
ସମ୍ବଲପୁର : ଜିଲ୍ଲା ବାହାର ଯୁବତୀଙ୍କୁ ଚାକିରି ଲୋଭରେ ଡାକି ଆଣି ବନ୍ଦୀ କରି ରଖିବା, ସେମାନଙ୍କୁ ଘର ସହ କଥା ହେବାକୁ ନଦେବା, ସମସ୍ତଙ୍କଠାରୁ ୮ ହଜାର ଟଙ୍କା ଲେଖାଏଁ ଠକି ନେବା ଘଟଣା ଭିନ୍ନ ମୋଡ଼ ନେଇଛି। ବୁଧବାର ‘ସମ୍ବାଦ’ରେ ଏ ସଂପର୍କିତ ଖବର ପ୍ରକାଶ ପରେ ପୁଲିସ୍ ଚେଇଁଛି। ବୁଧବାର ଧନୁପାଲି ଥାନା ପକ୍ଷରୁ ଘଟଣାର ଛାନ୍ଭିନ୍ କରା ଯାଇଥିଲା। ୬୦ ନୁହେଁ ଶତାଧିକ ଯୁବତୀଙ୍କୁ ନିଯୁକ୍ତି ବାହାନାରେ ବାହାର ଜିଲ୍ଲାରୁ ଡାକି ଆଣି ଏଠାରେ ବେଆଇନ୍ ଭାବେ ଅଟକ ରଖା ଯାଇଥିବା ଜଣା ପଡ଼ିଛି। କୋଭିଡ୍ ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ, ହଷ୍ଟେଲ୍ ଇତ୍ୟାଦି ବନ୍ଦ ଥିଲାବେଳେ ତାଲିମ ଓ ଚାକିରି ନାଁରେ କେମିତି ଏତେ ସଂଖ୍ୟାରେ ଯୁବତୀଙ୍କୁ ଗୋଟିଏ ସ୍ଥାନରେ ରଖାଯାଇଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉକ୍ତ ସଂସ୍ଥା ଚଳାଉଥିବା କିଛି ଯୁବକଯୁବତୀଙ୍କୁ ଥାନାକୁ ଡକାଇ ପୁଲିସ୍ ପଚରାଉଚରା କରିଛି।
ସେମାନେ ଯେଉଁ କମ୍ପାନି ନାମ ଧରୁଛନ୍ତି ସେଭଳି କୌଣସି କମ୍ପାନି ପଞ୍ଜିକୃତ ନଥିବା ପୁଲିସ୍ ସୂତ୍ରରୁ ଜଣା ପଡ଼ିଛି। ତାହା ଠକ ସଂସ୍ଥା ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ଏହି ରାକେଟ୍ର ମୁଖ୍ୟ ପୁଲିସ୍ କବ୍ଜାକୁ ଆସି ନାହିଁ। ବନ୍ଦୀ ଭାବେ ରହିଥିବା ଶତାଧିକ ଯୁବତୀ ଉଦ୍ଧାର ହୋଇ ନାହାନ୍ତି। ତେବେ ଯେଉଁ ଯୁବତୀ ମାନେ ସେଠାରୁ ଖସି ଆସି ପୁଲିସ୍ରେ ଅଭିଯୋଗ କରିଥିଲେ, ବୁଧବାର ସେମାନେ ମଧ୍ୟ ପରିବାର ସହ ଥାନାରେ ପହଞ୍ଚିଥିଲେ ବୋଲି ଜଣା ପଡ଼ିଛି। ଏହା ଏକ ସମ୍ବେଦନଶୀଳ ପ୍ରସଂଗ ହୋଇଥିବାରୁ ଘଟଣାର ଉପଯୁକ୍ତ ଯାଞ୍ଚ କରିବାକୁ ଏସ୍ପି ଧନୁପାଲି ପୁଲିସ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏ ସଂପର୍କରେ ଧନୁପାଲି ଥାନା ଅଧିକାରୀଙ୍କଠାରୁ କୌଣସି ବିବରଣୀ ମିଳିପାରି ନାହିଁ। ଘଟଣାରେ ଏ ପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇ ନଥିବା ପୁଲିସ୍ ସୂତ୍ରରୁ ଜଣା ପଡ଼ିଛି।
The post ଚାକିରି ନାଁରେ ଝିଅଙ୍କୁ ଅଟକ ଘଟଣା: ୬୦ ନୁହେଁ ଅଛନ୍ତି ଶତାଧିକ ଯୁବତୀ! first appeared on Sambad.from ଜିଲ୍ଲା | Sambad https://ift.tt/3sFG3zN
0 Comments