ରାୟଗଡ଼ା : ରାୟଗଡ଼ା ରେଲୱେ କଲୋନି ଅଞ୍ଚଳର ଜଣେ କରୋନା ଆକ୍ରାନ୍ତ ରବିବାର ସକାଳେ ଆତ୍ମହତ୍ୟା କରିଛନ୍ତି। ମାନସିକ ଭାରସାମ୍ୟ ହରାଇ ଆକ୍ରାନ୍ତ ଜଣକ ଏଭଳି ଚରମ ପଦକ୍ଷେପ ନେଇଥିବା ପ୍ରାଥମିକ ତଦନ୍ତର ପରେ ରେଲୱେ ପୁଲିସ୍ ଅନୁମାନ କରିଛି। ଘଟଣା ସଂପର୍କରେ ଆରପିଏଫ୍ ପରିବାର ଲୋକଙ୍କୁ ଅବଗତ କରିଛି। ଆଜି ପରିବାର ଲୋକ ରାୟଗଡ଼ାରେ ପହଞ୍ଚିବା ପରେ କୋଭିଡ୍‌ ଗାଇଡ୍ ଲାଇନ୍ ଅନୁଯାୟୀ ଆକ୍ରାନ୍ତଙ୍କ ମର ଶରୀରକୁ ଜବତ କରି ତଦନ୍ତ କରାଯିବ ବୋଲି ରେଲୱେ ପୁଲିସ୍ ସୂଚନା ଦେଇଛି।

ମୃତକ ରାୟଗଡ଼ା ରେଳ ବିଭାଗରେ କାର୍ଯ୍ୟରତ ଥିଲେ। ରାଜ୍ୟ ବାହାର ବାସିନ୍ଦା ହୋଇଥିବାରୁ ହୋଲି ସମୟରେ ଛୁଟି ନେଇ ଘରକୁ ଯାଇଥିଲେ। ସପ୍ତାହେ ତଳେ ଛୁଟିରୁ ଫେରିବା ପରେ ଜ୍ବର, କାଶ ଓ ଥଣ୍ଡା ଜ୍ବରରେ ପୀଡ଼ିତ ହୋଇଥିଲେ। ରକ୍ତ ପରୀକ୍ଷା ପରେ ମ୍ୟାଲେରିଆ ପଜିଟିଭ୍ ବାହାରିଥିଲା। ଔଷଧ ଖାଇବା ପରେ ମଧ୍ୟ ୩ଦିନ ପର୍ଯ୍ୟନ୍ତ ଜ୍ବର ନ ଛାଡ଼ିବା ଯୋଗୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କରୋନା ପରୀକ୍ଷା କରିଥିଲେ। ଆଣ୍ଟିଜେନ୍ କିଟ୍‌ରେ ଟେଷ୍ଟ ପରେ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ଶନିବାର ରିପୋର୍ଟ ପଜିଟିଭ୍ ଆସିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଜ କ୍ବାର୍ଟର୍ସରେ ସଙ୍ଗରୋଧରେ ରହିଥିଲେ। ରବିବାର ସକାଳେ ‌ମାନସିକ ଭାରସାମ୍ୟ ହରାଇ ନିଜ କ୍ବାର୍ଟର୍ସ ଭିତରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ।

The post କରୋନା ଆକ୍ରାନ୍ତଙ୍କ ଆତ୍ମହତ୍ୟା first appeared on Sambad.

from ଜିଲ୍ଲା | Sambad https://ift.tt/3sv39JB