ରାଉରକେଲା : ମହାନ ଗାନ୍ଧୀବାଦୀ, ବର୍ଷୀୟାନ୍‌ ଶ୍ରମିକ ନେତା, ସମାଜସେବୀ ତଥା ଇସ୍ପାତ ସହରର ଜଣେ ମୁରବି ବଟକୃଷ୍ଣ ପଣ୍ଡାଙ୍କର ଶନିବାର ସଂଧ୍ୟାରେ କରୋନାରେ ପରଲୋକ ହୋଇଯାଇଛି। ତାଙ୍କୁ ୯୪ ବୟସ ହୋଇଥିଲା। ତାଙ୍କ ବିୟୋଗରେ ସହରର ବିଭିନ୍ନ ଅନୁଷ୍ଠାନ, ରାଜନୈତିକ ନେତା ଓ ସମାଜସେବୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ, ବରିଷ୍ଠ ଶ୍ରମିକ ‌ନେତା ପ୍ରଭାତ ମିଶ୍ର, ବିଜେପିର ବରିଷ୍ଠ ନେତା ନିହାର ରାୟ, ସଚେତନ ନାଗରିକ ମଞ୍ଚର ପି ପି ରାୟ, ଆରଏସ୍‌ପିପର ପୂର୍ବତନ ଅଧିକାରୀ ନାରାୟଣ ପତି, ଶ୍ରମିକ ନେତା ବୈଦ୍ୟନାଥ ଦାସ, ପଞ୍ଚାନନ ସେନାପତି, ଶକ୍ତି ବାହିନୀ ତଥା ରାଉରକେଲା ବ୍ରାହ୍ମଣ ମହାସଭାର ଶ୍ରଦ୍ଧା ଷଡଙ୍ଗୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରି ରାଉରକେଲା ଜଣେ ମୁରବିଙ୍କୁ ହରାଇଲା ବୋଲି କହିଛନ୍ତି। ଆର୍‌ଏସ୍‌ଏସ୍‌ର କାର୍ଯ୍ୟକାରୀ ସଭାପତି ହରିହର ରାଉତରାୟ ଓ ପୂର୍ବତନ ନଗରପାଳ ରମେଶ ବଳ ସ୍ବର୍ଗତ ପଣ୍ଡାଙ୍କ କରୋନା ଜନିତ ମୃତ୍ୟୁ ଏକ ଅବିଶ୍ବସନୀୟ ସମ୍ବାଦ ବୋଲି କହିଛନ୍ତି।

ସ୍ବର୍ଗତ ପଣ୍ଡା ରାଉରକେଲାର ବଟବୃକ୍ଷ ସଦୃଶ ଥିଲେ। ସହରର ପ୍ରମୁଖ ସମସ୍ୟା ପାଇଁ ସେ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲେ। ଜଣେ ଶ୍ରମିକ ନେତା ଭାବେ ଶ୍ରମିକଙ୍କ ହକ୍‌ ପାଇଁ ଲଢ଼ୁଥିଲେ। ହୀରାକୁଦ ଆନ୍ଦୋଳନରେ ଯୋଗ ଦେଇ ସେ ଜେଲ ଯାଇଥିଲେ। ସହରର ଅନେକ ଅନୁଷ୍ଠାନର ସେ ଥିଲେ ପ୍ରତିଷ୍ଠାତା, ଯାହା ମଧ୍ୟରେ ରହିଛି ସେକ୍ଟର-୫ ଗୁଣ୍ଡିଚା ମନ୍ଦିର।

The post ଶ୍ରମିକ ନେତା ବଟକୃଷ୍ଣ ପଣ୍ଡାଙ୍କ ପରଲୋକ first appeared on Sambad.

from ଜିଲ୍ଲା | Sambad https://ift.tt/3dOkhpl