
ନୟାଗଡ଼: ନୟାଗଡ଼ ପଞ୍ଚାୟତ ସମିତି ଅଧୀନ ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତର ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କୁ ଆଜି ପଦଚ୍ୟୁତ କରାଯାଇଛି।
ଶ୍ରୀ ପ୍ରଧାନଙ୍କ ବିରୋଧରେ ଉକ୍ତ ପଞ୍ଚାୟତର ୱାର୍ଡ ସଭ୍ୟ, ସଭ୍ୟାଗଣ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଓଡ଼ିଶା ଗ୍ରାମପଞ୍ଚାୟତ ଆଇନ ୧୯୬୪ ଧାରା ୨୪(୧) ମୁତାବକ ପଞ୍ଚାୟତ କାର୍ଯ୍ୟାଳୟରେ ଆଜି ସ୍ବତନ୍ତ୍ର ବୈଠକ କରାଯାଇଥିଲା। ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ନେଇ ଭୋଟ ଗ୍ରହଣ କରାଯାଇଥିଲା। ଏଥିରେ ଅନାସ୍ଥା ସପକ୍ଷରେ ସମସ୍ତ ୧୫ ଜଣ ୱାର୍ଡ ସଭ୍ୟ,ସଭ୍ୟା ମତଦାନ କରିଥିଲେ। ଉକ୍ତ ପଞ୍ଚାୟତରେ ୧୬ଟି ୱାର୍ଡ ଥିବାବେଳେ, ସେମାନଙ୍କ ମଧ୍ୟରୁ ଜଣେ ୱାର୍ଡ ସଭ୍ୟଙ୍କର କିଛି ମାସ ତଳେ ମୃତ୍ୟୁ ଘଟିଥିଲା।
ନିୟମନୁଯାୟୀ ଏକ ତୃତୀୟାଂଶରୁ ଅଧିକ ସଭ୍ୟ, ସଭ୍ୟା ଅନାସ୍ଥା ସପକ୍ଷରେ ଭୋଟ ଦେଇଥିବାରୁ ଶ୍ରୀ ପ୍ରଧାନଙ୍କୁ ତାଙ୍କ ପଦ ହରାଇବାକୁ ପଡ଼ିଛି। ନିୟମନୁଯାୟୀ ଜିଲ୍ଲାପାଳ ଡ. ପୋମା ଟୁଡୁ ଉକ୍ତ ପଞ୍ଚାୟତରେ ସରପଞ୍ଚ ଭାବେ ଦାୟିତ୍ବ ନିର୍ବାହ କରିବାକୁ ନାଏବ ସରପଞ୍ଚ ପ୍ରମିଲା ଜେନାଙ୍କୁ କ୍ଷମତା ପ୍ରଦାନ କରିଛନ୍ତି। ସମସ୍ତ ଦାୟତ୍ବ ହସ୍ତାନ୍ତର କରିବାକୁ ଶ୍ରୀ ପ୍ରଧାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସ୍ବତନ୍ତ୍ର ବୈଠକରେ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଆଇନଶୃଙ୍ଖଳା ପରିସ୍ଥିତିକୁ ଆଖି ଆଗରେ ରଖି, ଏଠାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା।
ପ୍ରକାଶଥାଉକି, ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଯଦୁପୁରର ନାବାଳିକା ପରୀ ହତ୍ୟାକାଣ୍ଡ ମାମଲାରେ ପ୍ରତିବାଦ କରି ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ବିରୋଧରେ ଅଭିଯୋଗ ଆଣି ଶ୍ରୀ ପ୍ରଧାନ ରାଜ୍ୟବ୍ୟାପୀ ଚର୍ଚ୍ଚାକୁ ଆସିଥିଲେ। ଫଳରେ ଆକ୍ରୋଶମୂଳକ ଭାବେ ଏଥିନିମନ୍ତେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ସହ ପଦଚ୍ୟୁତ କରାଯାଇଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି।
The post ଲକ୍ଷ୍ମୀପ୍ରସାଦ ସରପଞ୍ଚ ପଦଚ୍ୟୁତ: ସମସ୍ତ ୱାର୍ଡ ସଭ୍ୟ ଅନାସ୍ଥା ସପକ୍ଷରେ ଭୋଟ ଦେଲେ, ନାଏବ ସରପଞ୍ଚ ଦାୟିତ୍ବ ନିର୍ବାହ କରିବେ first appeared on Sambad.from ଜିଲ୍ଲା | Sambad https://ift.tt/3gx7nOx
0 Comments