
ରାଉରକେଲା: ବୀରମିତ୍ରପୁରସ୍ଥିତ ବିସ୍ରା ଷ୍ଟୋନ୍ ଲାଇମ୍ କମ୍ପାନି ନୂତନ ଉତ୍ସାହ ଓ ଉଦ୍ଧୀପନା ସଞ୍ଚାରଣ ସହିତ ଉନ୍ନତି ପଥରେ ଅଗ୍ରସର ହେବାର ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ କରାଯାଇଛି l କୋଭିଡ-୧୯ ଓ ପରବର୍ତ୍ତୀ କଠିନ ସମୟରେ ସରକାରୀ ଉଦ୍ୟୋଗଗୁଡ଼ିକ ସମସ୍ୟାର ପାହାଡ଼ ତଳେ ଲଦି ହେଇ ପଡ଼ିଥିବା ବେଳେ ବି.ଏସ୍.ଏଲ୍ କମ୍ପାନି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ଏକ ନୂତନ ଅଧ୍ୟାୟ ଆରମ୍ଭ କରି ଚାଲିଥିଲା। ଗତବର୍ଷ ସେଲ୍ ତଥା ଆର୍.ଆଇ.ଏନ୍.ଏଲ୍.ର ସମସ୍ତ କଞ୍ଚାମାଲ ଆବଶ୍ୟକତାକୁ ପୂରଣ କରିବାକୁ ଅଣ୍ଟା ଭିଡିଥିଲା ଓ ସେଥିରେ ଶତ ପ୍ରତିଶତରୁ ଅଧିକ ପ୍ରେରଣ କରିବାରେ ସଫଳ ହେଇଥିଲା।
ଗତ ଆର୍ଥିକ ବର୍ଷରେ ପ୍ରଥମ ତ୍ରୈମାସିକ ଫଳାଫଳ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। କମ୍ପାନି ମାତ୍ର ୧,୧୧,୭୭୦ ଟନ୍ ମାଲ୍ ବିକ୍ରି କରି ପାରିଥିଲା। ଦ୍ବିତୀୟ ତ୍ରୈମାସିକ ଫଳାଫଳ ୨,୪୧,୬୫୩ ଟନ୍ ପହଞ୍ଚି ଯାଇଥିଲା। ତୃତୀୟ ତ୍ରୈମାସିକ ବିକ୍ରି ୩,୭୧,୦୭୫ ଟନ୍ ଓ ଚତୁର୍ଥ ତ୍ରୈମାସିକ ବିକ୍ରି ୪,୨୭,୩୮୨ ଟନ୍ କମ୍ପାନିକୁ କେନ୍ଦ୍ର ସରକାରଙ୍କ ଏକ ଲାଭଜନକ ଉଦ୍ୟୋଗର ମାନ୍ୟତା ଦେଇଦେଲା। ଗତ ଆର୍ଥିକ ବର୍ଷରେ କମ୍ପାନି ୮୪.୪୫ କୋଟି ଟଙ୍କା ଅର୍ଜନ କରି ପାରିଛି। ଉଭୟ ଆମଦାନୀ ଓ ଖର୍ଚ୍ଚକୁ ବିଚାର କଲେ କରକୁ ଛାଡି କମ୍ପାନି ୮.୮୧ କୋଟି ଟଙ୍କା ଲାଭ କରିଛି। ଏହା ଏକ ଐତିହାସିକ ସଫଳତା ଓ ଇସ୍ପାତ ମନ୍ତ୍ରାଳୟ ନିମନ୍ତେ ଗର୍ବ ଓ ଗୌରବର ବିଷୟ।
ଆଗାମୀ ଆର୍ଥିକ ବର୍ଷରେ ଅନ୍ୟୁନ ୧୭, ୦୮,୦୦୦ ଟନ୍ ଡୋଲୋମାଇଟର ବିକ୍ର। ହେବ ବୋଲି ଯୋଜନା ରହିଛି, ଯାହା ୧୨୩ କୋଟି ଟଙ୍କାର ବ୍ୟାପାର। ଏ ଭିତରେ କମ୍ପାନି ଏସ୍.ଏମ୍.ଏସ୍. ଗ୍ରେଡ ଡୋଲୋମାଇଟର ବିକ୍ରି ପାଇଁ ପ୍ରସ୍ତୁତି କରି ସାରିଛି। ସେଥି ନିମିତ୍ତ ୨ୟ ଡୋଲୋମାଇଟ ସାଇଡିଂ ଗତ ମାର୍ଚ୍ଚ ମାସରେ କାର୍ଯ୍ୟକ୍ଷମ ହେଇ ସାରିଛି। ବ୍ଲାଷ୍ଟଫରନେସ୍ ଗ୍ରେଡ ଚୂନପଥର ଓ ସିମେଣ୍ଟ ଗ୍ରେଡ ଚୂନପଥର ପ୍ରେରଣ ପାଇଁ ପ୍ରସ୍ତୁତି ଜାରି ରହିଛି। ବଜାର ତଥା ଗ୍ରାହକ ଅନ୍ବେଷଣ ନିମିତ୍ତ ପ୍ରଥମେ ୨୦,୦୦୦ ଟନ୍ ଚୂନପଥର ପ୍ରସ୍ତୁତ ପାଇଁ ଟେଣ୍ଡର ଦିଆ ସରିଛି। ତତ୍ସହିତ ୧ ରୁ ୨ ଲକ୍ଷ ଟନ୍ ଚୂନପଥର ବିକ୍ରି ପାଇଁ ଆଗ୍ରହୀ ଗ୍ରାହକ ଅନ୍ବେଷଣ ପାଇଁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ ପ୍ରଣିତ କରା ଯାଇଛି। ଚୂନପଥର ପ୍ରେରଣ ପାଇଁ ୩ୟ ସାଇଡିଂ ଶେଷ ପାହାଚରେ ଅଛି। ଆଗକୁ ୪ର୍ଥ ସାଇଡିଂ ମଧ୍ୟ ପ୍ରସ୍ତୁତ ହେବ। ଚୂନପଥର ବିକ୍ରି ସମ୍ଭାବନାକୁ ଅନୁମାନ କଲେ, କମ୍ପାନି ମାସିକ ୨ ଲକ୍ଷ ୩୫ ହଜାର ଟନ୍ ପର୍ଯ୍ୟନ୍ତ କଞ୍ଚାମାଲ ବିକ୍ର କରି ପାରିବା ନିମନ୍ତେ ଅନୁମତି ଅଛି। ଏ ଲକ୍ଷ୍ୟକୁ ଆଗାମୀ ଦୁଇବର୍ଷ ମଧ୍ୟରେ ଛୁଇଁ ପାରିଲେ, କମ୍ପାନି ଆଉ ପଛକୁ ଫେରିବାର ସମ୍ଭାବନା ନାହିଁ। କମ୍ପାନିର ଅନୁମତି ଥିବା ଉତ୍ପାଦନ ମାସକୁ ୨,୦୨,୦୦୦ ଟନ୍ ଡୋଲୋମାଇଟ ଓ ୨,୩୫,୦୦୦ ଟନ୍ ଚୂନପଥର ରହିଛି। ଏହି ମାଇଲ୍ ଖୁଣ୍ଟକୁ ସ୍ପର୍ଶ କରି ପାରିଲେ, ବାର୍ଷିକ ଅନୂନ୍ୟ ୨୬୨ କୋଟି ଟଙ୍କା ଉପାର୍ଜନ ହେଇ ପାରିବ।
ସୂଚନା ଦିଆଯାଉଛି ଯେ, କମ୍ପାନୀ ଏ ପର୍ଯ୍ୟନ୍ତ କୌଣସି ବିତ୍ତୀୟ ସଂସ୍ଥା ବା ବ୍ୟାଙ୍କଠାରୁ ଋଣ ନେଇ ନାହିଁ। କମ୍ପାନିର ବିଭିନ୍ନ ଦିଗ ଉପରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଚିବ ପ୍ରଦୀପ କୁମାର ତ୍ରିପାଠୀ ଓ ନିର୍ଦ୍ଦେଶକା ରୁଚୀକା ଗୋଭିଲଙ୍କ ତୀକ୍ଷଣ ନଜର ରହିଛି। କମ୍ପାନିର ଅଧ୍ୟକ୍ଷ ପ୍ରଦୋଶ କୁମାର ରଥଙ୍କ ବିଶେଷ ପ୍ରଚେଷ୍ଠା ଓ ପରିଚାଳନା ନିର୍ଦ୍ଦେଶକ ଦେବ କଲ୍ୟାଣ ମହାନ୍ତିଙ୍କ ଉଦ୍ୟମ ପ୍ରଶଂସନୀୟ। କମ୍ପାନିର ହାତଗଣତି ଅଧିକାରୀ, ଶ୍ରମିକ ଓ ଠିକାସଂସ୍ଥାଙ୍କ ଅହରହ ଉଦ୍ୟମ ବିଗତ ୬ ବର୍ଷ ପୂର୍ବେ କରା ଯାଇଥିବା ଯୋଜନାକୁ ସଠିକ୍ ମାର୍ଗରେ ନେଇ ଚାଲିଛି।
The post କରୋନା ପ୍ରଭାବରେ ସବୁ ମାନ୍ଦା ପଡ଼ିଥିବା ବେଳେ ଉନ୍ନତି ପଥରେ ଆଗେଇ ଚାଲିଛି ବୀରମିତ୍ରପୁର ବିଏସଏଲ first appeared on Sambad.from ଜିଲ୍ଲା | Sambad https://ift.tt/3avDf1Q
0 Comments