କଟକ : ରବିବାର ବା ଛୁଟିଦିନରେ ଆଡଟ୍‌ଡୋର,ପାଥୋଲୋଜି ଓ ରେଡିଓଲୋଜି ପରୀକ୍ଷା ବନ୍ଦ। ଅପରାହ୍‌ଣ ୫ଟା ପରେ ବି କୌଣସି ପରୀକ୍ଷା ହୁଏନି। ଗୁରୁତର ଅବସ୍ଥାରେ ରୋଗୀ ଯଦି ଏହି ସମୟରେ ପହଞ୍ଚେ ଅଥବା ରାତିରେ ହସ୍ପିଟାଲ୍‌ରେ ଭର୍ତ୍ତି ହୁଏ ତାହେଲେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହୁଏ। ଏଭଳି ମାଗଣା ବ୍ୟବସ୍ଥାର ଦୟନୀୟ ଚିତ୍ର ଦେଖିବାକୁ ମିଳିଛି ରାଜ୍ୟର ଏକମାତ୍ର ସରକାରୀ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ।

ସୂଚନା ଅନୁସାରେ, କର୍କଟ ରୋଗୀଙ୍କ ଆଶା ଭରସ‌ାର ହେଉଛି କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର। ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ରୋଗୀ ଏଠାକୁ ପ୍ରତିଦିନ ଆସନ୍ତି ଚିକିତ୍ସା ପାଇଁ। କର୍କଟ ରୋଗ ଏକ ବ୍ୟୟବହୁଳ ଚିକିତ୍ସା ହୋଇଥିବା ବେଳେ ଏଠାରେ ମାଗଣା ବ୍ୟବସ୍ଥା ପରେ ରୋଗୀଙ୍କ ସଂଖ୍ୟା ବଢିଛି। କର୍କଟ କେନ୍ଦ୍ରରେ ୨୮୩ ବେଡ୍‌ ଥିବାବେଳେ ତାହା ରୋଗୀଙ୍କ ପାଇଁ ଯଥେଷ୍ଟ ହେଉନି। ଫଳରେ ଏସ୍‌ସିବି ସହ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ନବକଳେବର ‌ଯୋଜନା କରାଯାଇଛି। ବେଡ୍‌ ସଂଖ୍ୟା ୫ଶହକୁ ବୃଦ୍ଧି କରାଯିବା ସହ ଆଇସିୟୁ ବ୍ୟବସ୍ଥା ମଧ୍ୟ କରାଯିବାର ଯୋଜନା ରହିଛି। କିନ୍ତୁ ବର୍ଷବର୍ଷର ଅନୁଷ୍ଠାନ ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ସୁଧୁରି ପାରୁନି ଏହାର ବ୍ୟବସ୍ଥା। କାରଣ ଏଠି ରବିବାର ପାଥୋଲୋଜି, ରେଡିଓଲୋଜି ବିଭାଗ ସଂପୂର୍ଣ୍ଣ ବନ୍ଦ। ଛୁଟିରେ ଗୋଟିଏ ବେଳୋ ଖୋଲା (ହାଫ୍‌ ଡେ)। ଫଳରେ ଏକ୍ସ୍‌-ରେ, ଅଲଟ୍ରାସାଉଣ୍ଡ, ବାୟୋପ୍‌ସି ଭଳି ଅନେକ ପରୀକ୍ଷା ବନ୍ଦ। ଏପରିକି ରବିବାର ଆଡଟ୍‌ଡୋର ମଧ୍ୟ ବନ୍ଦ ରହୁଥିବା ବେଳେ ବିକଳ୍ପ ଭାବେ ‌ଜରୁରୀ ବିଭାଗରେ ରୋଗୀଙ୍କ ଚିକିତ୍ସା ଚାଲେ। ରାଜ୍ୟର ଅନ୍ୟତମ ବୃହତ୍‌ କର୍କଟ ରୋଗ ପ୍ରତିଷ୍ଠାନରେ ଏଭଳି ହାଫ୍‌ ଡେ ଓ ରବିବାର ଛୁଟିଦିନରେ ପରୀକ୍ଷା ସବୁ ବନ୍ଦ ଯୋଗୁଁ ରୋଗୀ ବହୁ ଅସୁବିଧା ଭୋଗୁଛନ୍ତି। ବାହାର ରିପୋର୍ଟକୁ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଡାକ୍ତର ଗ୍ରହଣ କରୁ ନାହାନ୍ତି। କେନ୍ଦ୍ରରେ ବାୟୋପ୍‌ସି ପରୀକ୍ଷା ଓ ଅନ୍ୟାନ୍ୟ ରିପୋର୍ଟ ସବୁ ବିଳମ୍ବରେ ଆସୁଥିବାରୁ ପରୀକ୍ଷା ପାଇଁ ଦିନ ଦିନ ଧରି ରୋଗୀଙ୍କୁ ଅପେକ୍ଷା କରିବାକୁ ପଡୁଛି। ୪ବର୍ଷ ହେଲା ଜଣେ ରେଡିଓଲୋଜିଷ୍ଟ ଭରସାରେ କେନ୍ଦ୍ର ଚାଲୁଛି। ଅଧିକ ରେଡିଓଲୋଜିଷ୍ଟ ଦେବା ପାଇଁ ଚିଠି ଲେଖାଯାଉଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି କୌଣସି ଗୁରୁତ୍ବ ଦେଉନି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଛୁଟିଦିନରେ ବନ୍ଦ ରହୁଥିବା ପରୀକ୍ଷା ବ୍ୟବସ୍ଥାକୁ ୨୪/୭ କରାଗଲେ ରୋଗୀ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରନ୍ତେ। ଏଥି ସହ ବାୟୋପ୍‌ସି ପରୀକ୍ଷା ବ୍ୟବସ୍ଥାରେ ମଧ୍ୟ ରିପୋର୍ଟ ନେଇ ଯେଉଁ ବିଳମ୍ବ ହେଉଛି ତା ପ୍ରତି ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି।

The post ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ବିକଳ ସ୍ଥିତି : ‌ଛୁଟିଦିନରେ ପରୀକ୍ଷା ଓ ଆଉଟ୍‌ଡୋର୍‌ ବନ୍ଦ, ଭଗବାନଙ୍କ ଭରସାରେ କର୍କଟ ରୋଗୀ! first appeared on Sambad.

from ଜିଲ୍ଲା | Sambad https://ift.tt/31P0jUN