କଟକ : ଆଗୁଆ ଜାମିନ ଆବେଦନ ଦାୟର ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। କୌଣସି ଆପରାଧିକ ଘଟଣାରେ ଅଭିଯୁକ୍ତ ଥିବା ବ୍ୟକ୍ତି ଆଗୁଆ ଜାମିନ ପାଇଁ ପ୍ରଥମେ ଦୌରା ଅଦାଲତରେ ମାମଲା ରୁଜୁ କରିବେ। ଏହାପରେ ଆବଶ୍ୟକ ସ୍ଥଳେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ପାରିବେ। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆଗୁଆ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

ଅଦାଲତଙ୍କ ରାୟରେ ଉଲ୍ଲେଖ କରାଯାଇଛି ଯେ ସିଆରପିସିର ଧାରା ୪୩୮ରେ ଥିବା ବ୍ୟବସ୍ଥା ଅନୁସାରେ ଜଣେ ବ୍ୟକ୍ତି ଦୌରା ଅଦାଲତ ଓ ହାଇକୋର୍ଟରେ ଆଗୁଆ ଜାମିନ ଲୋଡ଼ି ଆବେଦନ କରିପାରିବେ। ଧାରା ୪୩୮ ଅନୁସାରେ ଦୌରା ଅଦାଲତ ଓ ହାଇକୋର୍ଟଙ୍କ ଆଗୁଆ ଜାମିନ ପ୍ରଦାନ ପ୍ରସଂଗରେ ସମାନଧରଣର କ୍ଷମତା ରହିଛି। ଏଭଳି ସ୍ଥଳେ ପ୍ରଥମେ ନିମ୍ନ ଅଦାଲତରେ ଜଣେ ଆବେଦନ କରି ତା’ ପରେ ହାଇକୋର୍ଟକୁ ଆସିବା ଉଚିତ। ଧାରା ୪୩୯ରେ ଥିବା ବ୍ୟବସ୍ଥା ଅନୁସାରେ ନିୟମିତ ଜାମିନ ପ୍ରସଂଗରେ ଜଣେ ନିମ୍ନ ଅଦାଲତଙ୍କ ପ୍ରଥମେ ଦ୍ବାରସ୍ଥ ହୋଇଥାଏ। ଯଦି ନିମ୍ନ ଅଦାଲତଙ୍କ ରାୟ ସପକ୍ଷରେ ନ ଯାଏ ତେବେ ପକ୍ଷ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥାଏ।

ଆଗୁଆ ଜାମିନ ଓ ନିୟମିତ ଜାମିନ ମଞ୍ଜୁର ବେଳେ ଘଟଣାର ବାସ୍ତବତାର ମୂଲ୍ୟ ନିର୍ଦ୍ଧାରଣ ଓ ପୁଙ୍ଖାନୁପୁଙ୍ଖ ତର୍ଜମା ଆବଶ୍ୟକ। ରେକର୍ଡର ସବୁ ତଥ୍ୟ ପ୍ରମାଣକୁ ବିଚାରକୁ ନିଆଯାଇଥାଏ। ଏଭଳି ମାମଲାରେ ଦୌରା ଅଦାଲତ ‌ଉପଯୁକ୍ତ ନିର୍ଦ୍ଦେଶ ପ୍ରଦାନ କରିବା ପରେ ହାଇକୋର୍ଟଙ୍କୁ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିବା ସହଜ ହୋଇଥାଏ। ଏଭଳି ସ୍ଥିତିରେ ଆବେଦନକାରୀଙ୍କୁ ତିନି ସପ୍ତାହ ପାଇଁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରି ଏହି ପ୍ରସଂଗରେ ଦୌରା ଅଦାଲତଙ୍କ ଦ୍ବାରସ୍ଥ ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ତରୀଣ ସୁରକ୍ଷା ଅବଧି ଶେଷ ପୂର୍ବରୁ ଦୌରା ଅଦାଲତ ଆବେଦନକାରୀଙ୍କ ମାମଲାର ଶୁଣାଣି ଶେଷ କରିବା ପାଇଁ ହାଇକୋର୍ଟ କହିଛନ୍ତି। ଏଥି ସହିତ ନୃସିଂହ ସୂତାରଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ ରାଜକନିକା ଥାନାରେ ରୁଜୁ ଏକ ମାମଲାରେ ଆଗୁଆ ଜାମିନ ଲୋଡ଼ି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

The post ଆଗୁଆ ଜାମିନ ଦାୟର ପ୍ରସଂଗରେ ଗୁରୁତ୍ବପୂର୍ଣ୍ଣ ରାୟ: ପ୍ରଥମେ ଦୌରା ଅଦାଲତଙ୍କ ଦ୍ବାରସ୍ଥ ହେବାକୁ ନିର୍ଦ୍ଦେଶ first appeared on Sambad.

from ଜିଲ୍ଲା | Sambad https://ift.tt/3dVTDe9