ଯାଜପୁର : ଯାଜପୁର ଜିଲ୍ଲାର ବିଛାଖଣ୍ଡି ଜଙ୍ଗଲ ଜମିରେ ବେଆଇନ୍ କଳାପଥର ଖାଦାନ ଓ କ୍ରସର କାରବାରର ଭିଜିଲାନ୍ସ ତଦନ୍ତ କରିବାକୁ ଲୋକାୟୁକ୍ତ ନିର୍ଦ୍ଦେଶ ଦେବାପରେ ମାଫିଆମାନେ ଅଧିକ ସକ୍ରିୟ ହୋଇଉଠିଛନ୍ତି। ଦିନରାତି ଏକ କରି ଧ୍ବଂସଲୀଳା ଆରମ୍ଭ କରିଦେଇଛନ୍ତି। ଇତିମଧ୍ୟରେ ଜେନାପୁର ଥାନାଧିକାରୀ ଇନ୍‌ସ୍ପେକ୍ଟର ଆଶିଷ ସାହୁଙ୍କର ସ୍ପେସାଲ ବ୍ରାଞ୍ଚକୁ ବଦଳି ହୋଇଥିବା ବେଳେ ଧର୍ମଶାଳା ତହସିଲଦାର ପ୍ରଶାନ୍ତ ସାମନ୍ତରାୟଙ୍କର ମଧ୍ୟ ବଦଳି ହୋଇଯାଇଛି। ଏହା ମାଫିଆମାନଙ୍କ ପାଇଁ ଆହୁରି ବି ସୁଯୋଗ ସୃଷ୍ଟିକରିଛି। ଏମିତି ବି ପରିସ୍ଥିତି ସୃଷ୍ଟିହୋଇଛି, ଭିଜିଲାନ୍ସ ତଦନ୍ତ ପୂର୍ବରୁ ଏମାନେ ସବୁକିଛି ଶେଷ କରିଦେବେ।

ବିଛାଖଣ୍ତି ପାହାଡ଼ର ୯ଟି କଳାପଥର ସୈରାତର ନିଲାମ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିବା ପରେ ଏବେ ମାତ୍ର ୭ଟି ସଇରାତ ରହିଛି। ସେଥିମଧ୍ୟରୁ ବିଭିନ୍ନ କାରଣରୁ ୩ଟି ବନ୍ଦ ରହିଥିବା ବେଳେ ମାତ୍ର ୪ଟି ସୈରାତ ସକ୍ରିୟ ରହିଛି। ଅଥଚ ୩୫ଟି ମେଗା କ୍ରସରକୁ ହଜାର ହଜାର ଟନ୍‌ କଳାପଥର ଯୋଗାଣ କରାଯାଉଛି। ଏକ ହିସାବ ଅନୁସାରେ, ଦୈନିକ ୬/୭ହଜାର ଟନ୍‌ କଳାପଥର ଯୋଗାଇ ଦିଆଯାଉଛି। ଏତେ ପରିମାଣର କଳାପଥର କୁଆଡ଼ୁ ଆସୁଛି, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କର ଅଭିଯୋଗ ଅନୁସାରେ, ମୁଖ୍ୟତଃ ବିଛାଖଣ୍ତିର ବେଆଇନ ଖାଦାନରୁ କଳାପଥର କ୍ରସରକୁ ଯୋଗାଣ ହେଉଛି। ଏହି ବେଆଇନ୍ କାରବାର ରାଜସ୍ବ, ପୁଲିସ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଓ ଜଙ୍ଗଲ ବିଭାଗର କେତେକ ଅଧିକାରୀଙ୍କ ଭିତିରି ବୁଝାମଣାରେ ଚାଲିଛି। ବେଆଇନ ଖାଦାନ ମାଲିକମାନଙ୍କର ସୁରକ୍ଷା କବଚ ସାଜିଛନ୍ତି କେତେକ ରାଜନେତା।

ବିଛାଖଣ୍ଡି ଭଳି ଜଙ୍ଗଲ ଜମିରେ ବଳରାମପୁର ଓ କୁସୁନପୁର ପାହାଡ଼ର ୩ଶହ ହେକ୍ଟର ଜାଗାରୁ ମାଫିଆମାନେ ଦୀର୍ଘ ୧୫ ବର୍ଷ ହେଲା କଳାପଥର ଖୋଳି ଚାଲିଛନ୍ତି। ବନବିଭାଗ ଉଚ୍ଚ ଅଧିକାରୀ ନିରବ ସମର୍ଥନ ଦେଇଆସିଛନ୍ତି। ରାଜସ୍ବ ଓ ବନ ବିଭାଗର ସାଧାରଣ କ୍ଷେତ୍ର କର୍ମଚାରୀ କୋଟିପତି ମାଫିଆଙ୍କ ମୁକାବିଲା କରିବାକୁ ଭୟ କରୁଛନ୍ତି। ଧର୍ମଶାଳା, ଜେନାପୁର, ବଡ଼ଚଣା, ବୈରୀ, କଳିଙ୍ଗନଗର ଓ ବାଲିଚନ୍ଦ୍ରପୁର ଥାନା ପୁଲିସ ବିଭିନ୍ନ ଉତ୍ସବ ପାଳନ ପାଇଁ ମାଫିଆଙ୍କ ଠାରୁ ବେଶ୍‌ ମୋଟା ଅଙ୍କର ଅର୍ଥ ସହଯୋଗ ନେଉଥିବା ନଜିର ରହିଛି। ପୁଲିସର ଏପରି ଭୂମିକା ବେଳେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ତଦନ୍ତ କେତେ ଦୂର ସଫଳ ହେବ? ସେ ନେଇ ଏବେ ଠାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post ବିଛାଖଣ୍ଡିରେ ଲୁଟ୍‌ ପାଇଁ ମାଫିଆ ସକ୍ରିୟ: ଭିଜିଲାନ୍ସ ତଦନ୍ତ ପୂର୍ବରୁ ଲୁଟିନେବେ first appeared on Sambad.

from ଜିଲ୍ଲା | Sambad https://ift.tt/32BEfgK