କୋରାପୁଟ : ଆନ୍ଧ୍ର ହାଇକୋର୍ଟ ଗତକାଲି ଦେଇଥିବା ଆଦେଶକୁ ଆଜି ବଦଳାଇଛନ୍ତି। ପଞ୍ଚାୟତ ନିର୍ବାଚନ ଏବଂ ଜିଲ୍ଲା ପରିଷଦ ନିର୍ବାଚନ ନିମନ୍ତେ ସବୁଜ ସଂକେତ ଦେଇଛନ୍ତି। ଏହାପରେ କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜରେ ଦୁଇ ରାଜ୍ୟର ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା। ଗୋଟିଏ ପଟେ ଆନ୍ଧ୍ର ପ୍ରଶାସନ ନିର୍ବାଚନ ପାଇଁ ସଜବାଜ ହେଉଥିବା ବେଳେ ଅନ୍ୟପଟେ କୋରାପୁଟ ଜିଲ୍ଲା ପ୍ରଶାସନ ଆଜି ଲାଗୁ କରିଛି ୧୪୪ ଧାରା। ଆସନ୍ତାକାଲି ସଂଧ୍ୟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଯାହାକି ପୂରା ନିର୍ବାଚନ ପ୍ରକ୍ରିୟାକୁ ରୋଚକ ମୋଡ ଦେଇଛି। ପରିସ୍ଥିତି ମୁହାଁମୁହିଁ ହେଲା ଭଳି ସୃଷ୍ଟି ହୋଇଛି।

ନିର୍ବାଚନକୁ ପ୍ରତିହତ ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି। ବୁଧବାର ସଂଧ୍ୟାରୁ କୋଟିଆ ଗ୍ରାମପୁଞ୍ଜର ୨୨ଗାଁରେ ଧାରା ୧୪୪ ଲାଗୁ କରିଛି। ୨୨ଗାଁ ପାଇଁ ୨୨ଜଣ ମାଜିଷ୍ଟ୍ରେଟଙ୍କୁ ଦାୟିତ୍ବ ଦିଆଯାଇଛି। କୋଭିଡ୍ କଟକଣା ଦର୍ଶାଇ ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଥିବା ପ୍ରକାଶ କରିଛି। ଫାଟୁସେନେରୀ ଓ ନାରେଡିବାଲସାରେ ଦୁଇ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାରୁ କଡ଼ା କଟକଣା ଲାଗୁ ହୋଇଥିବା ଯୁକ୍ତି ବାଢ଼ିଛି ଜିଲ୍ଲା ପ୍ରଶାସନ। ସେହିପରି ୨୨ ଗାଁରେ ବ୍ୟାପକ ପୁଲିସ ଫୋର୍ସ ଆଜିଠାରୁ ମୁତୟନ କରାଯାଇ ସାରିଲାଣି।

ଜିଲ୍ଲାପାଳ ଅବଦଲ୍‌ ଏମ. ଅଖତର, ଏଡିଏମ ଦେବେନ ପ୍ରଧାନ, କୋରାପୁଟ ଏସ୍‌ପି ବରୁଣ ଗୁଣ୍ଟୁପାଲ୍ଲୀ ସହ ବହୁ ବରିଷ୍ଠ ଅଧିକାରୀ ଆଜି ଏଠାରେ ରହି ସ୍ଥିତି ଉପରେ ନଜର ରଖିଥିଲେ। ଦୁଇଟି ଗାଁକୁ କଣ୍ଟେନମେଣ୍ଟ୍ ଜୋନ୍ କରାଯାଇଛି। ଏହି ଦୁଇ ଗାଁରେ ବାହାର ଲୋକଙ୍କ ପ୍ରବେଶ ଉପରେ ରୋକ ଲାଗିଛି ବୋଲି ଜିଲ୍ଲାପାଳ କହିଛନ୍ତି। ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳର ନେତା ବି କୋଟିଆରେ ଡେରା ପକାଇଛନ୍ତି। ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, କୋରାପୁଟ ବିଧାୟକ ରଘୁରାମ ପଡାଲ, ପଟାଙ୍ଗି ବିଧାୟକ ପ୍ରୀତମ ପାଢ଼ୀଙ୍କ ସହ ଜିଲ୍ଲା ବିଜେଡି ସଭାପତି ଈଶ୍ୱର ପାଣିଗ୍ରାହୀ ଓ ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି ପ୍ରମୁଖ ଆନ୍ଧ୍ର-ଓଡ଼ିଶା ସୀମାରେ ଧାରଣା ଦେଇଛନ୍ତି। ଆନ୍ଧ୍ର ସରକାରଙ୍କ ଚକ୍ରାନ୍ତ ବିରୋଧରେ ବି ଏହି ନେତାମାନେ ସୀମାନ୍ତରେ ଗର୍ଜିଛନ୍ତି।

କୋଟିଆ ଦାୟିତ୍ବରେ ରହିଥିବା ବରିଷ୍ଠ ପ୍ରଶାସକ ଶରତ ଧଳ କହିଛନ୍ତି ଯେ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏହାସହ ୨୨ଜଣ ବରିଷ୍ଠ ଅଧିକାରୀଙ୍କୁ ମାଜିଷ୍ଟ୍ର‌େଟ ଦାୟିତ୍ବ ପ୍ରଦାନ କରାଯାଇଛି। ପୁଲିସ ଫୋର୍ସ ବି ଏଠାରେ ରହିବ ବୋଲି ଜଣାଇଛନ୍ତି। ଏଏସ୍‌ପି ଉତ୍କଳ ରଞ୍ଜନ ଦାସ କହିଛନ୍ତି ଯେ କରୋନା ବଢ଼ିବା ଆଶଙ୍କା ରହିଥିବାରୁ ଏଠାରେ ୧୪୪ ଧାରା ଜାରି କରାଯାଇଛି।

ସୁପ୍ରିମ୍‌କୋର୍ଟରେ ରାଜ୍ୟ ସରକାରଙ୍କ ପିଟିସନ୍‌ ଦାଖଲ
ନୂଆଦିଲ୍ଲୀ : କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ପକ୍ଷରୁ ଆସନ୍ତାକାଲି ଜିଲ୍ଲା ପରିଷଦ ଏବଂ ମଣ୍ଡଳ ପରିଷଦ ପାଇଁ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଓଡ଼ିଶା ସରକାର ସୁପ୍ରିମ କୋର୍ଟରେ ଆନ୍ଧ୍ର ପ୍ରଦେଶ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ଏଥିରେ କୁହାଯାଇଛି ଯେ ସୁପ୍ରିମ କୋର୍ଟଙ୍କ ୧୯୬୮ ମସିହାର ନିର୍ଦ୍ଦେଶ ଏବଂ ୨୦୦୬ ମସିହାର ରାୟକୁ ଆନ୍ଧ୍ର ପ୍ରଦେଶ ଜାଣିଶୁଣି ମାନୁନାହିଁ। ଏଥିପାଇଁ କୋରାପୁଟ ଜିଲ୍ଲାର ଏହି ବିବାଦୀୟ ଗ୍ରାମରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଆଇନ ଶୃଙ୍ଖଳା ସ୍ଥିତିକୁ ସଜାଡ଼ିବା ପାଇଁ ଫାଟୁସୁନେରି ଏବଂ ନେରେଡିବାଲାସା ଗ୍ରାମରେ କୋରାପୁଟ ଜିଲ୍ଲାପାଳ ୧୪୪ ଧାରା ଜାରି କରିଛନ୍ତି। ଏଥିସହିତ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଉକ୍ତ ଦୁଇ ଗ୍ରାମକୁ ଜିଲ୍ଲାପାଳ କଣ୍ଟେନମେଣ୍ଟ୍ ଜୋନ୍‌ ଭାବେ ଘୋଷଣା କରିଛନ୍ତି। ‌ସେହିଭଳି ପରିସ୍ଥିତି ଅଶାନ୍ତ ଥିବାରୁ ୨୪ ଘଣ୍ଟିଆ ଅନୁଧ୍ୟାନ ପାଇଁ ଜିଲ୍ଲାପାଳ ଘଟଣା ସ୍ଥଳକୁ ଯାଇଛନ୍ତି। ତେଣୁ ଏଭଳି ସ୍ଥିତିରେ ଅଦାଲତରେ ଅତିରିକ୍ତ ଶପଥପାଠ ଦାଖଲ କରିବା ସମ୍ଭବ ନୁହେଁ। ତେଣୁ ଅଦାଲତ ନିର୍ଦ୍ଦେଶନାମା ଜାରି କରିବା ପାଇଁ ଆବେଦନକାରୀଙ୍କୁ ଅତିରିକ୍ତ ଶପଥପାଠ ଦାଖଲ କରିବାରୁ ରିହାତି ଦେବେ ବୋଲି ଆବେଦନରେ କୁହାଯାଇଛି।

The post ନିର୍ବାଚନ ପାଇଁ ଛକାପଞ୍ଝା: କୋଟିଆରେ ୧୪୪ first appeared on Sambad.

from ଜିଲ୍ଲା | Sambad https://ift.tt/3rT5mhy