
କଟକ : କଟକ ମଙ୍ଗଳାବାଗ କାଠଗୋଲା ସାହିର ଅହଲ୍ୟା ଲଜରରେ ମଉଜ କରୁଥିବା ୬ ପୁଲିସ କର୍ମଚାରୀ ମଙ୍ଗଳବାର ବିଳମ୍ବିତ ରାତିରେ ଲଜ୍ ଛାଡ଼ିଛନ୍ତି। ଗଲା ମାର୍ଚ୍ଚ ୨୩ ତାରିଖରୁ ଏହି ପୁଲିସ କର୍ମଚାରୀ ରହି ଆସିଥିବା ସମ୍ପର୍କିତ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ସେମାନେ ଲଜ୍ ଛାଡ଼ିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ନିଲମ୍ବିତ କନେଷ୍ଟବଳ ମୌସିମ୍ ପୁଲିସ କବ୍ଜାରେ ରହିଥିବାବେଳେ ଅନ୍ୟ ସମସ୍ତ କର୍ମଚାରୀ ସମ୍ବଲପୁର ଫେରିଯାଇଛନ୍ତି। ମଙ୍ଗଳବାର ରାତି ସୁଦ୍ଧା ସେମାନେ ପ୍ରାୟ ୧୮ ହଜାର ଟଙ୍କା ଲଜ୍ ଭଡ଼ା ଜମା କରିଥିବା କୁହାଯାଉଛି।
ଅନ୍ୟପଟେ ଚୌଦ୍ବାର ସର୍କଲ ଜେଲ୍ରେ ଥିବା ହାଇଦରର ବଡ଼ ପୁଅ ସେକ୍ ମୁନ୍ନା ସହିତ ଜେଲ୍ ଭିତରେ ହିଁ ସମ୍ପର୍କ ଯୋଡ଼ିଥିଲା ହାଇଦରର ସହଯୋଗୀ ୟାକୁବ୍ ଓରଫ ସଲ୍ଲୁ ଖାଁ। କମିସନରେଟ୍ ପୁଲିସ ତାକୁ ରିମାଣ୍ତରେ ପଚରାଉଚରା ବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିଛି। ୟାକୁବ୍ ଗଲା କିଛି ମାସ ହେବ ନିୟମିତ କେନ୍ଦ୍ରାପଡ଼ା ଯାଇ ହାଇଦରର ଦୁଇ ପୁଅ ସେକ୍ ଆଜାରୁଦ୍ଦିନ ଓ ସେକ୍ ଚୁନ୍ନେଇକୁ ଭେଟୁଥିବାବେଳେ ତା’ ମୋବାଇଲ୍ରୁ ହାଇଦରର ପରିବାର ସଦସ୍ୟ ଓ ସହଯୋଗୀଙ୍କ ଫୋନ୍ ନମ୍ବର ପୁଲିସ ହାତେଇଛି।
ଗ୍ୟାଙ୍ଗଷ୍ଟର ହାଇଦରର ମଝିଆ ପୁଅ ସେକ୍ ଆଜାରୁଦ୍ଦିନ ଗଲା ସପ୍ତାହରେ ସିଡିଏର ଏକ ଘରୋଇ ହସପିଟାଲ୍ରେ ବାମ ଗୋଡ଼ର ଚିକିତ୍ସା କରିଥିଲା। ବାମ ଗୋଡ଼ରେ ରଡ୍ ପଶିଥିବାରୁ କାଢ଼ିବାକୁ ଡାକ୍ତରଙ୍କୁ କହିଥିଲା। କିନ୍ତୁ ଡାକ୍ତର ରଡ କାଢ଼ିବା ପାଇଁ ଯେଉଁ ତାରିଖ ଦେଇଥିଲେ ଆଜାରୁଦ୍ଦିନ ତା’ପୂର୍ବରୁ ଡାକ୍ତରଙ୍କ ନିକଟରେ ପହଞ୍ଚିବାରୁ ଡାକ୍ତର ପ୍ରଥମେ ମନା କରିଥିଲେ। କିନ୍ତୁ ଆଜାରୁଦ୍ଦିନ୍ ଏକ ଜରୁରି କାମରେ ବାହାରକୁ ଯିବାକୁ ଥିବାରୁ ସେଦିନ ରଡ଼ କାଢ଼ିବାକୁ କହିଥିଲା। ଏବେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ହାଇଦର୍ ଖସିବା ପାଇଁ ଗଲା କିଛିଦିନ ହେବ ଯୋଜନା ଚାଲିଥିବା କୁହାଯାଉଛି। ଆଜାରୁଦ୍ଦିନ ସିଡିଏର ଉକ୍ତ ଘରୋଇ ହସପିଟାଲ୍କୁ ହାଇଦର୍ ଫେରାର ହେବାର ୫ରୁ ୭ ଦିନ ତଳେ ଯାଇଥିଲା। ରଡ କାଢ଼ିବା ସମ୍ପର୍କରେ ହାଇଦର୍ର ଜ୍ବାଇଁ ଡାକ୍ତରଙ୍କୁ ଏ ସମ୍ପର୍କରେ ଫୋନ୍ କରି କହିଥିବା ବେଳେ ଡାକ୍ତର ବି ଅପରେସନ୍ ବାବଦ ଟଙ୍କା ନେଇ ନଥିବା କୁହାଯାଉଛି। ହାଇଦର ସହିତ ଏବେ ଆଜାରୁଦ୍ଦିନ ଫେରାର ହୋଇଯିବାରୁ ବାହାରେ ଆଣ୍ଠୁରୁ ରଡ କାଢ଼ିବାରେ ସମସ୍ୟା ହେବାର ଆଶଙ୍କା କରି ସେ ଏଭଳି ଆଗୁଆ ରଡ଼ କାଢ଼ିଥିବା କୁହାଯାଉଛି।
ହାଇଦରକୁ ଫେରାର କରିବା ଯୋଜନାରେ ତା ମଝିଆ ପୁଅ ସେକ୍ ଆଜାରୁଦ୍ଦିନ ଓ ସେକ୍ ଚୁନ୍ନେଇ ବଡ଼ ମେଡିକାଲ୍ର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ବାଟ ବୁଲି ଦେଖିଥିଲେ। ସର୍ଜରି ଵାର୍ଡରୁ କେଉଁ ରାସ୍ତାରେ ବାହାରକୁ ବାହାରିଲେ ସହଜ ହେବ, ସେ ନେଇ ଉଭୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ଏଥିରେ ସହଯୋଗ କରିଥିଲା ୟାକୁବ୍ ଓରଫ ସଲ୍ଲୁ ଖାଁ। କିନ୍ତୁ ହାଇଦର୍ କେଉଁଆଡେ଼ ଫେରାର ହୋଇ ଯିବ ସେ ସମ୍ପର୍କରେ ସଲ୍ଲୁ ନିକଟରେ କୌଣସି ସୂଚନା ନଥିବା ରିମାଣ୍ତରେ ପୁଲିସ ପଚରାଉଚରା କରି ଜାଣିବାକୁ ପାଇଛି।
ଏହି ଘଟଣା ପରେ ଝାରପଡ଼ା ଜେଲ୍ରେ ଥିବା ଗ୍ୟାଙ୍ଗଷ୍ଟର ଟିଟୋକୁ କମିସନରେଟ୍ ପୁଲିସର ଏକ ଟିମ୍ ଜେରା କରିଥିବା ଜଣାପଡ଼ିଛି। ହାଇଦର୍ ଫେରାର ସମ୍ପର୍କରେ ପୁଲିସ ଟିଟୋକୁ ପଚରାଉଚରା କରିଥିବା କୁହାଯାଉଛି।
The post ରାତିଅଧରେ ଲଜ୍ ଛାଡ଼ିଲେ ୬ ପୁଲିସ କର୍ମଚାରୀ first appeared on Sambad.from ଜିଲ୍ଲା | Sambad https://ift.tt/3g95w1V
0 Comments