
ଛତ୍ରପୁର : ଚାଷୀ ଚେତାବନୀ ଦେଇଥିଲେ। ହେଲେ ପ୍ରଶାସନ ହାଲୁକା ଭାବେ ନେଲା। ଆଜି ଶତାଧିକ ଚାଷୀ ସତକୁ ସତ ଧାନବସ୍ତ ରଖି ରାସ୍ତା ଅବରୋଧ କରିଦେଲେ। ବ୍ରହ୍ମପୁର ମହାନଗର ଓ ଛତ୍ରପୁରକୁ ଋଷିକୁଲ୍ୟା ପ୍ରକଳ୍ପରୁ ଜଳଯୋଗାଣ ବନ୍ଦ କରିଦେଲେ। ଚେତାବନୀ ଦେଇଥିଲେ, ‘ଆମ ଧାନ କିଣ, ନଚେତ୍ ରାସ୍ତା ବନ୍ଦ କରିବୁ, ବ୍ରହ୍ମପୁର, ଛତ୍ରପୁର ସହରକୁ ପାଣି ବନ୍ଦ କରିଦେବୁ’। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ପୋଟଲାମପୁର ଠାରେ ଶତାଧିକ ଚାଷୀ ଶନିବାର ଦିନ ରାଜରାସ୍ତାକୁ ଓହ୍ଲାଇଥିଲେ। ଚାଷୀମାନେ ଛତ୍ରପୁର -ମାଧପୁର ମୁଖ୍ୟ ରାସ୍ତାରେ ଧାନବସ୍ତା ରଖି, ଟାୟାର୍ ଜାଳି ଦୀର୍ଘ ୧୧ ଘଣ୍ଟା ଅବରୋଧ କରିଥିଲେ। ପରେ ଛତ୍ରପୁର ଓ ବ୍ରହ୍ମପୁର ସହରକୁ ପାଣି ଯୋଗାଣ କରା ଯାଉଥିବା ପାନୀୟ ଜଳ ପ୍ରକଳ୍ପକୁ ଚାଷୀମାନେ ବନ୍ଦ କରି ଦେଇଥିଲେ। ଫଳରେ ଯାତାୟତ ସଂପୂର୍ଣ୍ଣ ଭାବେ ଠପ୍ ହେବା ସହ ୨ ସହରକୁ ଜଳଯୋଗାଣ ସମ୍ପୂର୍ଣ ବ୍ୟାହତ ହୋଇଥିଲା।
ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ୍ ଓ ଥାନା ଅଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ହେଁ, ଚାଷୀମାନେ ସେମାନଙ୍କ ଜିଦ୍ରେ ଅଟଳ ଥିଲେ। ପରେ ଅତିରିକ୍ତ ତହସିଲଦାର ଯସ୍ମିନ୍ କୁମାର ପ୍ରଧାନ, ଛତ୍ରପୁର ଉପଖଣ୍ତ ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ ଏବଂ ବ୍ଲକ୍ ଯୋଗାଣ ଅଧିକାରୀ ଜୟଦେବ ଲେଙ୍କା ଘଟଣାସ୍ଥଳକୁ ଯାଇ ଚାଷୀଙ୍କୁ ବୁଝାସୁଝା କରିଥିଲେ। ଚାଷୀଙ୍କ ଧାନ କିଣିବା ଲାଗି ପଦକ୍ଷେପ ନିଆଯିବ ବୋଲି କହିଥିଲେ। କେବେଳ କଥାରେ ପ୍ରତିଶ୍ରୁତି ଦେଲେ ହେବନି, ଲିଖିତ ଭାବେ ଦେବା ଲାଗି ଚାଷୀ ଦାବି କରିଥିଲେ। ଏହି ପଞ୍ଚାୟତର ଚାଷୀଙ୍କ ଠାରୁ ପ୍ରାୟ ୬ ହଜାର କ୍ବିଣ୍ଟାଲ୍ ଧାନ କିଣିବାକୁ ଥିବା ବେଳେ ଆଜି ୨ ହଜାର କ୍ବିଣ୍ଟାଲ୍ ଧାନ କିଣାଯିବ। ଅବଶିଷ୍ଟ ଟାର୍ଗେଟ୍ ଆସନ୍ତା ସପ୍ତାହକ ମଧ୍ୟରେ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଦିଆଯିବ ବୋଲି ଉପରୋକ୍ତ ୩ ଜଣ ଅଧିକାରୀ ଚାଷୀଙ୍କୁ ଲିଖିତ ଭାବେ ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ୪ଟାରେ ଚାଷୀ ଆନ୍ଦୋଳନରୁ ଓହରିଥିଲେ।
The post ତାତିଲେ ଚାଷୀ : ଧାନବସ୍ତା ରଖି ରାସ୍ତା ଅବରୋଧ, ବ୍ରହ୍ମପୁରକୁ ଜଳଯୋଗାଣ ଠପ୍ first appeared on Sambad.
from ଜିଲ୍ଲା – Sambad https://ift.tt/3t0Ym3b
0 Comments