ଫୁଲବାଣୀ: ଟିକାର ଅଭାବ କାରଣରୁ କନ୍ଧମାଳ ଜିଲ୍ଲାରେ ଟିକାଦାନ କାର୍ଯ୍ୟକ୍ରମ ଠପ୍‌ ହୋଇଯାଇଛି। ଆବଶ୍ୟକ ମାତ୍ରାରେ ଟିକା ଯୋଗାଣ ହୋଇ ପାରୁନଥିବାରୁ ଟିକାକରଣ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଭାରତର ପ୍ରଧାନମନ୍ତ୍ରୀ ଯେଉଁ ‘ଟିକା ଉତ୍ସବ’ର ସ୍ଲୋଗାନ୍ ଦେଇଥିଲେ ତାହା କେବଳ ସ୍ଲୋଗାନରେ ହଁ ସୀମିତ  ‌ହୋଇ ରହିଯାଇଛି। କନ୍ଧମାଳ ଜିଲ୍ଲାରେ ମୋଟ ୧୪ଟି ଟିକାକରଣ କେନ୍ଦ୍ର ମାଧ୍ୟମରେ ଟିକାଦାନ କରାଯାଉଛି। ତେବେ ଗତ ସପ୍ତାହଠାରୁ ଟିକାକରଣ ପ୍ରକ୍ରିୟାରେ ବିଭ୍ରାଟ ଉପୁଜିଛି। ଆବଶ୍ୟକ ପରିମାଣର ଟିକା ଆସୁ ନଥିବାରୁ କନ୍ଧମାଳ ଜିଲ୍ଲାରେ ଟିକାଦାନ କାର୍ଯ୍ୟକ୍ରମ ଏକପ୍ରକାର ବନ୍ଦ ଅବସ୍ଥାକୁ ଚାଲିଆସିଛି। ଟିକା ନଥିବାରୁ ଆଜି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଟିକାଦାନ କେନ୍ଦ୍ର ସମେତ ବାଲିଗୁଡ଼ା, ଚକାପାଦ, ଖଜୁରୀପଡ଼ା, ଫିରିଙ୍ଗିଆ ଓ ଟିକାବାଲି ଆଦି କେନ୍ଦ୍ରରେ ଟିକାକରଣ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା। ତେବେ ଆଉ କେତେକ ଟିକାଦାନ କେନ୍ଦ୍ରରେ ଯାହା କିଛି ଟିକା ଥିଲା ତାହା ମଧ୍ୟ ଶେଷ ହୋଇଯାଇଛି। ଫଳରେ ଆସନ୍ତାକାଲିଠାରୁ ଜିଲ୍ଲାରେ ଟିକାକରଣ ପ୍ରକ୍ରିୟା ବନ୍ଦ ରହିବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି। ତେବେ ଆସନ୍ତାକାଲି କିମ୍ବା ଗୁରୁବାର ୪,୦୦୦ ଟିକା ପହଞ୍ଚିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସୂତ୍ରରୁ ପ୍ରକାଶ। ତେବେ ଏହା ମାତ୍ର ଗୋଟିଏ ଦିନରେ ଶେଷ ହୋଇଯିବ। ଏଣୁ ପ୍ରଧାନମନ୍ତ୍ରୀଙ୍କ ‘ଟିକା ଉତ୍ସବ’ କାର୍ଯ୍ୟକ୍ରମ କନ୍ଧମାଳ ଜିଲ୍ଲାରେ ଅର୍ଥଶୂନ୍ୟ ପାଲଟିଛି। ବିନା ଟିକାରେ ଏଠି ‘ଟିକା ଉତ୍ସବ’ ଚାଲିଛି ବୋଲି କଂଗ୍ରେସ ନେତା ଘନ କୁମାର ଶବର ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଲାରେ ଆଜି ପୁଣି ୧୩ ଜଣ ନୂଆ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫୁଲବାଣୀ ପୌରପାଳିକାରେ ୨ ଜଣ କୋଭିଡ ପଜିଟିଭ୍ ଚିହ୍ନିତ ହୋଇଥିବା ବେଳେ ଟିକାବାଲିରେ ଜଣେ, କୋଟଗଡ଼ରେ ୨ ଜଣ, ଚକାପାଦରେ ଜଣେ, ଘୁ.ଉଦୟଗିରିରେ ୩ ଜଣ, ରାଇକିଆରେ ୩ ଜଣ ଏବଂ ବୌଦ୍ଧରେ ଜଣେ  କୋଭିଡ୍ ପଜିଟିଭ୍ ଚିହ୍ନିତ ହୋଇଛନ୍ତି। ଏସବୁ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ୍ ଜୋନ୍‌ ଘୋଷଣା କରାଯାଇଛି। ଅପରପକ୍ଷେ, ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ଯାଞ୍ଚର ବ୍ୟବସ୍ଥା କରାଯାଇଛି।
ଜିଲ୍ଲା ପ୍ରଶାସନର ତଥ୍ୟ ଅନୁସାରେ, ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ କାଳରେ କନ୍ଧମାଳ ଜିଲ୍ଲାକୁ ରାଜ୍ୟ ବାହାରୁ ୩୪୦ ଜଣ ପ୍ରବାସୀ ଫେରିଛନ୍ତି। ପ୍ରଥମେ ଏମାନଙ୍କୁ ହୋମ୍‌ ଆଇସୋଲେସନରେ ରଖାଯାଉଥିଲା। ତେବେ ସରକାରଙ୍କ ନୂଆ ଗାଇଡଲାଇନ ଅନୁସାରେ, ଏମାନଙ୍କୁ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ଦେଖାଇବାକୁ ପଡୁଛି। ନୂଆ ଗାଇଡ୍‌ଲାଇନ ଅନୁସାରେ ରାଜ୍ୟ ବାହାରୁ ଫେରୁଥିବା ପ୍ରବାସୀମାନଙ୍କୁ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର (ଟିଏମ୍‌ସି)ରେ ରଖାଯାଉଛି। ଆଜି ସୁଦ୍ଧା ଜିଲ୍ଲାରେ ୩୭ଟି ଟିଏମ୍‌ସି କାର୍ଯ୍ୟ କରୁଛି। ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ସମୟରେ ଜିଲ୍ଲାରେ ମୋଟ ୨୦୦ଟି ଟିଏମ୍‌ସି ଖୋଲାଯାଇଥିଲା।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପ୍ରତି ତହସିଲଦାର ଏବଂ ସ୍ଥାନୀୟ ଥାନାଧିକାରୀଙ୍କୁ ନେଇ ଏକ ସଚେତନତା ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ବିଭିନ୍ନ ହାଟ, ବଜାର ବୁଲି ଲୋକଙ୍କୁ ମାସ୍କ୍୍ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ନେଇ ସଚେତନତା ସୃଷ୍ଟି କରୁଛି। ସେହିଭଳି ଯେଉଁମାନେ ରାସ୍ତାଘାଟରେ ଛେପ ପକାଉଛନ୍ତି ସେମାନଙ୍କ ଉପରେ ପୁଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅପରପକ୍ଷେ, ଫିରିଙ୍ଗିଆ ପୁଲିସ ପକ୍ଷରୁ ଆଜି ଅଭିନବ ଉପାୟରେ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଯମ ମହାରାଜ ଏବଂ ଚିତ୍ରଗୁପ୍ତଙ୍କ ଜରିଆରେ ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ମାସ୍କ୍ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ସର୍ବସାଧାରଣ ସ୍ଥଳରେ ଛେପ ନ ପକାଇବା ନେଇ ସଚେତନତା ସୃଷ୍ଟି କରାଯାଇଛି। ଫିରିଙ୍ଗିଆ ଥାନାଧିକାରୀ ପି.ଏସ୍‌. ରାଓ ଏହାର ନେତୃତ୍ବ ନେଇଥିଲେ।
The post କନ୍ଧମାଳ ଜିଲ୍ଲାରେ ସ୍ଲୋଗାନ୍‌ରେ ସୀମିତ ପ୍ରଧାନମନ୍ତ୍ରୀଙ୍କ ‘ଟିକା ଉତ୍ସବ’ first appeared on Sambad.

from ଜିଲ୍ଲା | Sambad https://ift.tt/2QrE6te