ସିନାପାଲି: ଓଡ଼ିଶା ସୀମାନ୍ତ ସିନାପାଲି ବ୍ଲକ୍‌ ଘାଟମାଲ ପଞ୍ଚାୟତର ଝୋଲାପଡ଼ା ଗାଁରେ ଜଳ ସଂକଟ ଉତ୍କଟ ରୂପ ଧାରଣ କରିଛି। ପାଣି ମୁନ୍ଦିଏ ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ବହୁ ପରିଶ୍ରମ କରି ପଥର କୋରଡ଼ରୁ ପିଇବା ପାଣି ସଂଗ୍ରହ କରୁଛନ୍ତି।

ପ୍ରକାଶ ଯେ ବ୍ଲକ୍‌ ସଦରମହକୁମାଠାରୁ ୩୫ କିମି ଦୂରରେ ଥିବା ଏହି ଗାଁରେ ପହରିଆ ସମ୍ପ୍ରଦାୟର ଲୋକେ ରହୁଛନ୍ତି। ସମସ୍ତେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଛନ୍ତି। ବଣଜଙ୍ଗଲ ଘେରା ଅଞ୍ଚଳ ହୋଇଥିବାରୁ ଲଘୁ ବନଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି। ଖରାଦିନେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଯାଏ। ପାଣି ମୁନ୍ଦାଏ ପାଇବା ପାଇଁ ଜଙ୍ଗଲକୁ ଲାଗିଥିବା ପଥର କୋରଡ଼କୁ ଧାଇଁଥାନ୍ତି। ଏପରିକି ଗାଧୋଇବା, ଶୌଚ ସାଙ୍ଗକୁ ନିତ୍ୟ ବ୍ୟବହାର୍ଯ୍ୟ ପାଇଁ ମଧ୍ୟ ଏହି କୋରଡ଼ ଜଳ ଉପରେ ନିର୍ଭର କରୁଛନ୍ତି।

ଖରାଦିନେ ଏହି କୋରଡ଼ର ଜଳସ୍ତର ମଧ୍ୟ କମି ଯାଇଥାଏ। ଫଳରେ ଅନେକ ସମୟ ଅପେକ୍ଷା କରିବା ପରେ ପାଣି ପାଇଥାନ୍ତି ମହିଳାମାନେ। ଗାଁରେ ନଳକୂଅଟିଏ ଖୋଳିବା ପାଇଁ ଅନେକ ସମୟରେ ପ୍ରଶାସନ ନିକଟରେ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଅନେକ ଅଧିକାରୀ ଗାଁରେ ଗୋଟିଏ କୂଅ ଖୋଳିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। ହେଲେ କେବେ ବି ତାହା କାର୍ଯ୍ୟକାରୀ ହୋଇପାରୁନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଗାଁକୁ ରାସ୍ତା ନଥିବାରୁ ନଳକୂଅ ଖନନ ଗାଡ଼ି ଯାଇପାରୁନାହିଁ ବୋଲି ଅଧିକାରୀମାନେ କହୁଛନ୍ତି।

The post ସୀମାନ୍ତରେ ଜଳକଷ୍ଟ, ପଥର କୋରଡ଼ରୁ ପିଇବା ପାଣି ସଂଗ୍ରହ first appeared on Sambad.

from ଜିଲ୍ଲା | Sambad https://ift.tt/31ZXkJ6