
ବ୍ରହ୍ମପୁର: ଘଞ୍ଚ ଜଙ୍ଗଲରେ ରହୁଥିବା ଅହିରାଜ ଏବେ ଜନବସତି ମୁହାଁ। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ବୁରୁଝରି ଗ୍ରାମର ଧନୀ ମହାନ୍ତିଙ୍କ ଘରୁ ଗତ ୩୦ତାରିଖରେ ୧୦ଫୁଟର ଅହିରାଜ ଉଦ୍ଧାର ହୋଇଥିଲା। ଆଉ ଜିଲ୍ଲାର ପାତ୍ରପୁର ବ୍ଲକ ଅଞ୍ଚଳର ଗତ ଦୁଇ ବର୍ଷ ମଧ୍ୟରେ ୧୪ଟି ଅହିରାଜ ଉଦ୍ଧାର ହୋଇଛନ୍ତି। ଅହିରାଜ ଜନବସତି ମୁହାଁ ହୋଇ ବେଳେ ବେଳେ ବିପଦରେ ପଡ଼ୁଥିବା ଦେଖିବାକୁ ମିଳୁଛି। ତେବେ ଘଞ୍ଚ ଜଙ୍ଗଲରେ ରହୁଥିବା ଅହିରାଜ କାହିଁକି ଜନବସତି ଆଡ଼କୁ ମୁହାଁଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ଏ ସଂକ୍ରାନ୍ତରେ ଅନୁଧ୍ୟାନ କରାଯିବା ଜରୁରୀ ହୋଇପଡ଼ିଛି।
ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଜବଲପୁର ଶାଖାର ବୈଜ୍ଞାନିକ ଡ. ପ୍ରତ୍ୟୁଷ ମହାପାତ୍ର କହନ୍ତି, ଅହିରାଜର ଇଂରାଜୀ ନାମ କିଙ୍ଗ୍ କୋବ୍ରା ଏବଂ ଜୁଲୋଜିକାଲ ନାମ ‘ଓଫିଓଫାଗସ୍ ହାନ୍ନାହ’ । ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଅନୁଯାୟୀ, ଏହି ସାପ ସିଡ୍ୟୁଲ-୨(୨) ଶ୍ରେଣୀର ଅନ୍ତର୍ଗୁକ୍ତ। ଏହାକୁ ଧରିବା, ପାଳନ ଓ ଶିକାର ଆଦି ଧର୍ତ୍ତବ୍ୟ ଅପରାଧ। ଅହିରାଜ ସାଧାରଣତଃ ଘଞ୍ଚ ଜଙ୍ଗଲରେ ରହିଥାଏ। ଏହିମାନେ ପଶ୍ଚିମ ଓଡ଼ିଶା ବ୍ୟତୀତ ଓଡ଼ିଶାର ପୂର୍ବଭାରତ ପର୍ବତମାଳା, ହେନ୍ତାଳବଣ, ନୟାଗଡ଼, ଗଞ୍ଜାମ, ଭିତରକନିକା ଆଦି ଅଞ୍ଚଳରେ ଅଧିକ ଦେଖାଯାଆନ୍ତି। ଅହିରାଜ ସର୍ବାଧିକ ୧୯ଫୁଟ ପର୍ଯ୍ୟନ୍ତ ଲମ୍ବ ହୋଇଥାଏ। କିନ୍ତୁ ଓଡ଼ିଶାରୁ ଏପର୍ଯ୍ୟନ୍ତ ୧୭ଫୁଟ ପର୍ଯ୍ୟନ୍ତ ଲମ୍ବ ଅହିରାଜ ଉଦ୍ଧାର ହେବା ନଜିର ରହିଛି। ଦୁଇଟି ଅଣ୍ଡିରା ଅହିରାଜ ମଧ୍ୟରେ ଲଢେଇ ହେଲେ ହାରୁଥିବା ସାପଟି ଉକ୍ତ ଜଙ୍ଗଲ ଛାଡ଼ି ଅନ୍ୟତ୍ର ଅର୍ଥାତ ସେଠାରୁ ଅନ୍ୟୁନ ୨କିମି ଦୂରକୁ ପଳାଇ ଯାଇଥାଏ। ତେଣୁ ଜନବସତି ଅଞ୍ଚଳରୁ ସାଧାରଣତଃ ଅଣ୍ଡିରା ଅହିରାଜ ମାନେ ଉଦ୍ଧାର ହୋଇଥାନ୍ତି ବୋଲି ବୈଜ୍ଞାନିକ ଡ.ମହାପାତ୍ର ସୂଚନା ଦେଇଛନ୍ତି।
ଏ ସମ୍ପର୍କରେ ବ୍ରହ୍ମପୁର ବନଖଣ୍ଡ ଡିଏଫ୍ଓ ଅମ୍ଳାନ କୁମାର ନାୟକ କହିଛନ୍ତି, ଜନବସତିରୁ ଏତେ ସଂଖ୍ୟକ ଅହିରାଜ କାହିଁକି ଉଦ୍ଧାର ହେଉଛନ୍ତି ଏହାର ଉପରେ ଅନୁଧ୍ୟାନ ହେବା ଆବଶ୍ୟକ। ଜୁଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ ସହଯୋଗରେ ଏହା ଉପରେ ଅନୁଧ୍ୟାନ କରିବାକୁ ରାଜ୍ୟ ବନ୍ୟପ୍ରାଣୀ ତତ୍ତ୍ବାବଧାରକଙ୍କୁ ଚିଠି ଲେଖି ଅନୁରୋଧ କରିବି।
The post ଜନବସତିମୁହଁା ଅହିରାଜ, ୨ ବର୍ଷରେ ପାତ୍ରପୁର ଅଞ୍ଚଳରୁ ଉଦ୍ଧାର ହେଲେଣି ୧୪ first appeared on Sambad.from ଜିଲ୍ଲା | Sambad https://ift.tt/3fIkqMy
0 Comments