ଟାଣ୍ଡ ସମ୍ମୁଖରେ ଥିବା ଫାଟକକୁ ବନ୍ଦ ରଖାଯିବା ପ୍ରସଂଗକୁ ନେଇ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ବନ୍ଦ ଥିବା ଏହି ଦ୍ବିତୀୟ ଫାଟକ ଖୋଲିବା ପ୍ରସଂଗକୁ ନେଇ ଥିବା ଅଭିଯୋଗ ଉପରେ ଆଇନ ଅନୁସାରେ ନିଷ୍ପତ୍ତି ନେବାକୁ ଏମକେସିଜି ଅଧୀକ୍ଷକଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ବର୍ଷେ ହେବ ନୂଆ ବସଷ୍ଟାଣ୍ଡ ସମ୍ମୁଖ ଫାଟକ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ ରଖାଯାଇଛି ବୋଲି ଦର୍ଶାଇ ଭାରତୀୟ ବିକାଶ ପରିଷଦ ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଆବେଦନରେ ଦର୍ଶାଯାଇଥିଲା ଯେ ବନ୍ଦ ରହିଥିବା ଫାଟକ ଦେଇ ନୂଆ ବସଷ୍ଟାଣ୍ଡରୁ ଚାଲି ଚାଲି ଜଣେ ବଡ ଡାକ୍ତରଖାନାକୁ ଯାଇ ପାରିବ। ଏଥିପାଇଁ ମାତ୍ର ୫ ମିନିଟ ସମୟ ଲାଗିବ। କିନ୍ତୁ ଏହି ଫାଟକ ବନ୍ଦ ରଖାଯିବା ଯୋଗୁଁ ବିକଳ୍ପ ରାସ୍ତାରେ ଅଧିକ ପ୍ରାୟ ୩ କି.ମି. ଦୂରତ୍ବ ଅତିକ୍ରମ କରି ରୋଗୀଙ୍କୁ ବଡ ଡାକ୍ତରଖାନାକୁ ଯିବାକୁ ପଡ଼ୁଛି। ଏହି ବୁଲାଣି ରାସ୍ତା‌ରେ ରହିଛି ବହୁ ଘରୋଇ ନର୍ସିଂହୋମ୍ ଓ ନିଦାନ କେନ୍ଦ୍ର। ରୋଗୀଙ୍କୁ ଭଣ୍ଡାଇ ଦଲାଲମାନେ ଏପରି ନର୍ସିଂହୋମକୁ ନେବା ପାଇଁ ଏହି ରାସ୍ତା ସହାୟକ ହେଉଛି। ଏହି ଘରୋଇ ଅନୁଷ୍ଠାନ ମଧ୍ୟରୁ ଅଧିକାଂଶ ପ୍ରଭାବଶାଳୀ ବ୍ୟକ୍ତି ଓ ଡାକ୍ତରଙ୍କ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ଏହି ସବୁ ଘରୋଇ ନର୍ସିଂହୋମ୍ ଓ ନିଦାନ କେନ୍ଦ୍ରକୁ ସୁହାଇବା ପାଇଁ ବଡ ଡାକ୍ତରଖାନାର ଦ୍ବିତୀୟ ଫାଟକ ବନ୍ଦ ରଖାଯାଇଛି। ଗଞ୍ଜାମ୍, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ ଜିଲ୍ଲା ସହିତ ଖୋର୍ଦ୍ଧା ଜିଲ୍ଲା କିଛି ଅଞ୍ଚଳ ଓ ଆନ୍ଧ୍ରପ୍ରଦେଶର କିଛି ଜିଲ୍ଲାର ଲୋକମାନେ ଚିକିତ୍ସା ପାଇଁ ଆସୁଥିବା ବ୍ରହ୍ମପୁର ବଡ଼ ଡାକ୍ତରଖାନାର ଦ୍ବିତୀୟ ଫାଟକ ଜନସ୍ବାର୍ଥ ଦୃଷ୍ଟିରୁ‌ ଖୋଲା ରଖାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। ଗତ ଡିସେମ୍ବର ୨୦ରେ ଏହି ପ୍ରସଂଗ ନେଇ ବଡ ‌ଡାକ୍ତରଖାନା ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲାପାଳ ଓ ଡାକ୍ତରଖାନା ଅଧୀକ୍ଷକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଏହା ପରେ ବି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା। ମାମଲାରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ, ଦକ୍ଷିଣାଞ୍ଚଳ ଆର୍‌ଡିସି, ଗଞ୍ଜାମ ଜିଲ୍ଲାପାଳ, ଏମ୍‌କେସିଜି ଅଧୀକ୍ଷକଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସରୋଜ କୁମାର ପାଢ଼ୀ ମାମଲା ପରିଚାଳନା କରୁଛନ୍ତି।

The post ବନ୍ଦ୍ ଥିବା ଏମ୍‌କେସିଜି ମେଡିକାଲ ଦ୍ବିତୀୟ ଫାଟକ ଖୋଲିବା ପ୍ରସଂଗ : ନିଷ୍ପତ୍ତି ନେବାକୁ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ first appeared on Sambad.

from ଜିଲ୍ଲା | Sambad https://ift.tt/3lRqjYM

Post a Comment

0 Comments