
କଟକ : ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠିତ ସାରଳା ସମ୍ମାନକୁ କବି ରାଜେନ୍ଦ୍ର କିଶୋର ପଂଡା ଗ୍ରହଣ କରିବେ ନାହିଁ ବୋଲି ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, ଚଳିତବର୍ଷର ‘ସାରଳା ସମ୍ମାନ ଗ୍ରହଣ କରିବା ପାଇଁ ତାଙ୍କୁ ସଂସଦର ସଭାପତି ଇଂ. ପ୍ରଭାକର ସ୍ବାଇଁ ଓ ଉପଦେଷ୍ଟା ସହଦେବ ସାହୁ ସୂଚନା ଦେଇଥିଲେ। ଗତ ୨ ତାରିଖ ଦିନ ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ ଠାରୁ ସେ ସମ୍ମାନ ଗ୍ରହଣ କରିଥାନ୍ତେ। ତେବେ କାର୍ଯ୍ୟକ୍ରମର କେଇଦିନ ପୂର୍ବରୁ ଉକ୍ତ ସଭାରେ ତାଙ୍କୁ ମାତ୍ର ୨ ମିନିଟର ଭାଷଣ ରଖିବାକୁ ଦିଆଯିବ ବୋଲି କୁହାଯାଇଥିଲା ଏବଂ ଏଥିରେ ସେ ରାଜି ମଧ୍ୟ ହୋଇଥିଲେ। କିନ୍ତୁ କାର୍ଯ୍ୟକ୍ରମ ବାତିଲ ହେଲା ବୋଲି ମାର୍ଚ୍ଚ ୨୯ ତାରିଖରେ ତାଙ୍କୁ କୁହାଗଲା।
ତେବେ ନିର୍ଦ୍ଧାରିତ ସମୟରେ ଉପ-ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ହେବା ନେଇ ସେ ଗଣମାଧ୍ୟମରୁ ଜାଣିବା ପରେ ସେ ସଂସଦ ସହିତ ଯୋଗାଯୋଗ କରିଥିଲେ। ତାଙ୍କୁ କୁହାଗଲା ଯେ ଆସନ୍ତା ୧୫ ଦିନ କିମ୍ବା ମାସକ ଭିତରେ ଭିନ୍ନ ଏକ କାର୍ଯ୍ୟକ୍ରମରେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। କିନ୍ତୁ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରେ ତାଙ୍କର ନାମ ଘୋଷଣା କରାଗଲା ନାହିଁ କି ତାଙ୍କୁ ଏହି ପୁରସ୍କାର କେବେ ଦିଆଯିବ ତାସଂପର୍କରେ ମଧ୍ୟ ସୂଚନା ଦିଆଗଲା ନାହିଁ। ଏଥିରେ କ୍ଷୋଭ ପ୍ରକାଶ କରି ଶ୍ରୀ ପଂଡା କହିଛନ୍ତି ଯେ ଏହି ସମ୍ମାନକୁ ନେଇ ଯଦି କୌଣସି ଆଡ଼ୁ ଚାପ ଥିଲା ତାହାର ମୁକାବିଲା ଲାଗି ଯେଉଁ ସଂସ୍ଥାର ସାହସ ନାହିଁ, ସେଭଳି ସଂସ୍ଥା ଠାରୁ ସେ ପୁରସ୍କାର ଆଉ ଗ୍ରହଣ କରିବେ ନାହିଁ। ଏଥିସହିତ ତାଙ୍କୁ ଏଭଳି ସମ୍ମାନ ପାଇଁ ଚୟନ କରାଯାଇଥିବାରୁ ସେ ସଂସଦର ଉପଦେଷ୍ଟା ଶ୍ରୀ ସାହୁ ଓ ସଭାପତି ଶ୍ରୀ ସ୍ବାଇଁଙ୍କୁ ଧନ୍ୟବାଦ ଦେଇଛନ୍ତି।
The post ସାରଳା ସମ୍ମାନ ଗ୍ରହଣ କରିବେନି ରାଜେନ୍ଦ୍ର ପଂଡା first appeared on Sambad.from ଜିଲ୍ଲା | Sambad https://ift.tt/3dCHAkC
0 Comments