ରାଉରକେଲା : ସରକାରୀ ଅର୍ଥକୁ ନେଇ ଦାୟିତ୍ବହୀନ ଯୋଜନାର ଗୋଟିଏ ବଡ଼ ଉଦାହରଣ ହେଉଛି ରାଉରକେଲା ପିଙ୍କ୍ ଅଟୋ ସେବା। ସ୍ମାର୍ଟ ସିଟିର ଦରିଦ୍ର ମହିଳାଙ୍କୁ ସ୍ବାବଲମ୍ବୀ କରିବା ଲକ୍ଷ୍ୟ ନେଇ ଗତ ୨୦୧୭ ଡିସେମ୍ବର ୨୧ରେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ପକ୍ଷରୁ ଆରମ୍ଭ ହୋଇଥିଲା ପିଙ୍କ୍ ଅଟୋ ସେବା। ପ୍ରଥମ ପର୍ଯ୍ୟାୟରେ ୨୧ ଜଣ ଗରିବ ମହିଳାଙ୍କୁ ସ୍ବଳ୍ପ ସୁଧ ହାରରେ ଇ-ରିକ୍ସା (ବିଦ୍ୟୁତ୍‌ ଅଟୋ) ପ୍ରଦାନ କରାଯାଇଥିଲା। ଉଦିତନଗର ପ୍ୟାରେଡ଼ ପଡ଼ିରେ ଆୟୋଜିତ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ତତ୍କାଳୀନ ସୁନ୍ଦରଗଡ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଏଡ଼ିଏମ୍‌ ମୋନିଷା ବାନାର୍ଜୀ ଓ ଆର୍‌ଏମ୍‌ସିର ଡେପୁଟି କମିଶନର । ପାନ‌ପୋଷ, ବାଲୁଘାଟ, ଗୋପବନ୍ଧୁପାଲୀ, ଟିମ୍ବର କଲୋନି, ଗଙ୍ଗାଧରପାଲି, ଗାନ୍ଧିରୋଡ, ନୟାବଜାର ଓ ବେଦବ୍ୟାସ ବସ୍ତିରେ ଗୀତା ମାଝି, ଫୁଲମଣି ରାଜୱାର, ସନ୍ତୋଷିନୀ ସିଂହ, ଗୌରୀ ନାୟକ, ମିନି ସିଂହ, ମୁନ୍ନି ଦେବୀ, ରୀନା ବାରିକ୍‌, ଲକ୍ଷ୍ମୀ ନାୟକ ଆଦି ମହିଳା ଜଣଙ୍କ ପରେ ଜଣେ ପାଇଥିଲେ ପିଙ୍କ୍‌ ଅଟୋର ଚାବି କାଠି।

ପର୍ଯ୍ୟାୟକ୍ରମେ ୧୦୦ରୁ ଅଧିକ ଗରିବ ମହିଳା, ଯୁବତୀଙ୍କୁ ସ୍ବଳ୍ପ ହାର ସୁଧରେ ଏଭଳି ଅଟୋ ଯୋଗାଇ ଦେବାକୁ ଘୋଷଣା କରିଥିଲେ ତତ୍କାଳୀନ ଜିଲ୍ଲାପାଳ। ଏହାର କିଛି ମାସ ପରେ ଜିଲ୍ଲାପାଳଙ୍କର ବଦଳି ହୋଇଗଲା। ଆର୍‌ଏମ୍‌ସି କମିଶନର ତଥା ଏଡିଏମ୍‌ ମୋନିଷା ବାନାର୍ଜୀଙ୍କର ମଧ୍ୟ ଏଠାରୁ ବଦଳି ହୋଇ ଚାଲିଗଲେ। ପରବର୍ତ୍ତୀ ସମୟରେ ଆର୍‌ଏମ୍‌ସିରେ ଯୋଗଦେଇଥିବା ଅଧିକାରୀ ଯୋଜନାକୁ ସମ୍ପୂର୍ଣ୍ଣ ପାସୋରି ଗଲେ। ଅଟୋ ପାଇଥିବା ମହିଳାମାନେ ଯାନ୍ତ୍ରିକ ତ୍ରୁଟିର ସ୍ଥାୟୀ ସମାଧାନ ପାଇଁ ଅନେକବାର ଆର୍‌ଏମ୍‌ସିର ଡେପୁଟି କମିଶନରଙ୍କୁ ଦେଖା କଲେ। କିନ୍ତୁ କେହି ମହିଳାଙ୍କ ଦୁଃଖ ଶୁଣିଲେନି। ସେପଟେ ଦ୍ବିତୀୟ ପର୍ଯ୍ୟାୟ କଥାକୁ ପରବର୍ତ୍ତୀ ଅଧିକାରୀ କାର୍ଯ୍ୟକାରୀ କଲେନି। ତେଣୁ ଆଜି ଯାଏଁ ଜଣଙ୍କୁ ହେଲେ ମହିଳାଙ୍କୁ ପିଙ୍କ୍ ଅଟୋଟିଏ ମିଳିଲା ନାହିଁ। ଜିଲ୍ଲା ପ୍ରଶାସନ ପକ୍ଷରୁ ମାଗଣାରେ ଡ୍ରାଇଭିଂ ତାଲିମ ନେଇ ଆର୍‌ଏମ୍‌ସି ସହାୟତାକୁ ଅପେକ୍ଷା କରିଥିବା ମହିଳାଙ୍କୁ ଶେଷରେ ନିରାଶ ହେବାକୁ ପଡିଲା।

ଏପଟେ ଅଟୋ ତ ମିଳିଲା ନାହିଁ ସେପଟେ ଅଟୋ ନେଇ ସ୍ବାବଲମ୍ବୀ ହେବାକୁ ଆଶା ରଖିଥିବା ମହିଳାଙ୍କୁ ମଧ୍ୟ ସମଦଶା ଭୋଗିବାକୁ ପଡିଲା। ‘ଘୋଡା ଛଅ ଟଙ୍କାକୁ ଦାନା ନ ଟଙ୍କା’ ପରି ମହିଳାଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଲା। ଦୈନିକ ଯେତିକି ‌ରୋଜଗାର କଲେ, ତା’ର ୬୦ରୁ ୭୦% ଅଟୋ ମରାମତି ବାବଦରେ ଖର୍ଚ୍ଚ କରିବାକୁ ପଡିଲା। ଯାତ୍ରୀମାନଙ୍କୁ ନେଇ ଯାଉଥିବାବେଳେ ଅଟୋ ଯାନ୍ତ୍ରିକ ତ୍ରୁଟି ‌ଯୋଗୁଁ ଅଧା ବାଟରେ ଅଟକିଗଲା। ଅନେକ ମହିଳା ଡ୍ରାଇଭରଙ୍କୁ ଯାତ୍ରୀମାନଙ୍କ ଠାରୁ ଗାଳିବି ଶୁଣିବାକୁ ମିଳିଲା। ମରାମତି ପାଇଁ ମହିଳାଙ୍କୁ ସହରର ଠାରୁ ୨୫ କି.ମି. ଦୂର ଚିକଟମାଟି ସର୍ଭିସ ସେଣ୍ଟରକୁ ବାରମ୍ବାର ଦୌଡିବା ସମ୍ଭବପର ହେଲା ନାହିଁ। କିଛି ମହିଳା ଏ ସଂକ୍ରାନ୍ତରେ ଅଟୋ ପ୍ରଦାନକାରୀ ସଂସ୍ଥାର ମାଲିକ, ଆର୍‌ଏମ୍‌ସିର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କଲେ। କିନ୍ତୁ କେହି ଏମାନଙ୍କ କଥା ଶୁଣିଲେ ନାହିଁ। ସମସ୍ତେ ଆଜି କାଲି କହି ଦିନ ପରେ ଦିନ ଗଡ଼ାଇ ଚାଲିଲେ। ମରାମତିକୁ ଆଦୌ ଧ୍ୟାନ ବି ଦେଲେନି। ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଓ ପ୍ରଶାସନର ଅବହେଳା ଯୋଗୁଁ ଏହି ସେବା ଏବେ ବନ୍ଦ ହେବାକୁ ଯାଉଛି। ଯେଉଁ ୨୧ଟି ଅଟୋ ଯୋଗାଇ ଦିଆଯାଇଥିଲା, ସେଥିରୁ ମାତ୍ର ୩/୪ଟି ସହରରେ କାଁ ଭାଁ ଗଡୁଛି। ଅନ୍ୟସବୁ ଅଟୋ ମହିଳାଙ୍କ ଘର ଆଗରେ ଓ ଗ୍ୟାରେଜ୍‌ରେ ପଡି ଖତ ଖାଉଛି। ଅନ୍ୟପଟେ ଅଟୋସବୁ ଖରାପ ହୋଇ ପଡିଥିବାରୁ ମହିଳାମାନେ ଋଣ କିପରି ପରିଶୋଧ କରିବେ ଚିନ୍ତାରେ ପଡିଛନ୍ତି।

The post ରାଉରକେଲା: ଖତ ଖାଉଛି ପିଙ୍କ୍ ଅଟୋ first appeared on Sambad.

from ଜିଲ୍ଲା | Sambad https://ift.tt/2PUieGO