କଟକ : ସାରଳା ସାହିତ୍ୟ ସଂସଦ ପକ୍ଷରୁ ପ୍ରତି ବର୍ଷ ଦିଆଯାଉଥିବା ସମ୍ମାନଜନକ ‘ସାରଳା ସମ୍ମାନକୁ ନେଇ ଏବେ ସାହିତ୍ୟିକ ଓ ବୁଦ୍ଧିଜୀବୀ ମହଲ‌ରେ ବିଶେଷ ଚର୍ଚ୍ଚା। ଚଳିତ ବର୍ଷ ଏହି ସମ୍ମାନ ବିଶିଷ୍ଟ କବି ରାଜେନ୍ଦ୍ର କିଶୋର ପଂଡାଙ୍କୁ ଦିଆଯିବ ବୋଲି ସାରଳା ସାହିତ୍ୟ ସଂସଦ ପକ୍ଷରୁ ସୂଚନା ଦିଆଯାଇଥିଲା। ଏପ୍ରିଲ ୨ ତାରିଖରେ ସାରଳା ଭବନରେ ଅନୁଷ୍ଠିତ ହେବାକୁ ଥିବା ସ୍ବତନ୍ତ୍ର ଉତ୍ସବରେ ଦେଶର ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ଏହି ସମ୍ମାନ ପ୍ରଦାନ କରିବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା। ତେବେ କୌଣସି ସୂଚନା ନଥାଇ ଏହି ସମ୍ମାନ ଗତକାଲି ଦିଆ ନଯିବା ଘଟଣା ଏବେ ଚର୍ଚ୍ଚାର କାରଣ ହୋଇଛି। ନିର୍ଦ୍ଦିଷ୍ଟ ଭାବେ କେଉଁ କାରଣରୁ ଏହି ସମ୍ମାନ ପ୍ରଦାନ କରାଗଲା ନାହିଁ, ସେ ସଂପର୍କରେ ସାରଳା ସାହିତ୍ୟ ସଂସଦ କର୍ତ୍ତୃପକ୍ଷ କୌଣସି ସୂଚନା ଦେଉ ନଥିବାରୁ ଏହା ଏଯାଏ ରହସ୍ୟ ହୋଇ ରହିଛି।

ସାରଳା ସାହିତ୍ୟ ସଂସଦର ୪୦ତମ ବାର୍ଷିକ ଉତ୍ସବ ଓ ଆଦିକବି ସାରଳା ଦାସଙ୍କ ୬୦୦ତମ ଜନ୍ମ ବାର୍ଷିକୀ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଏମ. ଭେଙ୍କେୟା ନାଇଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ଯେଉଁ ନିମନ୍ତ୍ରଣ ପତ୍ର ଛପା ଯାଇଥିଲା, ସେଥିରେ ଉପରାଷ୍ଟ୍ରପତି କଳିଙ୍ଗ ରତ୍ନ ଓ ସାରଳା ସମ୍ମାନ ପ୍ରଦାନ କରିବେ ବୋଲି ଉଲ୍ଲେଖ ରହିଥିଲା। ନିମନ୍ତ୍ରଣପତ୍ରର ଉଲ୍ଲେଖ ଅନୁଯାୟୀ ସମସ୍ତ ଅତିଥିବୃନ୍ଦ ଉପସ୍ଥିତ ଥିଲେ। କିନ୍ତୁ ଏତେ ସବୁ ସତ୍ତ୍ବେ କାର୍ଯ୍ୟକ୍ରମରେ ସାରଳା ସମ୍ମାନ ପ୍ରଦାନ କରାଗଲା ନାହିଁ କି ପୁରସ୍କାର ପାଇବାକୁ ଥିବା କବି ରାଜେନ୍ଦ୍ର କିଶୋର ପଂଡାଙ୍କୁ ଦେଖିବାକୁ ମିଳିଲା ନାହିଁ। ସବୁଠୁ ଚକିତ କଲା ଭଳି ପ୍ରସଙ୍ଗ ହେଉଛି ଏହି ସମ୍ମାନ ପ୍ରଦାନ କରା ନଯିବାର କାରଣ, ଅଥବା ଆଗକୁ ପୁରସ୍କାର କେବେ ପ୍ରଦାନ କରାଯିବ, ସେ ନେଇ ସଂସଦ ପକ୍ଷରୁ କୌଣସି ସୂଚନା ମଧ୍ୟ ଦିଆଗଲା ନାହିଁ।

ଶ୍ରୀ ପଂଡାଙ୍କ କେତେକ ଲେଖାକୁ ନେଇ ପୂର୍ବରୁ ବିବାଦ ରହିଛି। ନିର୍ଦ୍ଦିଷ୍ଟ ଭାବେ ସେଥିପାଇଁ ଶେଷ ମୁହୂର୍ତ୍ତରେ କୌଣସି ଚାପ ଅଥବା ଅନ୍ୟ କୌଣସି କାରଣରୁ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମରୁ ଏହି ସମ୍ମାନ ପ୍ରଦାନକୁ ବାଦ ଦିଆଗଲା ନା ଏହା ପଛରେ ଅନ୍ୟ କୌଣସି ରହସ୍ୟ ରହିଛି, ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

The post କାହିଁକି ଦିଆଗଲାନି ସମ୍ମାନଜନକ ‘ସାରଳା ସମ୍ମାନ? first appeared on Sambad.

from ଜିଲ୍ଲା | Sambad https://ift.tt/3dw9TRU