ହାଇକୋର୍ଟରେ ଅଦାଲତ ଅବମାନନା ମାମଲା: ଯୋଗାଣ ନିଗମ ଏମ୍‌ଡିଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ

କଟକ : ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ପାଇଁ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ (ଏମ୍‌ଡି) ବି.କେ. ଦାସଙ୍କୁ ଏପ୍ରିଲ ୨୬ରେ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁକାନ୍ତି ବିଶ୍ବାଳଙ୍କ ଅଦାଲତ ଅବମାନନା ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ୍ୟ ଯେ, ୨୩ ବର୍ଷରୁ ଅଧିକ ସମୟ ଧରି ଯୋଗାଣ ନିଗମରେ ଚୁକ୍ତିଭିତ୍ତିକ ପଦବିରେ କାର୍ଯ୍ୟ କରିଥିବା ଆବେଦନକାରୀଙ୍କ ଚାକିରି ନିୟମିତ କରିବା ପ୍ରସଂଗରେ ୪ ମାସ ଭିତରେ ପଦକ୍ଷେପ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ‘ସେକ୍ରେଟାରୀ ଷ୍ଟେଟ୍ ଅଫ୍ କର୍ଣ୍ଣାଟକ ବନାମ ଉମାଦେବୀ’ ମାମଲାରେ ସୁପ୍ରିମ୍‌କୋର୍ଟ ପ୍ରଦାନ କରିଥିବା ରାୟ ଆଧାରରେ ଆବେଦନକାରୀଙ୍କ ଚାକିରି ନିୟମିତ କରିବାକୁ ଯୋଗାଣ ନିଗମ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ୨୦୧୯, ସେପ୍ଟେମ୍ବର ୪ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହା ପାଳନ ନ ହେବାରୁ ଆବେଦନକାରୀ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ମାମଲାର ଶୁଣାଣି କରି ନିର୍ଦ୍ଦେଶ ପାଳନ ପାଇଁ ଯୋଗାଣ ନିଗମକୁ ହାଇକୋର୍ଟ ୬ ସପ୍ତାହ ସମୟ ଦେଇଥିଲେ। ଏହାପରେ ଆବେଦନକାରୀଙ୍କ ଚାକିରି ନିୟମିତ କରିବା ବଦଳରେ ତାଙ୍କ ଦରଖାସ୍ତକୁ ନିଗମ କର୍ତ୍ତୃପକ୍ଷ ୨୦୨୦, ଏପ୍ରିଲ ୧୮ରେ ଖାରଜ କରିଦେଇଥିଲେ। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରାଯାଇ ଏପରି କରାଯାଇଥିବା ନିଗମ ପକ୍ଷରୁ ଦର୍ଶାଯାଇଥିଲା। ଏଣୁ ଆବେଦନକାରୀ ଦ୍ବିତୀୟ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଯୋଗାଣ ନିଗମ ଏମ୍‌ଡି ଜାଣିଶୁଣି ହାଇକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ କରିବା ସହିତ ୨୦୧୯, ସେପ୍ଟେମ୍ବର ୪ର ଆଦେଶ ପାଳନ କରାଯାଇଥିବା ନେଇ ମିଥ୍ୟା ସତ୍ୟପାଠ ଦେଇଥିଲେ ବୋଲି ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟରେ ଦର୍ଶାଯାଇଥିଲା। ଏଭଳି ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହ ଯୋଗାଣ ନିଗମ ଏମ୍‌ଡିଙ୍କୁ ଅଦାଲତ ଅବମାନନା ମାମଲାରେ ବ୍ୟକ୍ତିଗତ ଭାବେ ହାଜର ହୋଇ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

The post ହାଇକୋର୍ଟରେ ଅଦାଲତ ଅବମାନନା ମାମଲା: ଯୋଗାଣ ନିଗମ ଏମ୍‌ଡିଙ୍କୁ ବ୍ୟକ୍ତିଗତ ହାଜିରା ନିର୍ଦ୍ଦେଶ first appeared on Sambad.

from ଜିଲ୍ଲା | Sambad https://ift.tt/3sjZ2zJ

Post a Comment

0 Comments