କେନ୍ଦୁଝର : ଗଛ ଲାଗିଥିଲା ୩୦‌ ହଜାରଟି, କିନ୍ତୁ ୩୦ଟି ବି ଗଛ ନାହିଁ। ସଂରକ୍ଷିତ ଜଙ୍ଗଲରେ ଥିବା ଖାଲି ସ୍ଥାନରେ ଘଞ୍ଚ ଜଙ୍ଗଲ ସୃଷ୍ଟି ହେବା ସହିତ ସ୍ଥାନୀୟ ଲୋକଙ୍କୁ ମନରେଗା ଯୋଜନାରେ ନିଯୁକ୍ତି ସୁଯୋଗ ଯୋଗାଇ ଦିଆଯିବାର ଉଦ୍ଦେଶ୍ୟ ଥିଲା। କିନ୍ତୁ ଏହି ବୃକ୍ଷରୋପଣରେ ଆରମ୍ଭରୁ ଏମିତି ଅନିୟମିତତା କରାଯାଇଛି ଯେ ଏବେ ଖୋଜିଲା ବେଳେ ଗଛର ଚିହ୍ନବର୍ଣ୍ଣ ନାହିଁ। କେନ୍ଦୁଝର ରେଞ୍ଜ ଅନ୍ତର୍ଗତ ବେଲଦ‌ା ସଂରକ୍ଷିତ ଜଙ୍ଗଲର ଭାଲୁଘର ଅଞ୍ଚଳରେ ଏଭଳି ଅବସ୍ଥା ଦେଖିବାକୁ ମିଳିଛି।

କେନ୍ଦୁଝର ରେଞ୍ଜ ଅନ୍ତର୍ଗତ ବେଲଦା ସଂରକ୍ଷିତ ଜଙ୍ଗଲରେ ୨୦୧୬-୧୭ ମସିହାରେ ଏଏନ୍‌ଆର(ଆଡେଡ୍‌ ନାଚୁରାଲ ରିଜେନେରେସନ) ବ୍ୟବସ୍ଥାରେ ‌୧୫୦ ହେକ୍ଟର ବୃକ୍ଷରୋପଣ ହୋଇଥିଲା। ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତର ଭାଳୁଘର ଗାଁ ନିକଟ ଜଙ୍ଗଲରେ ଏହି ଗଛ ଲାଗିଥିଲା। ହେକ୍ଟର ପିଛା ୨୦୦ ଗଛ ଲାଗିଥିଲା। ମୋଟ ‌୧୫୦ ହେକ୍ଟର ଜଙ୍ଗଲ ଜମିରେ ମୋଟ ୩୦ ହଜାର ଗଛ ଲାଗିଥିଲା। ଦୁର୍ଭାଗ୍ୟର ବିଷୟ ହେଉଛି, ଏଠା‌ରେ ଏବେ ଗୋଟିଏ ବି ଗଛ ନାହିଁ। ଏଠାରେ କେବଳ ଶାଗୁଆନ ଗଛ ଲାଗିଥିଲା। ଆରମ୍ଭରୁ କାଗଜପତ୍ରରେ ‌୧୫୦ ହେକ୍ଟର ଜମିରେ ଗଛ ଲାଗିଥିଲା ବୋଲି ଦର୍ଶାଯାଇଥିଲେ ‌ହେଁ, ଜଙ୍ଗଲର ଅଳ୍ପ କିଛି ଅଞ୍ଚଳରେ ଗଛ ଲଗାଇ କାମ ସାରି ଦେଇଥିଲା ବନ ବିଭାଗ। ‌ତେବେ ଯେଉଁ ଅଳ୍ପ କିଛି ଗଛ ଲାଗିଥିଲା ମାତ୍ର ତିନି ବର୍ଷ ମଧ୍ୟରେ ସେଥିରୁ ଗୋଟିଏ ବି ଗଛ ନାହିଁ।

ଏକ ହିସାବ ଅନୁସାରେ, ଏଏନ୍‌ଆର(ଆଡେଡ୍‌ ନାଚୁରାଲ ରିଜେନେରେସନ) ବ୍ୟବସ୍ଥାରେ ‌ମନରେଗା ଯୋଜନାରେ ବୃକ୍ଷରୋପଣ ହେଉଥିବାରୁ ହେକ୍ଟର ପିଛା ୭୯ଟି ମଜୁରି ଲାଗିଥାଏ। ସାମଗ୍ରୀ ଖର୍ଚ୍ଚ ବାବାଦରେ ଖର୍ଚ୍ଚ ୧୨ଶହ ଟଙ୍କା। ୨୦୧୬-୧୭ ମସିହାରେ ଓଡ଼ିଶାରେ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ମଜୁରି ଥିଲା ୧୭୪ ଟଙ୍କା। ସେହି ଅନୁସାରେ, ପ୍ରତି ହେକ୍ଟର ପିଛା ୧୩, ୭୪୬ ଟଙ୍କା ଖର୍ଚ୍ଚ ହେଉଥିବାରୁ ମୋଟ ୧୫୦ ହେକ୍ଟର ପାଇଁ ମଜୁରି ବାବଦରେ ୨୦ ଲକ୍ଷ ୬୧ ହଜାର ୯୦୦ ଟଙ୍କା ଖର୍ଚ୍ଚ ହୋଇଥିଲା। ସେହିପରି ସାମଗ୍ରୀ ଖର୍ଚ୍ଚ ବାବଦରେ ମୋଟ ୧ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ମୋଟାମୋଟି ଭାବେ ୧୫୦ ହେକ୍ଟର ଜମିରେ ବୃକ୍ଷରୋପଣ ପାଇଁ ୨ଲକ୍ଷ ୪୧ ହଜାର ୯୦୦ ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନ କରାଯାଉଛି। ମାତ୍ର ବିଡ଼ମ୍ବନାର ବିଷୟ ହେଉଛି, ଏହି ୧୫୦ ହେକ୍ଟର ଜମିରେ ୩୦ ହଜାର ଗଛ ଲାଗିଥିଲେ ବି ଗୋଟିଏ ବି ଗଛ ନାହିଁ।

ଭାଲୁଘର ଗ୍ରାମର ରବୀନ୍ଦ୍ର ବାନ୍‌ରା କୁହନ୍ତି, ବନ ବିଭାଗ ପକ୍ଷରୁ ଏଠାରେ ଆରମ୍ଭରୁ ମନଇଚ୍ଛା ଗଛ ଲଗାଯାଇଥିଲା। ନିୟମ ଅନୁସାରେ, ଗଛ ଲଗାଠୁ ଆରମ୍ଭ କରି ପାଣି ଦେବା, ସାର ଦେବା ଆଦି କରାଯାଇ ନାହିଁ। ଏଭଳି ସ୍ଥିତିରେ ଗଛ କିଭଳି ବଞ୍ଚିବ ବୋଲି ସେ ପ୍ରଶ୍ନ କରିଛନ୍ତି। କେବଳ ଲୁଟ୍‌ କରିବା ଉଦ୍ଦେଶ୍ୟରେ ଗଛ ଲଗାଯାଇଥିଲା ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବୃକ୍ଷରୋପଣ ନାମରେ ବ୍ୟାପକ କେଳେଙ୍କାରୀ କରାଯାଇଛି। ଏଥିନେଇ ଦୁଇ ଦିନ ତଳେ ସମ୍ବାଦରେ ‘ଜଙ୍ଗଲୀ ରାସ୍ତାରେ ଗଛ ପୋତି ଚଳୁ’ ଶୀର୍ଷକରେ ଏକ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇଥିଲା। ଏଥିରେ ନେଲୁଙ୍ଗ ସଂରକ୍ଷିତ ଜଙ୍ଗଲ ମଝି ଦେଇ ଯାଇଥିବା ଚକ ନୂଆସାହିଠାରୁ ବାସୁଦେବପୁର ରାସ୍ତା କଡ଼ରେ ୮ କିଲୋମିଟର ଗଛ ଲଗାଯାଇଛି ବୋଲି ଦର୍ଶାଯାଇଥିଲେ ବି ବାସ୍ତବରେ ସେଠାରେ ଗୋଟିଏ ବି ଗଛ ନାହିଁ। ବର୍ତ୍ତମାନ ବେଲଦା ସଂରକ୍ଷିତ ଜଂଗଲର ଗଛ ଲଗା ଦୁର୍ନୀତିି ପଦାକୁ ଆସିଛି। ଉଚ୍ଚସ୍ତରୀୟ ତଦନ୍ତ ହେଲା ବନୀକରଣ ଆଳରେ କିଭଳି ଲକ୍ଷଲକ୍ଷ ଟଙ୍କା ହଡ଼ପ ହେଉଛି ତାହା ପଦାକୁ ଆସିପାରନ୍ତା।

The post ବନୀକରଣ ଦୁର୍ନୀତି : ୩୦‌ ହଜାର ଗଛ ଲାଗିଥିଲା, ୩୦ଟି ନାହିଁ first appeared on Sambad.

from ଜିଲ୍ଲା | Sambad https://ift.tt/2RrhQQY