
କଟକ: କେନ୍ଦ୍ରାଞ୍ଚଳ ଆରଡିସି ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ବଡ ମେଡିକାଲରୁ ଦଲାଲ ହଟାଇବା ସଂପର୍କରେ ଜିଲ୍ଲାର ଅଧିକାରୀ, କଟକର ୬୦/୭୦ଜଣ ଘରୋଇ ନର୍ସିଂହୋମ ଓ ଡାଇଗ୍ନୋଷ୍ଟିକ୍ ସେଣ୍ଟର ସତ୍ବାଧିକାରୀଙ୍କୁ ନେଇ ଏକ ବୈଠକ ଅନଷ୍ଠିତ ହୋଇଛି। ଯଦି କୌଣସି ନର୍ସିଂହୋମର କର୍ମଚାରୀ ବା କିଏ ଦଲାଲ ଗିରଫ ହୁଅନ୍ତି ତାହେଲେ ମାଲିକମାନଙ୍କ ନାଁରେ ଏତଲା ଦିଆଯିବ, ନର୍ସିଂହୋମ ସିଲ୍ ହେବ ଓ ମାଲିକମାନେ ବି ବନ୍ଧା ହେବେ ବୋଲି ବୈଠକରେ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟପଟେ ଘରୋଇ ନର୍ସିଂହୋମ ଓ ଡାଗ୍ନୋଷ୍ଟିକ୍ର କର୍ମକର୍ତ୍ତାମାନେ ମଧ୍ୟ ଅଭିଯୋଗ ଆଣିଥିଲେ ଯେ, ଏସ୍ସିବିରେ ଠିକ୍ଭାବରେ ଚିକିତ୍ସା କରାଯାଉନି ଓ ଘରୋଇ ହସ୍ପିଟାଲକୁ ରୋଗୀ ସ୍ଥାନାନ୍ତର ଘଟଣାରେ ସେଠିକାର ଡାକ୍ତର ଓ କର୍ମଚାରୀଙ୍କ ମଧ୍ୟ ସଂପୃକ୍ତି ରହିଛି। ସେ ସଂପର୍କରେ ଅନୁଧ୍ୟାନ କରାଯିବ ଓ ଉଚ୍ଚସ୍ତରୀୟ ବୈଠକ ବସିବ ବୋଲି ଆରଡିସି ସୂଚନା ଦେଇଥିଲେ।
ଆରଡିସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମ୍ସି କମିଶନର ଅନନ୍ୟା ଦାସ, କମିଶନରେଟ୍ ପୁଲିସର ଏଡିସିପି, ଏସ୍ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା, ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ, ସିଡିଏମ୍ଓ ଡାକ୍ତର ସତ୍ୟବ୍ରତ ଛୋଟରାୟଙ୍କ ସମେତ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଉପସ୍ଥିତ ଥିଲେ। ଏସ୍ସିବିରେ ଚିକିତ୍ସା ବ୍ୟବସ୍ଥାରେ କିପରି ସୁଧାର ଅଣାଯିବ, ବିଭିନ୍ନ ପରୀକ୍ଷା ପାଇଁ ରୋଗୀ ଯେଉଁଭଳି ହନ୍ତସନ୍ତ ହେଉଛନ୍ତି ତାର ସମାଧାନ, କାଉଣ୍ଟର ସଂଖ୍ୟା ବୃଦ୍ଧିକୁ ନେଇ ଆସନ୍ତାକାଲି ଆରଡିସି ସମୀକ୍ଷା କରିବେ। ସେଥିରେ ଡିଏମ୍ଇଟି ମଧ୍ୟ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ଏସ୍ସିବିକୁ ବିଶ୍ବସ୍ତରୀୟ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯିବା ଉପରେ ବୈଠକରେ ଜିଲ୍ଲାପାଳ ଓ ସିଏମ୍ସି କମିଶନର ଗୁରୁତ୍ବାରୋପ କରିଥିଲେ।
The post ଏସ୍ସିବିରୁ ସଂପୂର୍ଣ୍ଣ ହଟିବେ ‘ଦଲାଲ’ first appeared on Sambad.from ଜିଲ୍ଲା | Sambad https://ift.tt/39OBHjw
0 Comments