
ଜିଲ୍ଲାପାଳ ଅନୁମତି ଦେଇଥିଲେ, ଲାଇସେନ୍ସ ମିଳିନଥିଲା
ଯାଜପୁର : ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଜିନ୍ଦଲ କାରଖାନାରେ ୬ମାସ ହେଲା ଅକ୍ସିଜେନ୍ ଉତ୍ପାଦନ ହେଲାଣି। ମାତ୍ର, ଟ୍ରେଡିଂ ଲାଇସେନ୍ସ ପାଇଁ ଡ୍ରଗସ୍ କଣ୍ଟ୍ରୋଲ ବିଭାଗ ଯୋଗାଣକୁ ଅଟକାଇ ରଖିଥିଲେ। ଡ୍ରଗସ୍ କଣ୍ଟ୍ରୋଲ ବିଭାଗର ଏପରି ମନମାନିକୁ ନେଇ ଉଚ୍ଚସ୍ତରରେ ଉଦ୍ବେଗ ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ଉଚ୍ଚ ପଦାଧିକାରୀ ହସ୍ତକ୍ଷେପ କରିଥିଲେ। ଫଳରେ ଗତକାଲି ସଂଧ୍ୟାରେ ଜିନ୍ଦଲକୁ ଅକ୍ସିଜେନ୍ ଟ୍ରେଡ଼ିଂ ପାଇଁ ଲାଇସେନ୍ସ ମିଳିଛି। ହଜାର ହଜାର ଲୋକଙ୍କ ଜୀବନକୁ ପ୍ରାଧାନ୍ୟ ଦେଇ ଜିଲ୍ଲା ପ୍ରଶାସନର ସୁରକ୍ଷା ବଳୟ ମଧ୍ୟରେ ବିଭିନ୍ନ ସ୍ଥାନକୁ ଜିନ୍ଦଲ କାରଖାନାରୁ ଆଜି ସଂଧ୍ୟା ସୁଦ୍ଧା ୩୪୦ଟନ୍ ତରଳ ଅକ୍ସିଜେନ୍ ଯୋଗାଣ ହୋଇଛି। ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ଦୂରଦୃଷ୍ଟିସଂପନ୍ନ ପଦକ୍ଷେପ ଏବଂ ଅପରପକ୍ଷରେ ଡ୍ରଗସ୍ ନିୟନ୍ତ୍ରଣ ବିଭାଗର ମନମାନିକୁ ନେଇ ଚର୍ଚ୍ଚା ଜୋର ଧରିଛି।
ସୂଚନା ଅନୁସାରେ, ୬ମାସ ପୂର୍ବରୁ ଶ୍ରୀ ରାଠୋର ଜିଲ୍ଲାପାଳ ଭାବେ ଯାଜପୁରରେ ଯୋଗ ଦେବାପରେ ରାଜ୍ୟ ଓ ଦେଶର କରୋନର ବ୍ୟାପକତାକୁ ଲକ୍ଷ୍ୟ ଅକ୍ସିଜେନ୍ ଉତ୍ପାଦନ ଉପରେ ଗୁରୁତ୍ବାରୋପ କରିଥିଲେ। ଜିନ୍ଦଲରେ ଥିବା କାରଖାନା ଉପଯୋଗୀ ଅକ୍ସିଜେନ ୟୁନିଟ୍ରୁ ମେଡ଼ିକାଲ ଉପଯୋଗୀ ଅକ୍ସିଜେନ୍ ଉତ୍ପାଦନ ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ନଭେମ୍ବର ମାସରୁ ଜିନ୍ଦଲ କାରଖାନାରେ ମେଡ଼ିକାଲ ଅକ୍ସିଜେନ ଉତ୍ପାଦନ ହୋଇଥିଲା। ଦୈନିକ ୨୦ଟନ୍ ତରଳ ଅକ୍ସିଜେନ ଉତ୍ପାଦନ ହେଉଥିବାବେଳେ ୪୦ ଟନ୍ ତରଳ ଅକ୍ସିଜେନ୍ ଉତ୍ପାଦନ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା। ତେବେ, ଜିଲ୍ଲାପାଳ ଶ୍ରୀ ରାଠୋରଙ୍କ ପରାମର୍ଶକୁ ଜିନ୍ଦଲ କାରଖାନା କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରି ମେଡ଼ିକାଲ ଉପଯୋଗୀ ତରଳ ଅକ୍ସିଜେନ୍ ଉତ୍ପାଦନ କରିଥିଲେ ମଧ୍ୟ ଡ୍ରଗସ କଣ୍ଟ୍ରୋଲ ଟ୍ରେଡିଂ ଲାଇସେନ୍ସ ଦେଇନଥିଲେ। ଏକ ବର୍ଷର ଅଭିଜ୍ଞତା ନଥିବାରୁ ଟ୍ରେଡ଼ିଂ ଲାଇସେନ୍ସକୁ ରଦ୍ଦ କରିଦେଇଥିଲେ। ଦେଶରେ ଅକ୍ସିଜେନ୍ ଅଭାବରେ ଲୋକ ପୋକମାଛି ପରି ମରୁଥିବା ବେଳେ ଡ୍ରଗସ କଣ୍ଟ୍ରୋଲ ଗୋଟିଏ ନିୟମକୁ ଜାବୁଡ଼ି ଧରି ଜିନ୍ଦଲକୁ ଟ୍ରେଡ଼ିଂ କରିବାକୁ ଅନୁମତି ନଦେବା ଘଟଣା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଉଦ୍ବୋଗ ସୃଷ୍ଟି ହୋଇଥିଲା। ଉଚ୍ଚସ୍ତରରେ ନିଷ୍ପତ୍ତିକ୍ରମେ ଗତକାଲି ସଂଧ୍ୟାରେ ଟ୍ରେଡିଂ ଲାଇସେନ୍ ପ୍ରଦାନ କରାଯାଇଛି। ଯାଜପୁର ଜିଲ୍ଲାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଦେଶର ଅନେକ ରାଜ୍ୟକୁ ଶହଶହ ଟନ୍ ମେଡ଼ିକାଲ ଉପଯୋଗୀ ତରଳ ଅକ୍ସିଜେନ୍ ପ୍ରତିଦିନ ଯୋଗାଣ ଆରମ୍ଭ ହୋଇଛି।
ଏ ସମ୍ପର୍କରେ ଜିଲ୍ଲାପାଳ ଶ୍ରୀ ରାଠୋରଙ୍କୁ ପଚାରିବାରେ ସେ କହିଛନ୍ତି କରୋନାର ବ୍ୟାପକତାକୁ ଲକ୍ଷ୍ୟ କରି ସେ ୬ମାସ ପୂର୍ବରୁ ଜିନ୍ଦଲକୁ ଏପରି ପରାମର୍ଶ ଦେଇଥିଲେ। ତେବେ ଟ୍ରେଡ଼ିଂ ପାଇଁ ହୋଇଥିବା ଅସୁବିଧା ତାଙ୍କ ନଜରକୁ କେହି ଆଣିନଥିଲେ। ଅପରପକ୍ଷରେ ଟ୍ରେଡ଼ିଂ ଲାଇସେନ୍ସ କାର୍ଯ୍ୟକୁ ତ୍ବରାନ୍ବିତ କରୁଥିବା ଜିଲ୍ଲାର ଡ୍ରଗସ ଇନ୍ସପେକ୍ଟର ହରପ୍ରୀୟା ମଲ୍ଲିକ କହିଛନ୍ତି ନିୟମ ଅନୁଯାୟୀ ଆବେଦନ କରିନଥିବାରୁ ଜିନ୍ଦଲର ଆବେଦନ ନାକଚ ହୋଇଯାଇଥିଲା। ଜରୁରି ପରିସ୍ଥିତିକୁ ଲକ୍ଷ୍ୟ କରିବା ସହିତ କମ୍ପାନି ଆବଶ୍ୟକ ନିୟମ ଅନୁଯାୟୀ ଆବେଦନ କରିବାରୁ ଗୋଟିଏ ଦିନରେ ଗତକାଲି ଟ୍ରେଡ଼ିଂ ଲାଇସେନ୍ ପ୍ରଦାନ କରାଯାଇଛି।
The post ଅକ୍ସିଜେନ୍ ଉତ୍ପାଦନ ସତ୍ତ୍ବେ ୬ ମାସ ଅଟକିଲା first appeared on Sambad.from ଜିଲ୍ଲା | Sambad https://ift.tt/2PlBWLI
0 Comments