ପୁରୀ : ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତ, ସେବାୟତ, କର୍ମଚାରୀଙ୍କ ସ୍ଵାସ୍ଥ୍ୟ ଜନିତ ଜରୁରୀକାଳୀନ ସେବା ପାଇଁ ଆଜି ସିଂହଦ୍ବାରରେ ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରର ଶୁଭାରମ୍ଭ ‌ହୋଇଛି। ପବିତ୍ର ପଣା ସଂକ୍ରାନ୍ତିରେ ମହାପ୍ରଭୁଙ୍କ ଭକ୍ତଙ୍କ ହାତରେ ଏହି ପ୍ରାଥମିକ ଆଶୁ ଚିକିତ୍ସା କେନ୍ଦ୍ରର ଶୁଭାରମ୍ଭ କରାଯାଇଛି। ଦର୍ଶନ ପାଇଁ ଆସିଥିବା ଦୁଇଜଣ ବୟୋଜ୍ୟେଷ୍ଠ ଭକ୍ତ କଟକ ବଡ଼ମ୍ବାସ୍ଥିତ ଝଜିଆ ଗାଁ’ର ମାଟିଆ ସ୍ୱାଇଁ ଓ ପୁରୀ ଜିଲ୍ଲା ସାତପଡ଼ା ଆଳୁପାଟଣା ଗାଁ’ର ରାଜୁ ଜେନା ରିବନ୍‌ କାଟି ଏହି କେନ୍ଦ୍ରର ଶୁଭାରମ୍ଭ କରିଛନ୍ତି। ଦୁଇ ବରିଷ୍ଠ ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ ଏବଂ ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନର ବହୁ ସେବାୟତ, ବରିଷ୍ଠ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏହି ପ୍ରାଥମିକ ଚିକିତ୍ସା କେନ୍ଦ୍ର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଖୋଲାରହିବ। ଏଠାରେ ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଉପଲବ୍ଧ ହେବ। ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କୁ ବିଭିନ୍ନ ଚିକିତ୍ସାଳୟକୁ ଭକ୍ତଙ୍କୁ ସ୍ଥାନାନ୍ତର ପାଇଁ ଦୁଇଟି ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି।

The post ସିଂହଦ୍ବାରରେ ଖୋଲିଲା ସ୍ବାସ୍ଥ୍ୟକେନ୍ଦ୍ର, ଭକ୍ତ କଲେ ଉଦ୍‌ଘାଟନ first appeared on Sambad.

from ଜିଲ୍ଲା | Sambad https://ift.tt/3wVqabY