
ବଲାଙ୍ଗୀର/କଂଟାବାଞ୍ଜି : ସରକାରୀ ଚାକିରିଆ। କଲେଜରେ ଅଛନ୍ତି ଲାଇବ୍ରେରିଆନ୍। ହେଲେ ଏମତି କାଣ୍ଡ କରିଛନ୍ତି, ଯାହାକି ଜଣେ ମାନସିକ ସ୍ତରରେ ସୁସ୍ଥ ବ୍ୟକ୍ତି କେବେ କରିବାକୁ ଚିନ୍ତା ବି କରିବ ନାହିଁ। ଜଣେ ୭ ବର୍ଷର ନାବାଳିକାକୁ ଗୋଡ଼ହାତ ବାନ୍ଧି ନିଜ ବାଇକରେ ଅପହରଣ କରିନେବା ପରେ ଗାଁ ଲୋକ ଦେଖିଦେବାରୁ ଚଳନ୍ତା ଗାଡ଼ିରୁ ଠେଲି ଦେଇଛନ୍ତି। ଅପହରଣ ପଛର ଉଦ୍ଦେଶ୍ୟ ଦୁଷ୍କର୍ମ ବୋଲି ଝିଅର ବାପା ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନାରେ ମାମଲା ରୁଜୁ ହୋଇଛି। ଗ୍ରାମବାସୀ ଉକ୍ତ ନାବାଳିକାକୁ ଗୁରୁତର ଅବସ୍ଥାରେ ଗାଁମୁଣ୍ଡରୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ନାବାଳିକା ଝିଅର ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ବଙ୍ଗୋମୁଣ୍ଡା ଥାନା ଅଂଚଳର ଏକ ଗାଁରେ ୭ ବର୍ଷର ନାବାଳିକା ବାପାଙ୍କଠାରୁ ଟଙ୍କା ନେଇ ଦୋକାନକୁ ଚକଲେଟ କିଣିବାକୁ ଯାଇଥିଲା। ସେହି ସମୟରେ ବଙ୍ଗୋମୁଣ୍ଡା କଲେଜର ଲାଇବ୍ରେରିଆନ ଡୋଳାମଣି ମେହେର ଓରଫ ରାଷ୍ଟ୍ର ଉକ୍ତ ନାବାଳିକାକୁ କାବୁ କରି ନେଇଥିଲେ। ଗୋଡ଼ହାତ ବାନ୍ଧି ନିଜ ଗାଡ଼ି ଧରିରେ ଫେରାର ମାରୁଥିଲେ। ଏହା ଦେଖି ଗାଁ ଲୋକେ ଝିଅର ବାପାକୁ ଖବର ଦେଇଥିଲେ। ଝିଅର ବାପା ବାଇକ୍ ପଛରେ ଦୌଡ଼ିବାରୁ ଅପହରଣକାରୀ ଝିଅକୁ ଚଳନ୍ତା ଗାଡ଼ିରୁ ଠେଲି ଦେଇଥିଲେ। ଗାଁ ଲୋକେ ଝିଅକୁ ଉଦ୍ଧାର କରି ଟିଟିଲାଗଡ଼ ଡାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ। ଏନେଇ ପୁଲିସ କେବଳ ଏକ ମାମଲା ରୁଜୁ କରି କାମ ସାରିଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ସପକ୍ଷରେ ପୁଲିସ ରହି ତାକୁ ଗିରଫ କରୁନଥିବା ନାବାଳିକାର ବାପା ଅଭିଯୋଗ କରିଛନ୍ତି।
The post କଲେଜ ଲାଇବ୍ରେରିଆନ୍ଙ୍କ ଜଘନ୍ୟକାଣ୍ଡ: ଦୁଷ୍କର୍ମ ପାଇଁ ନେଲେ, ଚଳନ୍ତାଗାଡ଼ିରୁ ଠେଲିଦେଲେ first appeared on Sambad.from ଜିଲ୍ଲା | Sambad https://ift.tt/3g9VlKH
0 Comments