
ସମ୍ବଲପୁର : ଏହା ମହାରାଷ୍ଟ୍ର କି ଦିଲ୍ଲୀର କଥା ନୁହେଁ। ବୁର୍ଲାସ୍ଥିତ ଭିମସାର୍ କୋଭିଡ୍ ହସ୍ପିଟାଲ୍ର ଘଟଣା। ଏଠି ଅକ୍ସିଜେନ୍ ପାଇଁ ହାହାକାର ନାହିଁ। ଚିକିତ୍ସାଧୀନ ରୋଗୀଙ୍କ ପାଇଁ ଯଥେଷ୍ଟ ପରିମାଣରେ ଅମ୍ଳଜାନ ଉପଲବ୍ଧ ବି ଅଛି। ତଥାପି ଅକ୍ସିଜେନ୍ ନ ପାଇ ମରିଛନ୍ତି ରୋଗୀ। ଜଣେ ନୁହେଁ ଗୋଟିଏ ରାତିରେ ଏକାଧିକ ରୋଗୀ ଜୀବନ ହାରିଛନ୍ତି ପ୍ରଶ୍ବାସ ନେଇ ନପାରି। ରାତିବେଳା ଏହି ହସ୍ପିଟାଲ୍ ସଂପୂର୍ଣ୍ଣ ଭାବେ କୋଭିଡ୍ ପାଇଁ ଦୈନିକ ମଜୁରି ଭିତ୍ତିରେ ନିଯୁକ୍ତି ପାଇଥିବା ଅସ୍ଥାୟୀ ଅନଭିଜ୍ଞ ନର୍ସ ଓ ଆଟେଣ୍ଡାଣ୍ଟଙ୍କ ହାତରେ ରହିଥାଏ। ସେମାନଙ୍କ ଅବହେଳା ଯୋଗୁଁ ଏଭଳି ଏକ ଗୁରୁତର ଘଟଣା ଘଟିଥିବା ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ଶୁକ୍ରବାର ରାତିରେ ଭିମସାର୍ କୋଭିଡ୍ ହସ୍ପିଟାଲ୍ ସପ୍ତମ ମହଲାରେ ଅନେକ ରୋଗୀଙ୍କ ସିଲିଣ୍ଡର୍ରୁ ଅକ୍ସିଜେନ୍ ସରିବାକୁ ବସିଥିଲା। ଦାୟିତ୍ବରେ ଥିବା ନର୍ସ ଜଣକ ତଳୁ ସିଲିଣ୍ଡର୍ ବୋହି ଆଣିବାକୁ ସହାୟକଙ୍କୁ କହିଥିଲେ। ଏହାପରେ ନିଜେ ଶୋଇ ଯାଇଥିଲେ। ସହାୟକ ମାନେ ବି ରାତିରେ ୭ ମହଲା ତଳୁ ଭର୍ତ୍ତି ଅକ୍ସିଜେନ ସିଲିଣ୍ଡର୍ ବୋହି ଆଣିବା ପାଇଁ ଆଗ୍ରହ ଦେଖାଇ ନଥିଲେ। ଅଧିକାଂଶ ରୋଗୀଙ୍କଠାରେ ଅକ୍ସିଜେନ୍ ଲାଗିଥିଲା। ଅକ୍ସିଜେନ୍ ସରିଯିବା ପରେ ସେମାନେ କଷ୍ଟ ଅନୁଭବ କଲେ। ବିଶେଷ କରି ଅକ୍ସିଜେନ୍ ସ୍ତର ଯଥେଷ୍ଟ କମ୍ ଥିବା ରୋଗୀ ମାନେ ଛଟ୍ପଟ୍ ହେଲେ। କିନ୍ତୁ ସେମାନଙ୍କ କଥା ବୁଝିବାକୁ କେହି ନଥିଲେ। ଏହି ଅବ୍ୟବସ୍ଥା ରାତି ସାରା ଏବଂ ତା’ପର ଦିନ ବି ଲାଗି ରହିଥିଲା। ଏହାରି ଭିତରେ କିଛି ଅମୂଲ୍ୟ ଜୀବନ ଅମ୍ଳଜାନ ନପାଇ ଚାଲି ଯାଇଥିଲା। ଏହି ସାଂଘାତିକ ଘଟଣା ସଂପର୍କରେ ଦାୟିତ୍ବରେ ଥିବା ଡାକ୍ତର ମାନେ ଅବଗତ ଥିଲେ ବି କିନ୍ତୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଏହା ପହଞ୍ଚି ପାରିନାହିଁ। ଉକ୍ତ ମୃତ୍ୟୁ ଗୁଡ଼ିକ ଅନ୍ୟ କୋଭିଡ୍ ମୃତ୍ୟୁ ତାଲିକାରେ ହଜି ଯାଇଥିଲା ଡାକ୍ତରଖାନାର ଫାଇଲ୍ ଭିତରେ।
ତେବେ ‘ସମ୍ବାଦ’ ପକ୍ଷରୁ ଖୋଳତାଡ଼ କରାଯିବା ଭିତରେ ଏଭଳି ଘଟଣାକୁ ସ୍ୱୀକାର କରିଛନ୍ତି ଭିମସାର୍ର ଜଣେ ବରିଷ୍ଠ ଅଧିକାରୀ। ତେବେ, ନିର୍ଦ୍ଦେଶକ ଡା. ଲଳିତ ମେହେର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଆମ ପାଖରେ ଯଥେଷ୍ଟ ଅମ୍ଳଜାନ ଅଛି ଓ ବର୍ତ୍ତମାନ ସୁଦ୍ଧା କେବେ ଅମ୍ଳଜାନ ଅଭାବର ନଜିର ନାହିଁ ବୋଲି ସେ କହିଛନ୍ତି। ସେହିପରି କର୍ତ୍ତବ୍ୟରେ ଅବହେଳା କାରଣରୁ କୌଣସି ରୋଗୀକୁ ଅମ୍ଳଜାନ ମିଳି ନଥିବା ଘଟଣା ମୋ’ ନଜରକୁ ଆସି ନାହିଁ ବୋଲି ଡା. ମେହେର କହିଛନ୍ତି।
The post ଭିମସାର୍ରେ ଅଭାବନୀୟ ଘଟଣା: ଅକ୍ସିଜେନ୍ ଥାଇ ବି ପାଇଲେନି, ମରିଗଲେ ରୋଗୀ! first appeared on Sambad.from ଜିଲ୍ଲା | Sambad https://ift.tt/3et7Mid
0 Comments