ଯାଜପୁରସଦର:  ବିପଦରେ ସିଧେଶ୍ବର ମହାଦେବ। କେଉଁକାଳରୁ ବୈତରଣୀ ନଦୀ ତଟରେ ପୂଜା ପାଇ ଆସୁଥିବା ମହାଦେବଙ୍କ ପାଇଁ ବର୍ତମାନ ବିପଦ ସାଜିଛି ବାଲି ଚୋରର ଦୈରାତ୍ମ୍ୟ। ଦିନରାତି ଅହରହ ବାଲି ଲୁଟର କାରଣକୁ ମନ୍ଦିରର  ସ୍ଥାୟିତ୍ବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯାଜପୁର ସହର ଦେଇ ପ୍ରବହିତ ହୋଇଥିବା ବୈତରଣୀ ନଦୀର ତଟରେ ଦଶରଥପୁର ତହସିଲ ଅଧିନ ସିଧେଶ୍ବର ଠାରେ ପ୍ରୁଭୁ ସିଧେଶ୍ବରଙ୍କ ମହାଦେବଙ୍କ ମନ୍ଦିର ରାଜା ଯଯାତିକେଶରୀଙ୍କ ସାମ୍ରାଜ୍ୟ କାଳରୁ ରହି ଆସିଛି।  ଏହି ଠାରେ ହିଁ  ବୈତରଣୀ ଗଙ୍ଗା ସହ ସମାନ ବୋଲି ବିଶ୍ବାସ ରହିଛି। କାରଣ ସିଧା ବହୁଥିବା ବୈତରଣୀର ମଝି ଭାଗରେ ସିଧେଶ୍ବର ମହାଦେବଙ୍କ ମନ୍ଦିର ରହିଥିବାରୁ ସେହି ଠାରୁ ମନ୍ଦିର ଉତ୍ତରମୁହାଁ ହୋଇଛି। ଯାହାକି ଗୟା ସହ ସଂପର୍କ ରହିଛି।

ତେଣୁ ଏହିଠାରେ ଦୈନିକ ଶହଶହ ଲୋକ ଅସ୍ଥି ବିସର୍ଜନ କରିବାକୁ ଆସିଥାନ୍ତି। ତେବେ ଏପରି ପ୍ରାଚୀନ ଐତିହ ଏବେ ବାଲି ମାଫିଆଙ୍କ କାରଣରୁ ବିପ‌ଦ‌ରେ।  ବୈତରଣୀ ନଦୀର ସୁନ୍ଦୁରାଇ ମୁହଁଠାରେ ବାଲି ଘାଟ ନିଲାମ ହୋଇଥିବା ବେଳେ ଘାଟ ଠାରୁ ଦେଢ଼ କିଲୋମିଟର ଦୂରରେ ମଧ୍ୟ ବାଲି ଉତ୍ତୋଳନ କରାଯାଉଛି। ମନ୍ଦିର ସଂଲଗ୍ନ ଶହେ ମିଟର ଦୂରରୁ ଟ୍ରକ ଟ୍ରକ ବାଲି ଉତ୍ତୋଳନ କରାଯାଉଥିବା ‌ବେଳେ ମନ୍ଦିର ଚାରି ପାର୍ଶ୍ବରେ ଥିବା ନଦୀ ଶର୍ଯ୍ୟା ଗଭୀର ହେବାରେ ଲାଗିଛି। ନଦୀ ଭିତରେ ପାହାଡ ପରି ବାଲି ଗଦା କରାଯାଇଛି।  ବର୍ତମାନ ନଦୀ ଗର୍ଭରୁ ବହୁ ଗଭୀର କରି ବାଲି ମାଫିଆ ବାଲି ଲୁଟି ନେଉଛନ୍ତି।  ଯାହାକି ମନ୍ଦିରର ସୁରକ୍ଷା ପ୍ରତି ବଡ ବିପଦ ଆଣି ଛିଡା କରିବାର ସମ୍ଭାବନା ରହିଛି। ନଦୀ ଶର୍ଯ୍ୟା ଗଭୀର ହେଉଥିବାରୁ  ବନ୍ୟା ସମୟରେ ଜଳର ସ୍ରୋତ ‌ପ୍ରଖର  ହେବା ସହ ତାହାର ପ୍ରଭାବ ସିଧା ନଦୀ ମଧ୍ୟରେ ଥିବା ମନ୍ଦିର ଉପରେ ପଡିବାର ସମ୍ଭାବନା ରହିଛି। ତେବେ ବାଲି ମାଫିଆଙ୍କ ‌ ଦୈରାତ୍ମ ଯୋଗୁ ଗତ ବନ୍ୟାରେ ମନ୍ଦିର ପାଚେରୀ ଭାଙ୍ଗି ଯାଇଥିଲା।

ତଥାପି ସବୁ ନିୟମକୁ ଫୁ କରି ସ୍ପଷ୍ଟ ଦିବାଲୋକରେ ଚାଲିଛି ବାଲି ଚୋରା କାରବାର। ଏହି ମନ୍ଦିର ଦେବୋତ୍ତର ବିଭାଗ ଅଧିନରେ ରହିଥିବା ବେଳେ ଦଶରଥପୁର ତହସିଲଦାର ଏହାର ଟ୍ରଷ୍ଟି ରହିଛି। ଅନ୍ୟ ପଟେ ବାଲି ଲୁଟ ‌ରୋକିବା କ୍ଷମତା ବି ତହସିଲଦାରଙ୍କ ହାତରେ। ଏହାରି ଭିତରେ ମନ୍ଦିର ଭବିଷ୍ୟତ ସିଧା ପ୍ରଶାସନ ଓ ରାଜସ୍ବ ବିଭାଗ ହାତରେ ଥିବା ଅଞ୍ଚଳବାସୀ ଦାବି କରିଛନ୍ତି। ଯଦି ଏହି ପରି ଭାବେ ଦୈନିକ ଶହଶହ ଟ୍ରକ ବାଲି ମନ୍ଦିର ବେଢ଼ା ଚାରି ପଟୁ ଉତ୍ତୋଳନ କରାଯାଏ ତା ହେଲେ ପୁରୁଣା ଐତିହ୍ୟ ଓ ଧର୍ମୀୟ ଭାବନା ବହନ କରୁଥିବା ସିଧେଶ୍ବର ପୀଠ ବୈତରଣୀ ଗର୍ଭରେ ଲୀନ ହୋଇଯିବାର ଆଶଙ୍କା କରିଛନ୍ତି ଗବେଷକ। ତେବେ  ବାଲି ରୋକି ମନ୍ଦିରକୁ ସୁରକ୍ଷା ଦେବା ଦଶରଥପୁର ତହସିଲ ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥିବା ବେଳେ ଏସଂପର୍କରେ ତହସିଲଦାରଙ୍କ ମତାମତ ମିଳିପାରିନାହିଁ।

The post ବିପଦରେ ସିଧେଶ୍ବର ପୀଠ: ଲିଜ ଏରିଆର ଦେଢ଼ କିମି ଦୂରରୁ ବାଲି ଲୁଟ୍ first appeared on Sambad.

from ଜିଲ୍ଲା | Sambad https://ift.tt/3rX1ooK