ଝାରସୁଗୁଡ଼ା : ଝାରସୁଗୁଡ଼ା-ଚେନ୍ନାଇ ମଧ୍ୟରେ ଶୁକ୍ରବାରଠାରୁ ବିମାନ ସେବା ଆରମ୍ଭ ହୋଇଛି। ସ୍ପାଇସ୍‌ ଜେଟ୍‌ ଏହି ସେବା ଆରମ୍ଭ କରିଛି। ଏହି ସେକ୍ଟରରେ ୧୮୯ ସିଟ୍‌ ବିଶିଷ୍ଟ ବୋଇଂ ଅପରାହ୍‌ଣ ୩ ଟା ପରିବର୍ତ୍ତେ ୩.୨୦ରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିଥିଲା। ଏଠାରୁ ୩. ୩୦ ପରିବର୍ତ୍ତେ ୩.୫୦ରେ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ଶୁକ୍ରବାର ପ୍ରଥମ ଦିନରେ ଏହି ବିମାନରେ ୯୩ ଜଣ ଯାତ୍ରୀ ଚେନ୍ନାଇରୁ ଝାରସୁଗୁଡ଼ା ଆସିଥିଲେ। ପରେ ୮୪ ଯାତ୍ରୀଙ୍କୁ ନେଇ ପୁଣି ଝାରସୁଗୁଡ଼ାରୁ ଚେନ୍ନାଇ ଅଭିମୁଖେ ଯାତ୍ରା କରିଥିଲା। ଚେନ୍ନାଇ ବିମାନ ସେବା ଆରମ୍ଭ ହେବା ପରେ ପଶ୍ଚିମ ଓଡ଼ିଶା ସହିତ ଚେନ୍ନାଇକୁ ଏବେ ସିଧ‌ାସଳଖ ଯୋଡ଼ି ହୋଇଯାଇଛି।

ପୂର୍ବରୁ ଝାରସୁଗୁଡ଼ାରୁ ଦିଲ୍ଲୀ, ରାୟପୁର, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା, ହାଇଦ୍ରାବାଦ, ଭୁବନେଶ୍ବରକୁ ବିମାନ ସେବା ଆରମ୍ଭ ହୋଇଥିଲା। ଚେନ୍ନାଇ- ଝାରସୁଗୁଡ଼ା ମଧ୍ୟରେ ବିମାନ ସେବା ଗତ ମାସ ୨୮ ତାରିଖ ଆରମ୍ଭ ହେବାର ଥିଲା। ମାତ୍ର କୌଣସି କାରଣ ଯୋଗୁଁ  ଏହା ୨ ତାରିଖକୁ ଘୁଞ୍ଚି ଯାଇଥିଲା। ଗୁରୁବାର ବିମାନ ବନ୍ଦର ନିର୍ଦ୍ଦେଶକ କି‌ଶୋର ସେନାପତି ୨ ତାରିଖରେ ମଧ୍ୟ ଚେନ୍ନାଇ ବିମାନ ବାତିଲ ହୋଇଥିବା ସୂଚନା ମିଳିଛି ବୋଲି ଗଣମାଧ୍ୟମ ଆଗରେ ପ୍ରାକାଶ କରିଥିବା ବେଳେ ଆଜି ଚେନ୍ନାଇ ବିମାନ ଆସି ପହଞ୍ଚିଥିବା ଘଟଣା ବିସ୍ମୟ ସୃଷ୍ଟି କରିଛି। ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ବିମାନ ସେବାକାରୀ କମ୍ପାନି ମଧ୍ୟରେ ସମନ୍ବୟ ନଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଥିବା ଆଲୋଚନା ହେଉଛି।

The post ଝାରସୁଗୁଡ଼ା-ଚେନ୍ନାଇ ମଧ୍ୟରେ ବିମାନ ସେବା ଆରମ୍ଭ first appeared on Sambad.

from ଜିଲ୍ଲା | Sambad https://ift.tt/3wpQHxV