
ରାଉରକେଲା : ମହାରତ୍ନ କମ୍ପାନୀ ସେଲ ଅଧିନସ୍ଥ ରାଉରକେଲା ଇସ୍ପାତ କାରଖାନା ମାର୍ଚ୍ଚ ୨୭ ତାରିଖରେ ୬ଟି ନୂତନ ଏକ ଦିବସୀୟ ରେକର୍ଡ ସ୍ଥାପନ କରି ଏକ ଇତିହାସ ସୃଷ୍ଟି କରିଛି । ଉକ୍ତ ଦିନ ମୋଟ୍ ୧୫,୫୦୫ ଟନ୍ ଉତ୍ତପ୍ତ ଧାତୁ ଉତ୍ପାଦନ ଦ୍ବାରା ସର୍ବକାଳୀନ ଶ୍ରେଷ୍ଠ ଏକଦିବସୀୟ ଉତ୍ପାଦନ ରେକର୍ଡ ସୃଷ୍ଟି ହୋଇଥିଲା। ପୂର୍ବରୁ ୨୦୨୦ ଡିସେମ୍ବର ୩୦ ତାରିଖରେ ଉତ୍ପାଦିତ ୧୫,୧୮୦ ଟନ୍ ଉତ୍ତପ୍ତ ଧାତୁ ଉତ୍ପାଦନ କାରଖାନାର ସର୍ବଶ୍ରେଷ୍ଠ ଏକଦିବସୀୟ ପ୍ରଦର୍ଶନ ରହିଥିଲା।
ଅନୁରୂପ ଭାବେ ସମୁଦାୟ ଅଶୋଧିତ ଇସ୍ପାତ ଉତ୍ପାଦନ ୧୪,୩୨୧ ଟନ୍ ହାସଲ କରି କାରଖାନା ଗତ ଅକ୍ଟୋବର ୨୦ ତାରିଖରେ ଉତ୍ପାଦିତ ୧୩,୩୩୬ ଟନ୍ର ପୂର୍ବ ରେକର୍ଡ ଭାଙ୍ଗିଥିଲା। ୧ନମ୍ବର ବ୍ଲାଷ୍ଟ ଫର୍ଣ୍ଣେସ୍ ୨୦୨୦ ଅଗଷ୍ଟ ୧୭ ତାରିଖରେ ହାସଲ କରିଥିବା ୩,୫୫୨ ଟନ ସର୍ବଶ୍ରେଷ୍ଠ ଏକଦିବସୀୟ ଉତ୍ପାଦନ ତୁଳନାରେ ଏହି ୨୭ ତାରିଖରେ ୩,୬୧୦ ଟନ୍ ଉତ୍ତପ୍ତ ଧାତୁ ଉତ୍ପାଦନ କରି ସର୍ବଶ୍ରେଷ୍ଠ ଏକଦିବସୀୟ ଉତ୍ପାଦନ ରେକର୍ଡ ଲାଭ କରିଥିଲା। ସେହିପରି ଷ୍ଟିଲ ମେଲ୍ଟିଂ ସପ-୨ ଗୋଟିଏ ଦିନରେ ୩ଟି ରେକର୍ଡ ହାସଲ ସହିତ ହ୍ୟାଟ୍ରିକ୍ କରିଛି ।
ଅଶୋଧିତ ଷ୍ଟିଲର ସର୍ବୋଚ୍ଚ ଉତ୍ପାଦନ, ସର୍ବାଧିକ ସଂଖ୍ୟକ ବ୍ଲୋ ଏବଂ ସର୍ବାଧିକ କାଷ୍ଟିଙ୍ଗ କ୍ଷେତ୍ରରେ ଏହି ରେକର୍ଡ ହାସଲ ହୋଇଛି । ଏହି ୟୁନିଟ୍ ୧୨,୬୭୭ ଟନ୍ ଅଶୋଧିତ ଇସ୍ପାତ ଉତ୍ପାଦନ କରିଥିବାବେଳେ ପୂର୍ବରୁ ୨୦୨୦ ଅକ୍ଟୋବର ୨୮ ତାରିଖରେ ହାସଲ ହୋଇଥିବା ୧୧,୮୭୧ ଟନର ସର୍ବଶ୍ରେଷ୍ଠ ଉତ୍ପାଦନ ପ୍ରଦର୍ଶନରେ ଉନ୍ନତି ଆଣିଥିଲା। ଏହା ବ୍ୟତୀତ ୨୦୨୦ ଅକ୍ଟୋବର ୨୮ ତାରିଖରେ ବିଭାଗ ହାସଲ କରିଥିବା ୭୬ ଟି ବ୍ଲୋ ରେ ଉନ୍ନତି ଆଣି ମାର୍ଚ୍ଚ ୨୭ ତାରିଖରେ ୮୧ ଟି ବ୍ଲୋ ରେକର୍ଡ ହାସଲ କରିଛି। ସେହିଭଳି ୨୦୨୦ ନଭେମ୍ବର ୧୨ ତାରିଖରେ ହାସଲ ହୋଇଥିବା ୭୮ଟି କାଷ୍ଟିଂର ସର୍ବକାଳୀନ ଶ୍ରେଷ୍ଠ ଏକ ଦିବସୀୟ ରେକର୍ଡ ଭାଙ୍ଗି ବିଭାଗ ଆଲୋଚ୍ୟ ଦିନରେ ୭୯ ଟି କାଷ୍ଟିଙ୍ଗ ସମ୍ପନ୍ନର ରେକର୍ଡ ହାସଲ କରିଥିଲା। ଆରଏସପିର ସିଇଓ ଦୀପକ ଚଟ୍ଟରାଜ ଏହି ସଫଳତାରେ ଆନନ୍ଦ ପ୍ରକାଶ କରି କହିଛନ୍ତି ଯେ, ତାଙ୍କ ସହକର୍ମୀଙ୍କ ପାଇଁ ସେ ଗର୍ବିତ । ବ୍ଲାଷ୍ଟ ଫର୍ଣ୍ଣେସ, ଷ୍ଟିଲ ମେଲ୍ଟିଂ ସପ ଓ ସହଯୋଗୀ ବିଭାଗଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି।
The post ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ଗୋଟିଏ ଦିନରେ ୬ଟି ରେକର୍ଡ first appeared on Sambad.from ଜିଲ୍ଲା | Sambad https://ift.tt/3fw0bBL
0 Comments