ହରଭଙ୍ଗା : ହରଭଙ୍ଗା ବ୍ଲକର ସଦର ମହକୁମା ସ୍ଥିତ ବାଣୀଭୂଷଣପୁର ପଞ୍ଚାୟତର ଝାଡରାଜିଙ୍ଗ, କାର୍ଗିଲ ସାହି, ବାଣୀଭୂଷଣପୁର ଗ୍ରାମର ପ୍ରାୟ  ୪ଶହରୁ ଅଧିକ ପରିବାର ଆଜକୁ ପ୍ରାୟ ୭ଦିନ ହେବ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି। କିଡ୍‌ନି ପ୍ରଭାବିତ ବସତି ଭାବେ ଜଣାଶୁଣା ଏହି ୩ଟି ସାହିର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଗତ ୨୦୧୯/୨୦ ଆର୍ଥିକ ବର୍ଷରେ ପ୍ରାୟ ୮୦ଲକ୍ଷ ଟଙ୍କା ବ୍ୟୟରେ ଓଭରହେଡ୍‌ ପାନୀୟ ଜଳ ପ୍ରକଳ୍ପ ନିର୍ମିତ ହୋଇଥିଲା। ଗତ ଅକ୍ଟୋବର ମାସରେ ଏହା ସମ୍ପୂର୍ଣ୍ଣ ହେବା ପରେ ଜଳ ଯୋଗାଣ କାର୍ଯ୍ୟକାରୀ ହୋଇଥିଲା। ମାତ୍ର ତ୍ରୁଟିପୂର୍ଣ୍ଣ ନିର୍ମାଣ ଓ ନିମ୍ନମାନର କାମହେବା ଯୋଗୁଁ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ୬ମାସ ମଧ୍ୟରେ  ୩ ଥର ଜଳ ଯୋଗାଣ ବ୍ୟାହତ ହେଲାଣି। ଫଳରେ ଲୋକେ ଅକଥନୀୟ ସମସ୍ୟାର ସମ୍ମୁଖିନ ହୋଇଛନ୍ତି।

କିଛି ଦିନ ତଳେ ଏହାର ମରାମତି ପରେ ପୁନଃ ଜଳ ଯୋଗାଣ କରାଯାଇ ଆସୁଥିଲା। ହେଲେ ଗତ ୭ଦିନ ତଳେ ଏହି ନବନିର୍ମିତ ପାନୀୟ ଜଳ ପ୍ରକଳ୍ପରୁ ଜଳଯୋଗାଣ ଠପ୍‌ ହୋଇଯାଇଛି। ସ୍ଥାନୀୟ ଲୋକେ ୱାର୍ଡମେମ୍ବରଙ୍କ ଠାରୁ ଆରମ୍ଭ କରି ସରପଞ୍ଚ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଲୋକେ ଶୋଷ ମେଣ୍ଟାଇବା ପାଇଁ ବାଧ୍ୟ ହୋଇ ପୂର୍ବରୁ ଆରଡବ୍ଲୁ ଏସଏସ ବିଭାଗ ଦ୍ୱାରା ରିଜେକ୍ଟ ଘୋଷଣା କରାଯାଇଥିବା ନଳକୂପ ଗୁଡିକରେ ବାହାରୁ ଫ୍ଲୋରାଇଡ ମିଶ୍ରିତ ପାଣି ବ୍ୟବହାର କରୁଥିବା ଅଭିଯୋଗ ହେଉଛି।

ସାମ୍ପ୍ରତିକ ସମୟରେ ଗୋଟିଏ ପଟେ ଲୋକେ ଗ୍ରୀଷ୍ମପ୍ରବାହ ଜନିତ ସ୍ଥିତିକୁ ମୁକାବିଲା କରିବା ସହିତ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସଂଘର୍ଷ କରୁଥିବା ବେଳେ ଏଭଳି ସମୟରେ ଦୀର୍ଘ ୭ଦିନ ହେଲା ପାଇପ ପାନୀୟ ଜଳଯୋଗାଣରୁ ବଞ୍ଚିତ ହେବା ଘଟଣା ଦୁଃଖଦାୟକ ବୋଲି ସ୍ଥାନୀୟ ଲୋକେ କରିଛନ୍ତି। ଏ ନେଇ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ଯଦି ସେଭଳି ଅସୁବିଧା ହୋଇଛି ମୋତେ କେହି ଜାଣିନାହାନ୍ତି। କାଲି ସେମାନେ ଆସି କଂପ୍ଲେନ ରିପୋର୍ଟ ଦେଲେ ତୁରନ୍ତ ବିହୀତ ପଦକ୍ଷେପ ନିଆଯିବ ବୋଲି ସେ କହିଥିଲେ।

The post ନବ ନିର୍ମିତ ପ୍ରକଳ୍ପ ଅଚଳ, ପାନୀୟ ଜଳ ପାଇଁ ଲୋକେ ଡହକବିକଳ first appeared on Sambad.

from ଜିଲ୍ଲା | Sambad https://ift.tt/3ebUyq2