
ରାସଗୋବିନ୍ଦପୁର/ମାଣିଦା : ଗତବର୍ଷ ଠାରୁ ଆହୁରି ମାରାତ୍ମକ ରୂପ ଧାରଣ କରୁଛି କରୋନାର ନୂଆ ଷ୍ଟ୍ରେନ୍। ଦ୍ୱିତୀୟ ଲହରର ଭୟାବହତା ଯୋଗୁ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି ସରକାର। ଏଥିସହ ମାଟ୍ରିକ୍ ପରୀକ୍ଷାକୁ ବି ବାତିଲ କରି ଦେଇଛି ବୋର୍ଡ। ହେଲେ ସବୁ କଟକଣାକୁ ଫୁ କରି ପିଲାଙ୍କୁ ଶ୍ରେଣୀଗୃହରେ ବସାଇ ପରୀକ୍ଷା ଦିଆ କରାଇଛନ୍ତି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍ ଅନ୍ତର୍ଗତ ପାଇକସାହି ଗ୍ରାମର ଶ୍ରୀଚୈତନ୍ୟ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ କର୍ତ୍ତୃପକ୍ଷ। ଏଠାରେ ପ୍ରଧାନଶିକ୍ଷକ ରାମହରି ପ୍ରାମାଣିକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଡାକି ପରୀକ୍ଷା କରୁଥିବା ଖବର ଜଣା ପଡ଼ିବା ପରେ ଉତ୍ତେଜନା ଦେଖା ଦେଇଥିଲା।
ଶ୍ରୀ ପ୍ରାମାଣିକଙ୍କ କହିବା କଥା ଯେ ଜିଲ୍ଲା ଶିକ୍ଷାଧିକାରୀ କୁଆଡ଼େ ସବୁ ସ୍କୁଲକୁ ଚିଠି କରିଛନ୍ତି ଯେ ଆସନ୍ତା ସୋମବାର ସୁଦ୍ଧା ମାଟ୍ରିକ୍ ଛାତ୍ରଛାତ୍ରୀଙ୍କ ପୂର୍ବରୁ ହୋଇଥିବା ୪ଟି ପ୍ରାକ୍ଟିସ ପରୀକ୍ଷା ରିପୋର୍ଟ ପ୍ରଦାନ କରିବାକୁ ପଡ଼ିବ। ଏହି ପରୀକ୍ଷା ଗତ ମାସରେ ସରିବା କଥା। ହେଲେ ତାଙ୍କ ସ୍କୁଲରେ ଗୋଟିଏ ବିଷୟର ପରୀକ୍ଷା ରହିଯାଇଥିଲା। ଏପଟେ ପରୀକ୍ଷା ରିପୋର୍ଟ ଦେବାକୁ ଚାପ ପଡ଼ିବାରୁ କଟକଣା ଭାଙ୍ଗି ପିଲାଙ୍କୁ ପରୀକ୍ଷା ଦେବାକୁ ସେ ଡାକିଥିଲେ। ଏହା ଜଣାପଡ଼ିବା ପରେ କିଛି ଅଭିଭାବକ ଏହାର ପ୍ରତିବାଦ କରିଥିଲେ ଓ ଉତ୍ତେଜନା ଦେଖା ଦେବାରୁ ପରୀକ୍ଷା ବନ୍ଦ କରି ଦେଇଥିଲେ ପ୍ରଧାନଶିକ୍ଷକ। ଏ ବାବଦରେ ରାସଗୋବିନ୍ଦପୁର ବ୍ଲକ୍ ଶିକ୍ଷାଧିକାରୀ ରାଜେଶ ପ୍ରଧାନଙ୍କୁ ପଚାରିବାରୁ ସେ ନିୟମ ଉଲଂଘନ କରି ପରୀକ୍ଷା ହେଉଥିବାର ଖବର ପାଇଛନ୍ତି ଓ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ୍ ମଗାଯାଇଛି। ଉତ୍ତର ମିଳିବା ପରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବିଇଓ।
The post ପିଲାମାନଙ୍କ ଜୀବନ ସହିତ ଖେଳ: ମହାମାରୀ ଭିତରେ ପରୀକ୍ଷା ଦେଲେ ପିଲା first appeared on Sambad.from ଜିଲ୍ଲା | Sambad https://ift.tt/3viAtFu
0 Comments