ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ପୁଲିସ-ନକ୍ସଲ ଗୁଳିବିନିମୟ ହୋଇଛି। ଏଥର ଦନ୍ତେୱାଡ଼ା ଜିଲ୍ଲା ଅନ୍ତର୍ଗତ ନିଲାବାୟା ଜଙ୍ଗଲରେ ମୁହାଁମୁହିଁ ହୋଇଥିବାବେଳେ ଜଣେ ହାର୍ଡକୋର ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ସେହିପରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଦୁର୍ଦ୍ଦାନ୍ତ ନକ୍ସଲ ଜି. ଜଳନ୍ଧର ରେଡ୍ଡୀ ଓରଫ କ୍ରୀଷ୍ଣା ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି।

ସୂଚନା ଅନୁଯାୟୀ, ନକ୍ସଲଙ୍କ କ୍ୟାମ୍ପ ଚାଲିଥିବା ନେଇ ଦନ୍ତେୱାଡ଼ା ଜିଲ୍ଲା ପୁଲିସକୁ ଖବର ମିଳିଥିଲା। ଏହାପରେ ପୁଲିସ ଏବଂ ଡିଆର୍‌ଜି ଯବାନଙ୍କୁ ନେଇ ଗଠିତ ଟିମ୍ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଯବାନମାନେ କ୍ୟାମ୍ପର ନିକଟତର ହେବାବେଳକୁ ନକ୍ସଲମାନେ ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଥିଲେ, ଯାହାର ପାଲଟା ଜବାବ ଦେଇଥିଲେ ଯବାନ। ବହୁ ସମୟ ଧରି ଉଭୟ ପଟୁ ଗୁଳି ବିନିମୟ ହେବାପରେ ଶେଷରେ ଛତ୍ରଭଙ୍ଗ ଦେଇଥିଲେ ନକ୍ସଲ। ଘଟଣାସ୍ଥଳରେ ଯାଞ୍ଚ ସମୟରେ ଗୋଟିଏ ମୃତଦେହ ମିଳିଥିଲା। ଚିହ୍ନଟ ପ୍ରକ୍ରିୟା ପରେ ନିହତ ନକ୍ସଲ ଜଣକ ମିଲିଙ୍ଗିର ଏରିଆ କମିଟି କମାଣ୍ଡର କୋସା ବୋଲି ଜଣାପଡ଼ିଥିଲା। ଏହି କୁଖ୍ୟାତ ନକ୍ସଲର ମୁଣ୍ଡ ପାଇଁ ସରକାର ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ଅନ୍ୟପକ୍ଷରେ, ଆତ୍ମସମର୍ପଣ କରିଥିବା କ୍ରୀଷ୍ଣା ଦୀର୍ଘବର୍ଷ ଧରି ଆନ୍ଧ୍ର-ଓଡ଼ିଶା ବର୍ଡର ଡିଭିଜନ୍‌ରେ କାମ କରୁଥିଲା। ତେବେ ମାଲକାନଗିରି ପୁଲିସ ଏବଂ ବିଏସ୍‌ଏଫ୍‌ ସହ ଆନ୍ଧ୍ର ପୁଲିସର ଘନଘନ ଚଢ଼ଉ ଯୋଗୁ କ୍ରୀଷ୍ଣା ଏକ ପ୍ରକାର ଭୟଭୀତ ତଥା ଅସହାୟ ହୋଇପଡ଼ିଥିଲା। ତେଣୁ ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା କୁହାଯାଉଛି।

ଉଲ୍ଲେଖଯୋଗ୍ୟ ଯେ, କ୍ରୀଷ୍ଣାକୁ ଧରିବା ପାଇଁ ଆନ୍ଧ୍ର, ଓଡ଼ିଶା ଏବଂ ତେଲେଙ୍ଗାନା ପୁଲିସ ପକ୍ଷରୁ ଜୋରଦାର ଉଦ୍ୟମ ହୋଇଥିଲା। ଉପରୋକ୍ତ ତିନି ରାଜ୍ୟରେ ସେ ବହୁ ହିଂସାରେ ଜଡ଼ିତ ଥିବା ପୁଲିସ କହିଛି। ଏଥିପାଇଁ ତିନି ରାଜ୍ୟର ସରକାର ମୋଟ ୩୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ଭିନୀଲ କ୍ରୀଷ୍ଣାଙ୍କ ଅପହରଣରେ ମଧ୍ୟ ସେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା।

The post ଦୁର୍ଦ୍ଧର୍ଷ ନକ୍ସଲଙ୍କ ଆତ୍ମସମର୍ପଣ, ଅନ୍ୟ ଜଣେ ନିହତ first appeared on Sambad.

from ଜିଲ୍ଲା | Sambad https://ift.tt/3xed4Xx