ମାଲକାନଗିରି : ଭୋକ ମଣିଷକୁ ଅବାଟରେ ନେଇଯାଏ। ଏପରିକି ବାଟରୁ ଉଠାଇ ପେଟ ଭର୍ତ୍ତି କରିବାକୁ ବି ବାଧ୍ୟ କରେ। ମାଲକାନଗିରି ସଦର ମହକୁମାରେ ଆଜି ଏମିତି ଏକ ବିଷଣ୍ଣ ତଥା ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭୋକ ବିକଳରେ ଜଣେ ଅସହାୟ ବୃଦ୍ଧା ରାସ୍ତା ଉପରେ ବିଛାଡ଼ି ହୋଇ ପଡ଼ିଥିବା ତରକାରି ଗୋଟାଇ ଖାଇବା ଦେଖିବାକୁ ମିଳିଥିଲା।

ବୃଦ୍ଧାଙ୍କ ବୟସ ପାଖାପାଖି ୭୦ ହେବ। ଚାଲିବା ପାଇଁ ବଳ ପାଉନି। ଏମିତି ସ୍ଥିତିରେ ଯିଏ ଯାହା ଦେଲା ସେଥିରେ ପେଟ ଭର୍ତ୍ତି କରୁଛନ୍ତି। ବଞ୍ଚିବା ପାଇଁ ଅହରହ ସଂଘର୍ଷ କରୁଛନ୍ତି। ଆଜି କେହି ଜଣେ ତାଙ୍କୁ ଖାଇବା ପାଇଁ ପୁରି ଏବଂ ତରକାରି ଦେଇଥିଲା। ଏହାକୁ ନେଇ ସେ ନିଜ ଆଶ୍ରୟ ଆଡ଼କୁ ଚାଲିଥିଲେ। କିନ୍ତୁ ଥରଥର ହାତରୁ ଖସି ପଡ଼ିଥିଲା ପଲିଥିନ୍‌ରେ ରହିଥିବା ତରକାରି। ରାସ୍ତା ଉପରେ ପଡ଼ି ପ୍ୟାକେଟ୍ ଫାଟି ଚାରି ଆଡ଼କୁ ବୋହିବା ଆରମ୍ଭ କରିଥିଲା ତରକାରି। ଯାହାକି ବୃଦ୍ଧାଙ୍କୁ କିଛି ସମୟ ପାଇଁ ନିର୍ବାକ କରି ଦେଇଥିଲା। କିନ୍ତୁ ଭୋକର ଜ୍ବାଳ ଏମିତି ଥିଲା ଯେ, ଆଉ ବାଛ ବିଚାର ନକରି ସେଠାରେ ହିଁ ବସି ପଡ଼ିଥିଲେ। ଅନ୍ୟ ପ୍ୟାକେଟରୁ ପୁରି ବାହାର କରି ରାସ୍ତା ଉପରେ ପଡ଼ିଥିବା ତରକାରିରେ ଲଗାଇ ଖାଇବା ଆରମ୍ଭ କରିଥିଲେ। ଏତେ ମାତ୍ରାରେ ଦୁର୍ବଳ ହୋଇଯାଇଛନ୍ତି ଯେ କଥା କହିବାକୁ ବି ବୃଦ୍ଧାଙ୍କର ବଳ ନାହିଁ। ରାସ୍ତା ଉପରେ ପଡ଼ିଥିବା ତରକାରିକୁ ନ ଖାଇବା ପାଇଁ ଅନୁରୋଧ କରିବା ସତ୍ତ୍ବେ ସେ କାହା କଥା ଶୁଣି ନଥିଲେ।

The post ଭୋକ ଓ ଦାରିଦ୍ର୍ୟର କରୁଣ ଦୃଶ୍ୟ: ତଳୁ ଗୋଟାଇ ଖାଇଲେ ବୃଦ୍ଧା first appeared on Sambad.

from ଜିଲ୍ଲା | Sambad https://ift.tt/3sjJFr8