କଟକ : ୨୦୧୬ରେ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁର କେଳାସାହିରେ ନିଆଁରେ ପୋଡି ହୋଇ ପ୍ରାଣ ହରାଇଥିବା ଦୁଇ ଶିଶୁ କନ୍ୟାଙ୍କ ପରିବାରକୁ ଖୁବ୍ ଶୀଘ୍ର ୮ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସାହାୟତା ରାଶି ପ୍ରଦାନ କରାଯିବ। ଘଟଣା ସଂପର୍କିରେ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ମାମଲା ରୁଜୁ ହେବାର ୫ ବର୍ଷ ପରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ତଥ୍ୟ ଦାଖଲ କରାଯାଇଛି।

୨୦୧୬ ଏପ୍ରିଲ ୭ ରାତିରେ ହରିରାଜପୂର୍ କେଳାସାହିର ଲକ୍ଷ୍ମୀ ଦାସ ତାଙ୍କ ଦୁଇ ଶିଶୁକନ୍ୟାଙ୍କ ସହିତ ଘରେ ଶୋଇଥିବା ବେଳେ ଅଗ୍ନିକାଣ୍ଡ ହୋଇଥିଲା। ନିଆଁରେ ପୋଡ଼ି ହୋଇ ଶିଶୁ କନ୍ୟା ସୁଭଦ୍ରା(୮ବର୍ଷ) ଓ ବଉଳ(୫ବର୍ଷ)ଙ୍କ ମୃତ୍ୟୁ ହୋଇଥିଲା। ଆଇନଜୀବୀ ତଥା ସାମାଜିକ କର୍ମୀ ନିଶିକାନ୍ତ ମିଶ୍ର ପୀଡିତ ପରିବାରକୁ ସରକାରୀ ସହାୟତା ସହିତ ମୃତ ଶିଶୁ କନ୍ୟାଙ୍କ ମୃତ୍ୟୁ ପାଇଁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପ୍ରସଂଗ ନେଇ ମାନବାଧିକାର କମିସନଙ୍କ ନିକଟରେ ଆବେଦନ କରିଥିଲେ। ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ କମିସନ୍। ପୁରୀ ଜିଲ୍ଲାପାଳଙ୍କ ପକ୍ଷରୁ କମିସନଙ୍କ ନିକଟରେ ଦାଖଲ ତଥ୍ୟରେ ଉଲ୍ଲେଖ କରାଯାଇଛି ଯେ ଅନୁକମ୍ପାମୂଳକ ସହାୟତା ରାଶି ୮ ଲକ୍ଷ ଟଙ୍କା ମୃତ ଶିଶୁଙ୍କ ନିକଟ ସଂପର୍କୀୟଙ୍କୁ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି।

The post ପୋଡ଼ିହୋଇ ୨ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟଣା: ଖୁବ୍ ଶୀଘ୍ର ୮ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ first appeared on Sambad.

from ଜିଲ୍ଲା | Sambad https://ift.tt/3gJoi02