ଯାଜପୁର : ଧର୍ମଶାଳା ତହସିଲ ଅଞ୍ଚଳରେ ବେଆଇନ୍ ଖଣିଖାଦାନକୁ ନେଇ ସୂଚନାକର୍ମୀଙ୍କ ଉପରେ ବୋମାମାଡ଼ ଘଟଣା ରାଜ୍ୟରେ ଆଲୋଡନ ସୃ‌ଷ୍ଟି କରିଛି। ଏହିସମୟରେ ବିଛାଖଣ୍ଡି ପାହାଡ଼ର ୮୯୦ଏକର ଜଙ୍ଗଲ ଜମିରେ ବେଆଇନ୍ ଖାଦାନ ମାମଲାର ଶୁଣାଣି ଲୋକାୟୁକ୍ତଙ୍କ କୋର୍ଟରେ ଆସନ୍ତାକାଲି ହେବ। ଏହି ମାମଲାରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ପୂର୍ବତନ ଜିଲ୍ଲାପାଳ ତଥା ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଧର୍ମଶାଳା ତହସିଲଦାର ପ୍ରଶାନ୍ତ ସାମନ୍ତରାୟ ଓ ପୂର୍ବତନ ତହସିଲଦାର ସରୋଜ କୁମାର ପଣ୍ଡା ପ୍ରମୁଖ ଆସନ୍ତାକାଲି ପକ୍ଷ ରଖିବା ପାଇଁ ଦିନ ଧାର୍ଯ୍ୟ ହୋଇଛି। ଯାହାକି ଚର୍ଚ୍ଚାର ବିଷୟ ହୋଇଛି।

ପ୍ରକାଶଥାଉକି ଧର୍ମଶାଳା ତହସିଲ ଅଞ୍ଚଳରେ ବିଛାଖଣ୍ଡି, ଡଙ୍କାରୀ, ରାହାଡ଼ପୁର, ଆରୁହା ପାହାଡ଼ରେ ଚାଲିଥିବା ବ୍ୟାପକ ବେଆଇନ୍ ଓ ଚୋରା କାରବାରକୁ ନେଇ ଏକାଧିକ ମାମଲା ଲୋକାୟୁକ୍ତ ଓ ହାଇକୋର୍ଟରେ ବିଚାରାଧୀନ ରହିଛି। ଏପରିକି କେତେକ ଗୁରୁତ୍ବପୂର୍ଣ୍ଣ ମାମଲାରେ ବୋମାମାଡ଼ର ଶିକାର ହୋଇଥିବା ସୂଚନାକର୍ମୀ ତଥା ବିଜେପି ନେତା ସର୍ବେଶ୍ବର ବେହୁରା ପକ୍ଷଭୁକ୍ତ ହୋଇ କୋର୍ଟର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ପରିସ୍ଥିତିରେ ବିଛାଖଣ୍ଡିର ଜଙ୍ଗଲ ଜମିରେ ବେଆଇନ ଖାଦାନ ମାମଲାର ଆସନ୍ତାକାଲି ଶୁଣାଣି ଥିବାବେଳେ ୧୩ତାରିଖରେ ଖଣିଖାଦାନର ସୀମାରେ ଖୁଣ୍ଟି ପୋତା କେଳେଙ୍କାରୀର ଶୁଣାଣି ମଧ୍ୟ ଲୋକାୟୁକ୍ତ କରିବେ। ଏହି ଗୁରୁତ୍ବପୂର୍ଣ୍ଣ ଶୁଣାଣି ଉପରେ ସମସ୍ତଙ୍କର ନଜର ରହିଛି।

The post ଯାଜପୁରରେ ଜଙ୍ଗଲ ଜମିରେ ବେଆଇନ୍ ଖାଦାନ ମାମଲା: ଲୋକାୟୁକ୍ତଙ୍କ କୋର୍ଟରେ ଆଜି ପକ୍ଷ ରଖିବେ ଜିଲ୍ଲାପାଳ first appeared on Sambad.

from ଜିଲ୍ଲା | Sambad https://ift.tt/3s8Ryj7