
ତେଲକୋଇ (ବିରଞ୍ଚି ବେହେରା): ବାହାରୁ ମନ୍ଦିର ଭଳି ଦେଖାଯାଉଛି। ଭିତରକୁ ଗଲେ ପାର୍କର ଭ୍ରମ ସୃଷ୍ଟି ହେଉଛି। କିନ୍ତୁ ଏହା ମନ୍ଦିର ନୁହେଁ କି କୌଣସି ପାର୍କ ନୁହେଁ। ଏହା ଏକ ଶିକ୍ଷାନୁଷ୍ଠାନ। ତେଲକୋଇ ବ୍ଲକ୍ ଶିବନାରାୟଣପୁରଗୋଡ଼ାଠାରୁ ପୁଟୁଘର ଜଳପ୍ରପାତକୁ ସଂଯୋଗ କରୁଥିବା ରାସ୍ତାରେ ପଡ଼ୁଥିବା ରାଧାକୃଷ୍ଣ ଉଚ୍ଚବିଦ୍ୟାଳୟର ଏହି ଶାନ୍ତ, ସବୁଜ ପରିବେଶ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକଙ୍କୁ ଆକର୍ଷିତ କରୁଛି। ବିଦ୍ୟାଳୟର ଫାଟକ, ପରିସରରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଏବଂ ଫୁଲ ବଗିଚା ମନମୋହୁଛି। ପ୍ରଧାନଶିକ୍ଷକ ଖଗେଶ୍ବର ମହାନ୍ତଙ୍କ ଉଦ୍ୟମରେ ଏବଂ ଅନ୍ୟ ଶିକ୍ଷକ ଓ ଗ୍ରାମବାସୀଙ୍କ ସହଯୋଗରେ ଏସବୁ ସମ୍ଭବ ହୋଇପାରିଛି।
୪୦ ବର୍ଷ ତଳେ ୧୯୮୦ ମସିହାରେ ସ୍ବର୍ଗତ ଖଗେଶ୍ବର ପହିଙ୍କ ଉଦ୍ୟମ ଓ ଗ୍ରାମବାସୀଙ୍କ ସହଯୋଗରେ ଏହି ଶିକ୍ଷାନୁଷ୍ଠାନ ଗଢ଼ି ଉଠିଥିଲା। ତେଲକୋଇ ଅଞ୍ଚଳର ଉପାନ୍ତ ତଥା ଦୁର୍ଗମ ଶିବନାରାୟଣପୁରଗୋଡ଼ାର ଅନ୍ଧାରିମୂଲକରେ ଆଜି ଏହି ଶିକ୍ଷାନୁଷ୍ଠାନ ଶିକ୍ଷାର ଆଲୋକବର୍ତ୍ତିକା ସାଜିଛି। ବିଦ୍ୟାଳୟର ପରିବେଶକୁ ଯିଏ ଦେଖୁଛି ପ୍ରଶଂସା ନ କରି ରହିପାରୁନି। ମୁଖ୍ୟଫାଟକ ଅତ୍ୟନ୍ତ ସୌନ୍ଦର୍ଯ୍ୟପୂର୍ଣ୍ଣ ହୋଇଛି। ଯାହା ସୁଉଚ୍ଚ ମନ୍ଦିର ଆକୃତିର। ଫାଟକ ଉପରେ ଗଣେଶ ଓ ସରସ୍ବତୀଙ୍କ ମୂର୍ତ୍ତି ସହିତ ଅନ୍ୟାନ୍ୟ ଦେବାଦେବୀଙ୍କ ମୂର୍ତ୍ତି ସ୍ଥାପନ କରାଯାଇଛି। ଭିତରେ ସମ୍ମୁଖ ଭାଗ ବାମପାର୍ଶ୍ବରେ ରାଧାକୃଷ୍ଣ ଓ ଡାହାଣ ପାର୍ଶ୍ଵରେ ବିଦ୍ୟାଳୟର ପ୍ରତିଷ୍ଠାତା ସ୍ବର୍ଗତ ପହିଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ଏହାଛଡ଼ା ଜାତିର ଜନକ ମହାତ୍ମା ଗାନ୍ଧୀ, ସ୍ବାମୀ ବିବେକାନନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଗୋପବନ୍ଧୁ ଦାସ, ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ଏପିଜେ ଅବଦୁଲ କଲାମଙ୍କ ଭଳି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବା ସହ ଗାନ୍ଧୀଙ୍କ ତିନି ମାଙ୍କଡ଼ ମଧ୍ୟ ଶୋଭା ପାଉଛନ୍ତି।

ଚଟାଣରେ ସିମେଣ୍ଟରେ ନିର୍ମିତ ଅଶୋକ ସ୍ତମ୍ଭ, ଭାରତ ଏବଂ ଓଡ଼ିଶାର ପ୍ରାକୃତିକ ମାନଚିତ୍ର ତିଆରି କରାଯାଇଛି। ୫୦ରୁ ଊର୍ଦ୍ଧ୍ବ ପାରାଙ୍କ ପାଇଁ ବାସସ୍ଥାନ, ପାଚେରିରେ ବିଭିନ୍ନ ତୈଳଚିତ୍ର କରାଯାଇଛି। ବଗିଚାରେ ବଉଳ, ଅଶୋକ, ଚମ୍ପା, ନଡ଼ିଆ, ଆମ୍ବ, ଦେବଦାରୁ ଓ ନାନା ପ୍ରଜାତିର ଫୁଲଗଛ ଲଗାଯାଇଛି।
ସ୍ବତନ୍ତ୍ରଭାବେ ବିଦ୍ୟାଳୟ ନିକଟରେ ଏକ ଫଳ ବଗିଚା କରାଯାଇଛି। ସେଠାରେ ଆମ୍ବ, ପଣସ, ଲେମ୍ବୁ, କମଳା, ନଡ଼ିଆ, କଦଳୀ ଓ ବିଭିନ୍ନ ପ୍ରକାର ପରିବା ଚାଷ କରାଯାଇଛି। ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରେ ୧୫୫ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ନବମ ଶ୍ରେଣୀରେ ୭୯ଜଣ ଓ ଦଶମ ଶ୍ରେଣୀରେ ୭୬ଜଣ ଛାତ୍ରଛାତ୍ରୀ ଅଛନ୍ତି। ୬ଜଣ ଶିକ୍ଷକ ଓ ଦୁଇଜଣ ପିଅନ ରହିଥିବାବେଳେ ସିବିଜେଡ୍, କ୍ରୀଡ଼ା ଶିକ୍ଷକ ଓ କିରାଣି ପଦବି ଫାଙ୍କା ପଡ଼ିରହିଛି। ଫଳରେ ଶିକ୍ଷାଦାନରେ ସମସ୍ୟା ହେଉଛି। ସେହିପରି ବିଦ୍ୟାଳୟର ଟାଇଲ ଛପର ଶ୍ରେଣୀଗୃହ ଗୁଡ଼ିକ ନଷ୍ଟ ହେବାକୁ ବସିଲାଣି। ଏନେଇ ପ୍ରଧାନ ଶିକ୍ଷକ ଶ୍ରୀ ମହାନ୍ତଙ୍କୁ ପଚାରିବାରୁ, ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପିଲା ଏଠାରେ ଆସି ପଢ଼ୁଛନ୍ତି। ଚଳିତବର୍ଷ ଶ୍ରେଣୀଗୃହ ନିର୍ମାଣପାଇଁ ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ହୋଇଛି। ଖେଳପଡ଼ିଆ ନ ଥିବାରୁ ଛାତ୍ରଛାତ୍ରୀଙ୍କୁ ଖେଳାଖେଳି କରିବାରେ ସମସ୍ୟା ହେଉଥିବା ଶ୍ରୀ ମହାନ୍ତ କହିଛନ୍ତି।
The post ପାର୍କର ଭ୍ରମ ସୃଷ୍ଟି କରୁଛି ବିଦ୍ୟାଳୟ: ବରପୁତ୍ରଙ୍କ ପ୍ରତିମୂର୍ତ୍ତି, ଫୁଲ ବଗିଚା, ପ୍ରଧାନଶିକ୍ଷକଙ୍କ ଅବଦାନ ଅତୁଳନୀୟ first appeared on Sambad.from ଜିଲ୍ଲା | Sambad https://ift.tt/39NEUQd
0 Comments