ରାଉରକେଲା : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ଲୋକଙ୍କୁ ଗୃହ ଯୋଗାଇ ଦେବା ନାଁରେ ଚାଲିଛି ବ୍ୟାପକ ହରିଲୁଟ୍। ଯେଉଁଠି ଗରିବ ଲୋକଟିଏ ମୁଣ୍ଡ ଗେଞ୍ଜିବାକୁ ପକ୍କାଘରଟିଏ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରୁଛି। ସେଠି ତାଙ୍କୁ ଘର ନ ଦିଆଯାଇ, ତା’ ନାଁରେ ଅନ୍ୟକୁ ବିକି ଦିଆଯାଉଛି। ଏମିତି କି ମୃତ ଲୋକଙ୍କ ନାଁରେ ଅନ୍ୟ ଜଣଙ୍କୁ ମିଳୁଛି ପ୍ରଧାନମନ୍ତ୍ରୀ ଆବାସ। ଜଣେ କି ଦୁଇଜଣ ନୁହେଁ ଏମିତି ମାଳ ମାଳ ଅଭିଯୋଗ ଆସୁଛି ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକରେ। ଘଟଣା ପ୍ରଘଟ ହେଲା ପରେ ମଧ୍ୟ ବିଭାଗୀୟ ଅଧିକାରୀ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଇ ନୀରବଦ୍ରଷ୍ଟା ସାଜୁଛିନ୍ତି।

ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ନୂଆଗାଁ ବ୍ଲକ ଚିତାପେଡି ପଞ୍ଚାୟତ ଚେତାପଡି ଗ୍ରାମ ଗୋଟିଏ ଉଦାହରଣ। ଦୀର୍ଘ ଦିନ ଅପେକ୍ଷା କରିବା ପରେ ବିରସମୁନି ସିଂ (ସ୍ବାମୀ- ନାରାୟଣ ସିଂ)ଙ୍କୁ ପ୍ରଧାନମନ୍ତ୍ରୀ ଆବାସଟିଏ ମିଳିଥିଲା। ତେବେ ଉଭୟ ପତି-ପତ୍ନୀଙ୍କ ଗତ ୫/୭ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଯାଇଛି। ନିୟମାନୁଯାୟୀ ବ୍ଲକ କର୍ତ୍ତୃପକ୍ଷ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସକୁ ତାଙ୍କୁ ପରିବାରକୁ ଦେବା କଥା। ବିଡମ୍ବନା, ସମାନ ନାମଧାରୀ ଅନ୍ୟଜଣେ ବୀରସମୁନୀଙ୍କୁ ସେହି ଘରକୁ ଦେଇ ଦିଆଯାଇଛି। ଅର୍ଥାତ୍ ମୃତ ମହିଳାଙ୍କ ଆଇଡ଼ି ନମ୍ବରରେ ଘରଟିକୁ ଅନ୍ୟ ଜଣେ ମହିଳାଙ୍କୁ ଦିଆଯିବା ସମ୍ପୂ୍ର୍ଣ୍ଣ ବେଆଇନ। ଅନୁରୂପ ଭାବେ ଚିତାପେଡି ପଞ୍ଚାୟତ ପିତାଲ ଗ୍ରାମର ନାରାୟଣ ସିଂଙ୍କ ପିତା ଝକନ ସିଂଙ୍କ କ୍ଷେତ୍ରରେ ମଧ୍ୟ ସେହି ସମାନ ଅବସ୍ଥା। ନାରାୟଣ ସିଂଙ୍କ ଆଇଡ଼ି ନଂ ୧୮୩୮୪୮୮ରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସଟିଏ ମିଳିଥିଲା। ପଞ୍ଚାୟତ ଓ ବ୍ଲକର କରିତକର୍ମା ଅଧିକାରୀ ଉକ୍ତ ଘରଟିକୁ ଗାଇଞ୍ଜର ଗ୍ରାମର ଅନ୍ୟ ଜଣେ ନାରାୟଣ ସିଂଙ୍କୁ ବିକି ଦେଇଥିବା ଭଳି ଗୁରୁତର ଅଭିଯୋଗ ହୋଇଛି। ନାରାୟଣ ସିଂଙ୍କ ଆଇଡି ନମ୍ବରୁ ଏହାର ପ୍ରମାଣିତ ହୋଇଛି।

କେବଳ ଏହି ଦୁଇଟି ମାମଲା ନୁହେଁ ବ୍ଲକର ଅନେକ ପଞ୍ଚାୟତର ଏମିତି ଗଣ୍ଡା ଗଣ୍ଡା ଅଭିଯୋଗ ରହିଛି। ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତିକୁ ନେଇ ବୀରମିତ୍ରପୁର ବିଧାୟକ ଶଙ୍କର ଓରାମ ପ୍ରଶ୍ନ ଉଠାଇଛନ୍ତି। ଏହି ବେଆଇନ କାର୍ଯ୍ୟ କରୁଥିବା ବ୍ଲକ ଓ ପଞ୍ଚାୟତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ତୁରନ୍ତ ଏଠାରୁ ଅନ୍ୟତ୍ର ବଦଳି କରିବାକୁ ଦାବି କରିଛନ୍ତି। ନୂଆଗାଁ ବ୍ଲକର ଆଦିବାସୀଙ୍କୁ କେମିତି ବିଭାଗୀୟ ଅଧିକାରୀ ବିଭିନ୍ନ ଆଳ ଦେଖାଇ ଭୂଆଁ ବୁଲାଉଛନ୍ତି, ଦୁଇଟି ଅଭିଯୋଗ ଏହାର ସ୍ପଷ୍ଟ ପ୍ରମାଣ। କେବଳ ଏତିକି ନୁହେଁ ଅଧିକାଂଶ ଗରିବ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ମିଳିଥିଲେ ହେଁ ଫାଇନାଲ ବିଲ୍ ମିଳୁ ନାହିଁ। ସେମାନେ ଥରେ କି ଦୁଇ ଥର ବାରମ୍ବାର ବ୍ଲକ ଅଫିସକୁ ଦୌଡୁଛନ୍ତି। ଦାୟିତ୍ବରେ ଥିବା ଅଧିକାରୀମାନେ ଆଜି କାଲି କି ମାସ ମାସ ଗଡାଉଛନ୍ତି। ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ତଥ୍ୟ ମାଗିଲେ ଦୁର୍ନୀତି ଲୁଚାଇବାକୁ ରୋକ୍‌ଠୋକ୍‌ ମନା କରି ଦେଉଛନ୍ତି। ବିଭାଗୀୟ ଅଧିକାରୀଙ୍କ ଏଭଳି ଉତ୍ତରରୁ ବ୍ଲକ ଅଫିସ୍ କେମିତି ଚାଲିଛି, ତାହା ତଦନ୍ତ ସାପେକ୍ଷ।

ବ୍ଲକ ଓ ପଞ୍ଚାୟତ ଅଫିସର କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଏଭଳି କାର୍ଯ୍ୟକୁ ନେଇ ନୂଆଗାଁ ବ୍ଲକରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି। ବିଭାଗୀୟ ଉଚ୍ଚ ଅଧିକାରୀ ଏଭଳି ଅଧିକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ଦିନରେ ବିଧାୟକ ଶ୍ରୀ ଓରାମଙ୍କ ନେତୃତ୍ବରେ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

The post ଏମିତି ଚାଲିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା: ମୃତ, ଗରିବଙ୍କ ନାଁରେ ବିକ୍ରି ହେଉଛି ପ୍ରଧାନମନ୍ତ୍ରୀ ଆବାସ! first appeared on Sambad.

from ଜିଲ୍ଲା | Sambad https://ift.tt/3ntYmHc