
ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ସ୍ବର୍ଣ୍ଣିମ ବେଳାଭୂମିର ମଜା ନେବାକୁ ଦୈନିକ କାହିଁ କେତେ ଦୂରରୁ ଧାଇଁ ଆସନ୍ତି ହଜାର ହଜାର ପର୍ଯ୍ୟଟକ। ପର୍ବପର୍ବାଣୀ ଓ ସ୍ବତନ୍ତ୍ର ଦିନରେ ପର୍ଯ୍ୟଟକଙ୍କ ସଂଖ୍ୟା ଲକ୍ଷେ ଟପିଯାଏ। ଏହି ଦୃଷ୍ଟିରୁ ପୁରୀକୁ ଗମନାଗମନର ପ୍ରମୁଖ ମାଧ୍ୟମ ହେଉଛି ଟ୍ରେନ୍।
ପୁରୀ ଜିଲ୍ଲାର ପ୍ରମୁଖ ପାସେଞ୍ଜର ଟ୍ରେନ୍ କହିଲେ ପୁରୀ-କଟକ ପାସେଞ୍ଜର (୫୮୪୧୬-୫୮୪୧୫)କୁ ବୁଝାଏ। ଏହାକୁ ଲୋକେ ସଟଲ୍ ବୋଲି କୁହନ୍ତି। ଦୈନିକ ସକାଳ ୮ଟାରୁ ପୁରୀରୁ ବାହାରି ପୂର୍ବାହ୍ଣ ୧୦ଟା ସୁଦ୍ଧା ଏହା ଭୁବନେଶ୍ବରଠାରେ ପହଞ୍ଚିଥାଏ। ଯେହେତୁ ପୂର୍ବାହ୍ଣ ୧୦ଟା ସୁଦ୍ଧା ଏହା ଭୁବନେଶ୍ବରରେ ପହଞ୍ଚିଯାଏ, ଏହି ଦୃଷ୍ଟିରୁ ଭୁବନେଶ୍ବରରେ ଚାକିରି ତଥା ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଏହା ଉପରେ ସଂପୂର୍ଣ୍ଣ ନିର୍ଭର କରିଥାନ୍ତି। ସକାଳ ୮ଟାରୁ ଏହି ଟ୍ରେନ୍ ପାଇଁ ସବୁ ଷ୍ଟେସନ୍ରେ ଭିଡ଼ ହୋଇଯାଏ। ପୁରୀରୁ ଭୁବନେଶ୍ବର ଭିତରେ ୧୦ରୁ ଅଧିକ ଷ୍ଟେସନ୍ରେ ଶହ ଶହ ସଂଖ୍ୟାରେ ଯାତ୍ରୀ ଏହି ଟ୍ରେନ୍କୁ ଅପେକ୍ଷା କରି ରହିଥାନ୍ତି। ଅପରାହ୍ଣ ୪ଟାରୁ ସାଢ଼େ ୪ଟା ଭିତରେ ଏହା ଭୁବନେଶ୍ବର ଷ୍ଟେସନ୍ ଛାଡ଼ି ପୁରୀ ଅଭିମୁଖେ ଯାତ୍ରା କରୁଥିବାରୁ ଚାକିରିଆମାନେ ପୁନର୍ବାର ଏହି ଟ୍ରେନ୍ରେ ଘରକୁ ଫେରିଥାନ୍ତି।
ସେହିଭଳି ଭୁବନେଶ୍ବରରୁର ଆସି ପୁରୀରେ ଚାକିରି କରୁଥିବା ଲୋକେ ପୁରୀ-ତାଳଚେର ପାସେଞ୍ଜର ଟ୍ରେନ୍ (୫୮୪୧୪-୫୮୪୧୩) ଉପରେ ନିର୍ଭର କରିଥାନ୍ତି। ଅପରାହ୍ଣ ସାଢ଼େ ୪ଟାରେ ଏହା ପୁରୀ ରେଳ ଷ୍ଟେସନ୍ ଛାଡ଼ୁଥିବାରୁ ଭୁବନେଶ୍ବର କିମ୍ବା ଏହା ଭିତରେ ଥିବା ଅନ୍ୟ ଷ୍ଟେସନ୍କୁ ଫେରିବାରେ ଲୋକଙ୍କୁ ସୁବିଧା ହୁଏ। ଏହାବାଦ୍ ପୁରୀ-ସାନ୍ତ୍ରାଗଚ୍ଛି ପାସେଞ୍ଜର (୫୮୦୦୨-୫୮୦୦୧), ପୁରୀ-ଗୁଣୁପୁର ପାସେଞ୍ଜର (୫୮୪୧୮-୫୮୪୧୭), ପୁରୀ-ଅନୁଗୁଳ ପାସେଞ୍ଜର ଓ ପୁରୀ-ରାଉରକେଲା ପାସେଞ୍ଜର ଉପରେ ଅନେକ ନିର୍ଭର କରିଥାନ୍ତି।
କିନ୍ତୁ ବର୍ଷେ ହେଲାଣି ଏହି ପାସେଞ୍ଜର ଟ୍ରେନ୍ ସବୁ ବନ୍ଦ ରହିଥିବାରୁ ସେ ପର୍ଯ୍ୟଟକ ହୁଅନ୍ତୁ କି ଚାକିରିଆ ଅବା ବ୍ୟବସାୟୀ, ଯାଆସରେ ଘୋର ଦୁର୍ଦ୍ଦଶା ଭୋଗୁଛନ୍ତି। ଯେଉଁଠି ଭଡ଼ା ବାବଦକୁ ମାତ୍ର ୫ରୁ ୧୫ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡ଼ୁଥିଲା, ସେଠି ଏବେ ୫୦ ରୁ ଶହେ ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡ଼ୁଛି।
ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରେ ଏକ ମେଡିସିନ୍ କମ୍ପାନିରେ ଥିବା ପ୍ରଶାନ୍ତ କୁମାର ବେହେରା କହିଛନ୍ତି, ସେ ଦୈନିକ ଯାତାୟାତ ପାଇଁ ପୁରୀ-କଟକ ପାସେଞ୍ଜର ଉପରେ ନିର୍ଭର କରୁଥିଲେ। ଜାନକାଦେଇପୁର ଷ୍ଟେସନ୍ରୁ ଦୈନିକ ଘରୁ ଯିବା ଓ ଘରକୁ ଫେରିବା ସୁବିଧା ହେଉଥିଲା। ଏବେ ବସ୍ରେ ଯାତାୟାତ କରିବାକୁ ପଡ଼ୁଛି। ଦୈନିକ ଯାଆସ ବାବଦକୁ ଶହେ ଟଙ୍କା ଗଣିବାକୁ ପଡ଼ୁଛି। ଯେଉଁଠି ମାସକୁ ୩ଶହ ଟଙ୍କା ଗଣିବାକୁ ପଡ଼ୁଥିଲା, ସେଠି ମାସକୁ ୩ ହଜାର ଟଙ୍କା ଗଣିବାକୁ ପଡ଼ୁଛି।
ହିଭଳି ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନରେ ଚାକିରି କରିଥିବା ଉତ୍ତନପାଟଣାର ଶିବରାଜ ବେହେରା କହିଛନ୍ତି, ପୂର୍ବରୁ ସେ ଦୈନିକ ପୁରୀ-କଟକ ପାସେଞ୍ଜରରେ ଯାଆସ କରୁଥିଲେ। କିନ୍ତୁ ବର୍ଷେ ହେଲାଣି ବସ କିମ୍ବା ଅନ୍ୟ କିଛି ବ୍ୟବସ୍ଥା କରି ଯିବାକୁ ପଡ଼ୁଛି। ବସ୍ରେ ଗଲେ ଚିହ୍ନା ବୋଲି ୪୦ ଟଙ୍କା ନେଉଛି। ଏସି ବସ୍ ଧରିଲେ ୭୦ରୁ ୮୦ ଟଙ୍କା ଗଣିବାକୁ ପଡ଼ୁଛି। ମୋ ବସ୍ରେ ଗଲେ ଶହେ ଟଙ୍କା ଦେବାକୁ ପଡ଼ୁଛି। ସ୍ବଳ୍ପ ରୋଜଗାରରେ ମାସିକ ଏତେ ଖର୍ଚ୍ଚ କରି ଯାଆସ କରିବା ଆର୍ଥିକ ଯନ୍ତ୍ରଣା ଦେଉଛି ବୋଲି ସେ କହିଛନ୍ତି।
The post ପୁରୀକୁ କେବେ ଚାଲିବ ପାସେଞ୍ଜର ଟ୍ରେନ୍ : ବର୍ଷେ ହେଲା ଆର୍ଥିକ ଯନ୍ତ୍ରଣା, ସମସ୍ୟାରେ ପାସେଞ୍ଜର୍ ଟ୍ରେନ୍ ଯାତ୍ରୀ first appeared on Sambad.
from ଜିଲ୍ଲା – Sambad https://ift.tt/30ForbW
0 Comments