ଭୁବନେଶ୍ବର/ଡେଲାଙ୍ଗ : ପିପିଲି ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କର ଗତ ୧୪ ତାରିଖରେ ପରଲୋକ ହୋଇଯାଇଥିଲା। ଆଜି ତାଙ୍କ ମା’ କ୍ଷେତ୍ରମଣି ମଙ୍ଗରାଜଙ୍କର ପରଲୋକ ହୋଇଛି। ‌ସେ କରୋନାରେ ଆକ୍ରାନ୍ତ ହୋଇ ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ଦୁଇ ଦିନ ବ୍ୟବଧାନରେ ମା’-ପୁଅଙ୍କ ମୃତ୍ୟୁ ପରିବାରରେ ଶୋକର ଛାୟା ଖେଳାଇ ଦେଇଛି। ଆଜି ‌କୋଭିଡ୍‌ ଗାଇଡ୍‌ଲାଇନ୍ ଅନୁଯାୟୀ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ସୂଚନାଯୋଗ୍ୟ ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଗତ ୧୦ ତାରିଖରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଭୁବନେଶ୍ବରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୪ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଅଜିତଙ୍କ ମୃତ୍ୟୁପରେ ଭାଙ୍ଗିପଡ଼ିଥିବା ପରିବାର ଉପରେ କରୋନାରେ ତାଙ୍କ ମା’ଙ୍କର ମୃତ୍ୟୁ ଆଉ ଏକ ଦୁଃଖ ଦେଇଛି। ୭୦ ବୟସରେ କ୍ଷେତ୍ରମଣି ମଙ୍ଗରାଜ କୋଭିଡ୍‌ରେ ଆକ୍ରାନ୍ତ ହେବାପରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଘରୋଇ ମେଡିକାଲ କର୍ତ୍ତୃପକ୍ଷଙ୍କଠାରୁ ପରିବାର ଲୋକେ ଖବର ପାଇଥିଲେ। କୋଭିଡ ଗାଇଡ୍‌ଲାଇନ୍‌ ଅନୁସାରେ କ୍ଷେତ୍ରମଣିଙ୍କ ଶବସତ୍କାର କରାଯାଇଛି ।ପ୍ରଥମେ ପୁଅ, ଆଉ ଏବେ ମାଆଙ୍କ ପରଲୋକରେ ଭାଙ୍ଗିପଡ଼ିଛନ୍ତି ଅଜିତ ମଙ୍ଗରାଜଙ୍କ ପରିବାର।

କ୍ଷେତ୍ରମଣି ମଙ୍ଗରାଜଙ୍କ ବିୟୋଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତା ମଙ୍ଗରାଜ ଜଣେ ଧର୍ମପ୍ରାଣା ଓ ପରୋପକାରୀ ମହିଳା ଥିଲେ ବୋଲି ଶ୍ରୀ ପଟ୍ଟନାୟକ କହିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏପରି ଦୁଃଖଦ ସମୟରେ ପ୍ରଭୁ ଶ୍ରୀଜଗନ୍ନାଥ ସ୍ବର୍ଗତ ମଙ୍ଗରାଜଙ୍କ ପରିବାରକୁ ଅଶେଷ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

The post ଅଜିତ ମଙ୍ଗରାଜଙ୍କ ମା’ଙ୍କ ପରଲୋକ first appeared on Sambad.

from ଜିଲ୍ଲା | Sambad https://ift.tt/3e9Wm2O