କରଞ୍ଜିଆ/କରଞ୍ଜିଆ ଗୋଲେଇ : ଜନ ପ୍ରତିନିଧି ହୋଇଥିଲେ ବି ଆମକୁ ଅଣଦେଖା କରୁଛନ୍ତି ବିଡିଓ। ଓଏମ୍‌ବିଏଡିସି ଯୋଜନାରେ ଅଙ୍ଗନବାଡ଼ି ଗୃହ ନିର୍ମାଣ ପାଇଁ ଅନୁଦାନ ଆସିଛି। ହେଲେ ଏ ବାବଦରେ ଆମ ସହ ପଦୁଟିଏ ବି ଆଲୋଚନା ନ କରି କାର୍ଯ୍ୟାଦେଶ ବଣ୍ଟିଛନ୍ତି। ଏହାକୁ ନେଇ ତାତିଛନ୍ତି ସମିତି ସଭ୍ୟ। କରଞ୍ଜିଆ ବିଡିଓଙ୍କୁ କଟାକ୍ଷ କରି ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଛନ୍ତି। ଏମିତିକି ବିଡିଓଙ୍କୁ ଭୂତ ସବାର ହୋଇଛି କହି ବ୍ଳକ କାର୍ଯ୍ୟାଳୟରେ ପୂଜାର୍ଚ୍ଚନା କରିବା ସହ ମନ୍ତୁରା ପାଣି ଛିଞ୍ଚି ଜିଅନ୍ତା କୁକୁଡ଼ା ଭୋଗ ବି ଲଗାଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଳକ ପରିସରରେ ଆଜି ଏଭଳି ଦୃଶ୍ୟ ଦେଖି ଲୋକେ ବି କୌତୁହଳ ସମ୍ବରଣ କରି ପାରିନଥିଲେ। ସୋମବାର ପୂର୍ବାହ୍ନରେ କରଞ୍ଜିଆ ବ୍ଲକ୍‌ ଉପାଧ୍ୟକ୍ଷ ତଥା ତାଟୋ ପଞ୍ଚାୟତ ସମିତି ସଭ୍ୟ ସାରଥୀ ନାଏକଙ୍କ ସହ ୧୧ ଜଣ ସମିତି ସଭ୍ୟସଭ୍ୟା ବ୍ଳକରେ ପହଞ୍ଚି ବିଡିଓ ଡ.ଶିବାଶିଷ ବରାଳ ମନମାନି ଚଳାଇଥିବା ଅଭିଯୋଗ କରିଥିଲେ। ତାଙ୍କୁ ଭୂତ ଲାଗିଥିବାରୁ ସେ ଭୁଲଠିକ୍ ବିଚାର କରିପାରୁନାହାନ୍ତି ଦର୍ଶାଇ ସେଠାରେ ଆଦିବାସୀ ପରମ୍ପରା ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ଖାଲି ସେତିକି ନୁହେଁ, ଭୂତ ଛଡ଼ାଇବାକୁ ଯାଇ ଜିଅନ୍ତା କୁକୁଡ଼ା ଭୋଗ ଲଗାଇବା ସହ ମନ୍ତୁରା ପାଣିରେ ବ୍ଳକ ପରିସର ଓ ଅଫିସ୍‌ ଗୃହରେ ଛିଞ୍ଚିଥିଲେ। ଏହାପରେ ମଧ୍ୟ ବିଡିଓ ତାଙ୍କ ଦାୟିତ୍ବ ନ ବୁଝିଲେ ଆଗକୁ ବୋଦା, ଘୁଷୁରୀ ଭୋଗ ଦିଆଯିବ ବୋଲି କହି ସମିତି ସଭ୍ୟମାନେ ବ୍ଲକ୍‌ ସମୁଖରେ ଧାରଣାରେ ବସିଥିଲେ। ବିଡିଓ ଶ୍ରୀ ବରାଳ କାର୍ଯ୍ୟାଳୟକୁ ଆସିନଥିବାରୁ ଏବିଡିଓ ରବୀନ୍ଦ୍ର ଗିରି ଆସି ଧାରଣାକାରୀଙ୍କୁ ବୁଝାଇଥିଲେ। ହେଲେ ବିଡିଓଙ୍କ ସହ ଆଲୋଚନା ନ ହେବା ଯାଏ ସେମାନେ କିଛି ଶୁଣିବେନି ବୋଲି ଜିଦ୍ ଧରିଥିଲେ। ଏହି ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି।

The post ଅଭିନବ ପ୍ରତିବାଦ: ବିଡିଓଙ୍କଠାରୁ ଭୂତ ଛଡ଼ାଇବାକୁ ପୂଜାର୍ଚ୍ଚନା first appeared on Sambad.

from ଜିଲ୍ଲା | Sambad https://ift.tt/3fKEUV2