
ଧନକଉଡ଼ା: ଢାବାକୁ ଢାଲ କରି ଚାଲିଥିଲା ଅସାମାଜିକ କାର୍ଯ୍ୟକଳାପ। ଲୁଟ୍ପାଟ୍ ଓ ଡକାୟତି ଆଦି କରିବା ପରେ ଉକ୍ତ ଢାବାରେ ଆତ୍ମଗୋପନ କରୁଥିଲେ। ଜାତୀୟ ରାଜପଥରେ ଲୁଟ୍ କରି ଢାବାରେ ଲୁଚି ଯାଉଥିଲେ। ଏହି ଢାବାରେ ହିଁ ତିଆରି ହେଉଥିବା ଡକାୟତି ଯୋଜନା। ଏପରି ସୂଚନା ପାଇବା ପରେ ବୁର୍ଲା ଓ ହୀରାକୁଦ ପୁଲିସ ଢାବା ଉପରେ ରଖିଥିବା ତୀକ୍ଷ୍ଣ ନଜର। ବୁଧବାର ବୁର୍ଲା ଥାନା ଗୋଶାଳାଠାରେ ଥିବା ଏହି ଢାବାକୁ ମାଟିରେ ମିଶାଇ ଦିଆଯାଇଛି। ପ୍ରିନ୍ସ ଫାମିଲି ରାଜା ଢାବା ନାଁରେ ଚାଲୁଥିବା ଏହି ଢାବାକୁ ସଂପୂର୍ଣ୍ଣ ଉଚ୍ଛେଦ କରାଯାଇଛି।
ସୂଚନା ଅନୁଯାୟୀ ସକାଳ ପ୍ରାୟ ୭ଟା ୩୦ରେ ହୀରାକୁଦ ଏସ୍ଡିପିଓ ସତ୍ୟବ୍ରତ ଦାଶଙ୍କ ନେତୃତ୍ୱରେ ବୁର୍ଲା ଓ ଗୋଶାଳା ପୁଲିସ ଢାବା ନିକଟରେ ପହଞ୍ଚିଥିଲେ। ସେଠାରେ ରେଲୱେର ସହକାରୀ ବିଭାଗୀୟ ଯନ୍ତ୍ରୀ ହୀରାଲାଲ, ଆରପିଏଫର ଇନ୍ସପେକ୍ଟର ଡି କେ ମିଶ୍ର, ଜିଆର୍ପିର ଇନ୍ସପେକ୍ଟର କ୍ଷୀତିଶ ଚନ୍ଦ୍ର ପାତ୍ର ସଦଳେବଳେ ପହଞ୍ଚିଥିଲେ। ମ୍ୟାଜିଷ୍ଟ୍ରେଟ୍ ଭାବରେ ସମ୍ବଲପୁର ସଦର ଅତିରିକ୍ତ ତହସିଲଦାର ଲୋପମୁଦ୍ରା କାଲୋଙ୍କ ନିର୍ଦ୍ଦେଶରେ ପ୍ରଥମେ ଢାବା ଭିତରେ ଥିବା ସାମଗ୍ରୀକୁ ବାହାର କରାଯାଇଥିଲା। ପରେ ଜେସିବି ଦ୍ବାରା ଢାବା ଭଙ୍ଗା ଯାଇଥିଲା। ଢାବା ଭିତରେ ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାଯାଇଛି।
ଢାବା ମାଲିକ କୃପାସିନ୍ଧୁ ଘୁର୍ଲିଆଙ୍କୁ ରେଲୱେ ପକ୍ଷରୁ ଢାବା ଖାଲି କରିବାକୁ ନୋଟିସ କରାଯାଇଥିଲା। ହୀରାକୁଦ ଏସ୍ଡିପିଓ ଶ୍ରୀ ଦାଶଙ୍କ ସୂଚନା ଅନୁଯାୟୀ କୃପାସିନ୍ଧୁଙ୍କ ନାଁରେ ଅନେକ ଲୁଟପାଟ, ଡକାୟତି, ବେନିୟମ ବନ୍ଧୁକ କାରବାର, ହନୁମାନ ପଇସା ଓ ହୀରାପଥର ବେପାର ଭଳି ବେଆଇନ୍ କାମରେ ଲିପ୍ତ ଥିଲା। ସେହିପରି ରାଜରାସ୍ତାରୁ ମୋବାଇଲ୍ ଓ ଟଙ୍କା ଲୁଟ୍ପାଟ୍ କରୁଥିବା ମାମଲା ମଧ୍ୟ ତା ନାଁରେ ରହିଥିଲା। ଅନେକ ଥର ଜେଲ ମଧ୍ୟ ଯାଇଛି। ଗତ ୬ ଦିନ ତଳେ ସେ ବେଲ୍ରେ ଆସିଥିଲା। ତା ସହିତ ସାମିଲ ଥିବା ଢାବା ରୋଷେଇ ମିସ୍ତ୍ରି ପଣ୍ଡିଆ ଓ ପଥର ବେପାରୀ ସୁନା ନାମକ ବ୍ୟକ୍ତି ଫେରାର ଥିବା ପୁଲିସ ସୂତ୍ରରୁ ପ୍ରକାଶ।
ଗୋଶାଳାସ୍ଥିତ ଏସ୍ଏଲବି ଫାର୍ମରେ ସେ ଏକ ଘରେ ରହୁଥିଲ। ପୁଲିସ କହିବା ଅନୁଯାୟୀ ଲୁଟ୍ପାଟ୍ କରିବା ପରେ ଉକ୍ତ ଢାବାରେ ସମସ୍ତେ ଆତ୍ମଗୋପନ କରୁଥିଲେ। ପୁଲିସ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ତାର ସମସ୍ତ ଅସାମାଜିକ କାର୍ଯ୍ୟର ଓ ବେଆଇନ୍ ସାମ୍ରାଜ୍ୟକୁ ଶେଷ କରିବାକୁ ଅଣ୍ଟା ଭିଡ଼ିବା ଆରମ୍ଭ କରିଥିଲା। ଢାବାଟି ରେଳବାଇ ଅଧୀନରେ ଥିବା ଜାଣି ପୁଲିସ ରେଳ ବିଭାଗ ନିକଟରେ ଅଭିଯୋଗ କରିଥିଲା। ଆଜି ଆର୍ପିଏଫ, ଜିଆର୍ପି ଓ ଗୋଶାଳା ଫାଣ୍ଡି ଅଧିକାରୀ ଅଜିତ ଧଳ ସାମନ୍ତ ଏବଂ ବୁର୍ଲା ପୁଲିସ ସହଯୋଗରେ ଢାବାକୁ ଧୂଳିସାତ କରାଯାଇଥିଲା। ଭାଙ୍ଗିବା ସମୟରେ ଆଇନ୍ଶୃଙ୍ଖଳା ସ୍ଥିତିକୁ ଦେଖି ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।
The post ଢାବାକୁ ଢାଲ କରି ଚାଲିଥିଲା ଅସାମାଜିକ କାର୍ଯ୍ୟକଳାପ: ମାଟିରେ ମିଶିଲା ପ୍ରିନ୍ସ ଫାମିଲି ରାଜା ଢାବା first appeared on Sambad.from ଜିଲ୍ଲା | Sambad https://ift.tt/3u6GdSo
0 Comments