
ମାଲକାନଗିରି/କୋକସରା: ଗତ ଶନିବାର ଦିନ ମାଲାକନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ହୋଇଥିବା ବଡ଼ଧରଣର ନକ୍ସଲ ହମଲାରେ ୨୨ ଜଣ ଯବାନ ସହିଦ ହୋଇଥିଲେ। ସହିଦ ଯବାନଙ୍କ ମଧ୍ୟରେ ଓଡ଼ିଶାର ଜଣେ ଯବାନ ରହିଛନ୍ତି ସୂଚନା ମିଳିଛି। ସେ ହେଉଛନ୍ତି ସୁବାସ ନାୟକ। ଘର କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକ ଧନସରା ଗ୍ରାମରେ ବୋଲି ଜଣାପଡ଼ିଛି।
ସହିଦ୍ଙ୍କ ବାପା କୋକସରା ବ୍ଲକ୍ ଧନସରା ଗ୍ରାମର ସ୍ବର୍ଗତ ସୀତାରାମ ନାୟକ ଆଜିକୁ ପ୍ରାୟ ୪୦ ବର୍ଷରୁ ଊର୍ଦ୍ଧ୍ବ ହେବ ନିଜ ଜନ୍ମମାଟିକୁ ଛାଡ଼ି ପେଟପାଟଣା ପାଇଁ ଛତିଶଗଡ଼ ବିଜାପୁର ଥାନା ବାସାଗୁଡ଼ା ଗ୍ରାମରେ ସପରିବାର ରହୁଥିଲେ। ସୁବାସ ପାଠପଢ଼ା ପରେ ୨୦୧୯ରେ ସେନାବାହିନୀର ଡିଆର୍ଜି ଯବାନ ଭାବେ ଯୋଗ ଦେଇଥିଲେ। ପ୍ରଥମେ ଏସ୍ପିଓ ଭାବେ ପୁଲିସ ବିଭାଗରେ କାମ କରୁଥିଲେ। ବାସାଗୁଡ଼ାରେ ହୋଇଥିବା ନକ୍ସଲଙ୍କ ହମଲାରେ ସେ ବୀରତ୍ବର ସହ ଲଢ଼ିଥିଲେ। ତେଣୁ ତାଙ୍କ ସାମର୍ଥ୍ୟ ଏବଂ ସାହସକୁ ଦୃଷ୍ଟିରେ ରଖି ପଦୋନ୍ନତି ଦିଆଯାଇଥିଲା। ଏହାପରେ ଏସ୍ଟିଏଫ୍ରେ ଯୋଗଦେଇ ଅନେକ ନକ୍ସଲ ଦମନ ଅଭିଯାନରେ ସାମିଲ ହୋଇ ସଫଳତା ପାଇଥିଲେ। ଗତ ଶନିବାର ଦିନ ମଧ୍ୟ ତାଙ୍କୁ ଅପରେସନରେ ସାମିଲ କରାଯାଇଥିଲା। ଦୁର୍ଭାଗ୍ୟବଶତଃ ନକ୍ସଲଙ୍କ ଆମ୍ବୁସ୍ରେ ଫସି ଯାଇଥିଲେ। କିନ୍ତୁ ଶେଷ ପର୍ଯ୍ୟନ୍ତ ଦୃଢ଼ତାର ସହ ନକ୍ସଲଙ୍କ ବିରୋଧରେ ଲଢ଼ିଥିଲେ। ଲଢ଼େଇ କରୁ କରୁ ନକ୍ସଲଙ୍କ ଗୁଳିରେ ଘଟଣାସ୍ଥଳରେ ଟଳି ପଡିଥିଲେ।
ସୁବାସଙ୍କ ପରିବାର କହିଲେ ପତ୍ନୀ ଏବଂ ଛୋଟ ଝିତାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ବାସାଗୁଡ଼ା ସମେତ ନିଜ ପୈତୃକ ଗାଁ ଧନସରା ସମେତ ଗମ୍ଭାରୀଗୁଡ଼ା ପଞ୍ଚାୟତ ଚିକିଲି ଗାଁରେ ଗଭୀର ଶୋକ ପ୍ରକାଶ ପାଇଛି। ସହିଦ ଯବାନଙ୍କ ବାପାଙ୍କ ମୃତ୍ୟୁ ପରେ ସେ ମା ଉର୍ବଶୀଙ୍କ ସହ ଚିକିଲୀ ଗାଁରେ ମାମୁଁ ଘରେ ମଧ୍ୟ ରହୁଥିଲେ। ସହିଦ୍ ସୁବାସ ଚିକିଲୀ ଗାଁରେ ବିବାହ ମଧ୍ୟ କରିଥିଲେ। ସୁବାସଙ୍କ ବିଧବା ସ୍ତ୍ରୀ ଶାନ୍ତି ନାଏକ ଓ ୨ଝିଅ ଶେଫାଳି (୩ ବର୍ଷ) ଓ ଶ୍ରୁତି (୭ ବର୍ଷ) ଓ ପୁଅ ମଣିଶଙ୍କର (ଦେଢ଼ ବର୍ଷ) ଅଛନ୍ତି। ସହିଦଙ୍କ ପରିବାରକୁ ଓଡ଼ିଶା ସରକାର ସହାୟତା ଦେବାପାଇଁ ଚିକିଲୀ ଗ୍ରାମବାସୀ ଦାବି କରିଛନ୍ତି।
ଅନ୍ୟପକ୍ଷରେ ସୁବାସଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଛତିଶଗଡ଼ ପୁଲିସ ମହାନିର୍ଦ୍ଦେଶକ କହିଛନ୍ତି। ଏହାର ଉଚିତ ଜବାବ ନକ୍ସଲଙ୍କୁ ଦିଆଯିବ ବୋଲି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ୨୨ଜଣ ସହିଦ ପରିବାରଙ୍କୁ ୮୦ ଲକ୍ଷ ଟଙ୍କା ପ୍ରଦାନ ନେଇ ଘୋଷଣା କରିଛନ୍ତି। ଏଥିସହ ପରିବାରରୁ ଜଣଙ୍କୁ ଚାକିରି ମଧ୍ୟ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।
The post ସହିଦଙ୍କ ମଧ୍ୟରେ ଓଡ଼ିଆ ଯବାନ: ପୈତୃକ ଗାଁରେ ଶୋକାକୁଳ ପରିବେଶ first appeared on Sambad.from ଜିଲ୍ଲା | Sambad https://ift.tt/3rXqNxM
0 Comments