
ଅନୁଗୁଳ : ତତଲା ସହର ଅନୁଗୁଳ। ତାଳଚେର ତାତି ବି କିଛି କମ୍ ନୁହେଁ। ଅନୁଗୁଳ ଜିଲ୍ଲାର ଏହି ଦୁଇଟି ପ୍ରମୁଖ ସହର ଖରାଦିନେ ଜଳୁଛି। ଶିଳ୍ପ ସମୃଦ୍ଧ ଏହି ଅଞ୍ଚଳର ଅବସ୍ଥା ଏତେ ସାଙ୍ଘାତିକ ଯେ, ୨୦୧୮ମସିହାରେ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରଦୂଷଣ ତାଲିକାରେ ସ୍ଥାନ ଦେଇଥିଲା। ଇଲାକାର ପ୍ରଦୂଷଣ ଯେ ଜନଜୀବନ ପାଇଁ କ୍ଷତିକାରକ ତାହା ଚେତାଇ ଦେଇଥିଲା। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ସତର୍କତା ଉପରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବେଶ୍ ଚିନ୍ତା ପ୍ରକଟ କରିଥିବା ବେଳେ ପ୍ରଦୂଷଣ ଉପରେ କେମିତି ଅଙ୍କୁଶ ଲଗାଯିବ ସେଥିପାଇଁ ବିଧିବଦ୍ଧ ଯୋଜନା ଆରମ୍ଭ ହୋଇଛି। ଆଇଆଇଟି ଭୁବନେଶ୍ବର ଏବଂ ଏନ୍ଆଇଟି ରାଉର୍କେଲା ଏହାର ସର୍ଭେ ଏବଂ ପ୍ଲାନ୍ କରିବାକୁ ଯୋଜନା ଚାଲିଛି। ଏଥିପାଇଁ ଖୁବ୍ଶୀଘ୍ର ସ୍ଥାନୀୟ ପୌର ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ବୈଷୟିକ ସଂସ୍ଥାଙ୍କ ମଧ୍ୟରେ ରାଜିନାମା ସ୍ବାକ୍ଷରିତ ହେବାକୁ ଯାଉଥିବା ବୋର୍ଡ ସୂତ୍ରରୁ ସ୍ପଷ୍ଟ ହୋଇଛି ।
ରାଜ୍ୟ ପ୍ରଦୂଷଣ ବୋର୍ଡ ସୂତ୍ର ମୁତାବକ, ଏମିତି ମିଳିତ ରାଜିନାମାର ଉଦ୍ଦେଶ୍ୟ ହେଉଛି ଉଭୟ ସହରକୁ ସବୁ ଦିଗରୁ ପ୍ରଦୂଷଣ ମୁକ୍ତ କରିବା। ଅର୍ଥାତ୍, ସହର କେଉଁଥିପାଇଁ ପ୍ରଦୂଷଣ ହେଉଛି, ତା’ର କାରକ ଗୁଡ଼ିକ କ’ଣ, ଏହା କେମିତି ନିରାକରଣ ହୋଇପାରିବ। କେଉଁ ବିଭାଗ କି’ ଦାୟିତ୍ବ ତୁଲାଇବ ସେନେଇ କେବଳ ସର୍ଭେ ହେବ ନାହିଁ, ବରଂ ଯୋଜନା ପ୍ରସ୍ତୁତ ପରେ ବିଭିନ୍ନ ବିଭାଗ ମଧ୍ୟରେ ଦାୟିତ୍ବ ବଣ୍ଟାଯିବାକୁ ନିଷ୍ପତ୍ତି ହୋଇଛି। ଅର୍ଥାତ୍, ଏଥର ସହରର ପ୍ରଦୂଷଣ କେବଳ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜଗିବ ନାହିଁ, ସରକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଖଣି, ଖାଦାନ, ପରିବହନ, ଜଳଯୋଗାଣ ଆଦି ସବୁ ବିଭାଗ ପ୍ରଦୂଷଣକୁ ଯେମିତି ଜଗିବେ ସେଥିପାଇଁ ଯୋଜନା ହେଉଛି। ଏହି ଯୋଜନାର ସର୍ଭେ ଏବଂ ପ୍ଲାନ୍ କରିବା ପାଇଁ ଓଡ଼ିଶାର ଦୁଇଟି ପ୍ରମୁଖ ବୈଷୟିକ ଅନୁଷ୍ଠାନ ଏନ୍ଆଇଟି ରାଉର୍କେଲା ଓ ଆଇଆଇଟି ଭୁବନେଶ୍ବର ସହିତ ଯୋଗାଯୋଗ ହୋଇଛି ବୋଲି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡ. ଅନୁପ କୁମାର ମଲ୍ଲିକ ‘ସମ୍ବାଦ’କୁ କହିଛନ୍ତି। ତାଳଚେର ପାଇଁ ଏନ୍ଆଇଟି ରାଉରକେଲା କାମ କରିବାକୁ ରାଜି ହୋଇଥିବା ବେଳେ ଅନୁଗୁଳ ପାଇଁ ଆଇଆଇଟି ଭୁବନେଶ୍ବରଠାରୁ ସହମତି ମଗାଯାଇଛି। ସହମତି ଆସିଗଲେ ଖୁବ୍ଶୀଘ୍ର ଚୁକ୍ତିନାମା ସ୍ବାକ୍ଷରିତ ହେବ ବୋଲି ଡ. ମଲ୍ଲିକ କହିଛନ୍ତି ।
ଏହି କାମରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଭାଗିଦାରୀ ରହିବ। ବୈଷୟିକ ଅନୁଷ୍ଠାନ ସହିତ ସ୍ଥାନୀୟ ପୌର ପ୍ରଶାସନ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କର ତ୍ରି-ପାକ୍ଷିକ ଚୁକ୍ତି ହେବ। ଏଥିପାଇଁ ବୈଷୟିକ ଅନୁଷ୍ଠାନ ପ୍ଲାନ୍ ଦେବା ପରେ ଆବଶ୍ୟକ ଆର୍ଥିକ ସହାୟତା କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ କରିବ। ପୌର ପ୍ରଶାସନ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ ବୋର୍ଡ କାମର ତଦାରଖ କରିବାକୁ ଯୋଜନା ହୋଇଛି। ଯୋଜନା ତ୍ବରାନ୍ବିତ ହେଲେ ବହୁଳ ପ୍ରଦୂଷିତ ତାଲିକାରେ ଥିବା ଉଭୟ ସହରରେ ଅନେକ କଟକଣା କେବଳ ଲାଗୁ ହେବ ନାହିଁ, ବରଂ ପରିବେଶରେ ସୁଧାର ଆସିବ ବୋଲି ଆଶା କରାଯାଉଛି।
The post ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ବୈଷୟିକ କଲେଜ ପ୍ରତିଷ୍ଠା ଯୋଜନା: ତାଳଚେର ପାଇଁ ଏନ୍ଆଇଟି, ଅନୁଗୁଳ ପାଇଁ ଆଇଆଇଟି first appeared on Sambad.from ଜିଲ୍ଲା | Sambad https://ift.tt/2PwNig2
0 Comments