ଡାବୁଗାଁ : ତେଲେଙ୍ଗାନାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା‌ରେ ଯେଉଁ ୭ ଜଣଙ୍କ ପ୍ରାଣହାନି ଘଟିଛି, ସେମାନଙ୍କ ମଧ୍ୟରୁ ୬ ଜଣ ଓଡ଼ିଶାର ବୋଲି ଜଣାପଡ଼ିଛି। ଓଡ଼ିଶାର ୬ ମୃତକଙ୍କ ମଧ୍ୟରୁ ୩ ଜଣଙ୍କ ଘର ବଲାଙ୍ଗୀର ହୋଇଥିବାବେଳେ ଅନ୍ୟ ୩ ଜଣଙ୍କ ଘର ନବରଙ୍ଗପୁର। ଅନ୍ୟଜଣେ ଛତିଶଗଡ଼ ବାସିନ୍ଦା ବୋଲି ଜଣାପଡ଼ିଛି। ଏମାନେ ସମସ୍ତେ ସାପ୍ତାହିକ ହାଟକୁ ପରିବା ଓ ରାସନ ସାମଗ୍ରୀ କିଣିବାକୁ ଯାଇଥିଲେ ଏବଂ ଟ୍ରକ୍‌ରେ ଫେରିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସ‌ାରେ, ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ୍ ଅନ୍ତର୍ଗତ ଚିକିଲି ଗ୍ରାମର ପ୍ରାୟ ୧୦୦ଜଣ ଶ୍ରମିକ ଦୁଇମାସ ତଳେ ଦାଦନ ଖଟିବାକୁ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ଯାଇଥିଲେ। ସେଥିମଧ୍ୟରୁ କିଛି ଦାଦନ ଶ୍ରମିକ ହାଇଦ୍ରାବାଦ ନିକଟ ସମସାବାଦ ଠାରେ ଇଟା ଭାଟିରେ କାମ କରୁଥିଲେ। ଗତକାଲି କାମ ସରିବା ପରେ ପ୍ରାୟ ୩୦ଜଣ ଶ୍ରମିକ ସାପ୍ତାହିକ ହାଟକୁ ରାସନ ଏବଂ ପରିବା କିଣିବା ପାଇଁ ଟ୍ରକ୍‌ରେ ଯାଇଥିଲେ। କିଣାକିଣି କରି ସଂଧ୍ୟା ପ୍ରାୟ ସାଢ଼େ ୫ଟାରେ ପୁଣି କ୍ୟାମ୍ପ୍‌କୁ ଫେରିବା ସମୟରେ ଟ୍ରକ୍ ସମ୍ମୁଖକୁ ହଠାତ୍ ଗୋଟିଏ କାର୍ ଚାଲି ଆସିଥିଲା। ଯାହାଫଳରେ ଟ୍ରକ୍ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ। କାର୍ ସହ ଧକ୍କା ହୋଇ ଭାରସାମ୍ୟ ହରାଇ ଟ୍ରକ୍ ଓଲଟି ପଡ଼ିଥିଲା। ଫଳରେ କିଛି ଶ୍ରମିକ ଟ୍ରକ୍‌ରୁ ଛିଟିକି ପଡ଼ିଥିବାବେଳେ କିଛି ଜଣ ଟ୍ରକ୍ ତଳେ ଚାପି ହୋଇ ରହିଥିଲେ।

ଟ୍ରକ୍‌ରେ ବସିଥିବା ଡାବୁଗାଁ ବ୍ଲକ୍ ଚିକିଲି ଗ୍ରାମର ପରମାନନ୍ଦ ଗୌଡ଼ (୬୦) ଓ ଅସ୍ତୁ ଭତରା (୬୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ସୋମବାର ସ୍ଥାନୀୟ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ବୁଦନ ଗୌଡ଼ (୩୫)ଙ୍କ ମୃତ୍ୟୁ ଘଟିଛି। ଏହି ତିନି ଜଣଙ୍କ ସହ ଟ୍ରକ୍‌ରେ ବସିଥିବା ବଲାଙ୍ଗୀର ଜିଲ୍ଲାର ୩ଜଣଙ୍କ ମଧ୍ୟ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସେମାନେ ହେଲେ, ବଲାଙ୍ଗୀର ଜିଲ୍ଲାର କୃପା ସୁନା (୪୦), ଗୋପାଳ ଦୀପ (୪୫) ଏବଂ କଳା କୁମାର (୨୫)। ଅନ୍ୟ କେତେକ ଦାଦନ ଶ୍ରମିକ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ଚିକିଲି ଗ୍ରାମର ଏବଂ ଓଡ଼ିଶାର ଅନ୍ୟ ଜିଲ୍ଲାର କିଛି ଜଣ ରହିଥିବା ଜଣାପଡ଼ିଛି। ଶବ ଆସନ୍ତାକାଲି ଚିକିଲି ଗ୍ରାମରେ ପହଞ୍ଚିବ ବୋଲି ପରିବାର ଲୋକେ କହିଛନ୍ତି। ଗୋଟିଏ ଗ୍ରାମରୁ ୩ଜଣ ଦାଦନ ଶ୍ରମିକଙ୍କ ଏପରି ଦୁଃଖଦ ତଥା ଅକାଳ ମୃତ୍ୟୁ ପରେ ଚିକିଲି ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

The post ତେଲେଙ୍ଗାନାରେ ଟ୍ରକ୍‌ ଓଲଟିଲା, ଓଡ଼ିଶାର ୬ ଶ୍ରମିକ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3v1H72C