ପୁରୀ : ପିପିଲି ନିର୍ବାଚନକୁ କେନ୍ଦ୍ର କରି ଗତ ୧୧ ତାରିଖ ଦିନ ଡେଲାଙ୍ଗ ଜେନାପୁରରେ ଘଟିଥିବା ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ହୋଇ କ୍ୟାପିଟାଲ୍‌ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ଯୁବକଙ୍କର ଆଜି ମୃତ୍ୟୁ ଘଟିଛି। ଏନେଇ ମୃତକଙ୍କ ପତ୍ନୀ ବନିତା ବେହେରା ଆଜି ଡେଲାଙ୍ଗ ଥାନାରେ ବିଜେପି ସମର୍ଥକ ତିନି ଭାଇଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇ ଭାଇ ଫେରାର ହୋଇଯାଇଛନ୍ତି।

ପିପିଲି ଏସ୍‌ଡିପିଓ ଦେବଦତ୍ତ ବରାଳଙ୍କଠାରୁ ପ୍ରକାଶ ଯେ ଗତ ୧୧ ତାରିଖ ଦିନ ଡେଲାଙ୍ଗ ଥାନାର ଜେନାପୁର(ଦେପୁର)ରେ ଏକ ନିର୍ବାଚନୀ ହିଂସା ଘଟିଥିଲା। ବନିତା ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଁ’ର ବିଜେପି ସମର୍ଥକ ଦେପୁର ବାହ୍ମଣ ସାହିର ରମେଶ ଚନ୍ଦ୍ର ଷଡ଼ଙ୍ଗୀ ( ପେଜୁଆ) ଉମେଶ ଚନ୍ଦ୍ର ଷଡଙ୍ଗୀ ( ଅର୍ମି) ଓ ସତ୍ୟନାରାୟଣ ଷଡ଼ଙ୍ଗୀ ମିଶି ତାଙ୍କ ଘରକୁ ଆସିଥିଲେ। ତାଙ୍କ ସ୍ବାମୀ ପାଣ୍ଡବ ବେହେରାଙ୍କୁ ୫ ହଜାର ଟଙ୍କା ଦେଇ ବିଜେପି ପାଇଁ ପ୍ରଚାର କରିବାକୁ କହିଥିଲେ। ପାଣ୍ଡବ ଏଥିରେ ସହମତି ପ୍ରକାଶ ନକରିବାରୁ ସେମାନେ ମିଳିମିଶି ପାଣ୍ଡବଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ପାଣ୍ଡବ ଗୁରୁତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡ, ଅଣ୍ଟା ଓ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ପ୍ରାଥମିକ ଚିକିତ୍ସା ପରେ ପାଣ୍ଡବଙ୍କୁ ଘରେ ରଖି ପତ୍ନୀ ବନିତା ସେବା ଶୁଶ୍ରୂଷା କରିଥିଲେ। ମାତ୍ର ଆଜି ତାଙ୍କର ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ସେମାନେ ପାଣ୍ଡବଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲକୁ ନେଇଯାଇଥିଲେ। ମାତ୍ର ଏଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ବନିତାଙ୍କ ଅଭିଯୋଗକୁ ଭିତ୍ତି କରି ଡେଲାଙ୍ଗ ଥାନାରେ ୮୮/୨୧ ନମ୍ବରରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା। ପୁଲିସ ରମେଶକୁ ଗିରଫ କରିଥିବା ଡେଲାଙ୍ଗ ଥାନା ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ କହିଛନ୍ତି।

The post ପିପିଲି ନିର୍ବାଚନୀ ହିଂସା : ବିଜେପି ସମର୍ଥକଙ୍କ ଆକ୍ରମଣରେ ଯୁବକ ମୃତ first appeared on Sambad.

from ଜିଲ୍ଲା | Sambad https://ift.tt/3diWD4f