
ଜଳେଶ୍ବରରୁ କରାଯାଇ ଥିଲା ଅପହରଣ
ଫତେଗଡ଼ ଥାନାରେ ମାମଲା ରୁଜୁ
ଜଳେଶ୍ବର ପୁଲିସ ଓ ପରିବାରବର୍ଗଙ୍କୁ ପୀଡ଼ିତାଙ୍କୁ ହସ୍ତାନ୍ତର
ଡାକ୍ତରୀ ମାଇନା ସହ ୧୬୪ ଧାରାରେ ବୟାନ ରେକର୍ଡ
ଭାପୁର : ବାଲେଶ୍ବରର ଜଳେଶ୍ବର ଥାନା ଖୁଲୁଡ଼ା ଅଞ୍ଚଳରୁ ୫ ବର୍ଷର କନ୍ୟା ସନ୍ତାନ ଥିବା ଜଣେ ମହିଳାଙ୍କୁ ଏକ ଦାମୀ କାର୍ରେ ଉଠାଇ ଆଣି ଏକ ହାଇୱା ଟ୍ରକ୍ କ୍ୟାବିନ୍ରେ ରଖି ୨୧ ଦିନ ଧରି ଦୁଷ୍କର୍ମ କରାଯାଇ ଥିବା ନେଇ ଫତେଗଡ଼ ଥାନାରେ ଅଭିଯୋଗ ହୋଇଛି। ଖବର ପାଇବା ପରେ ଅପହୃତା ମହିଳାଙ୍କୁ ତାଙ୍କ ସ୍ବାମୀ ଫତେଗଡ଼ ଥାନାରୁ ଆସି ନେଇଯାଇଥିବା ଜଣାପଡ଼ିଛି।
ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ସୂତ୍ରରୁ ପ୍ରକାଶ ଯେ, ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଏକ କଲେଜ ନିକଟରେ ଜନୈକା ୨୫ ବର୍ଷୀୟା ମହିଳା (ଛଦ୍ମନାମ ମମତା) ତାଙ୍କ ସ୍ବାମୀ, ୫ ବର୍ଷର କନ୍ୟା ଓ ଭଉଣୀ ସହ ଭଡ଼ାରେ ରହୁଛନ୍ତି। ମମତା ଉକ୍ତ କଲେଜରେ ଯୁକ୍ତ ୩ ପଢ଼ୁଛନ୍ତି। ଗତ ୨୪ ତାରିଖ ଦିନ ମମତା କିଛି କାଗଜପତ୍ର ଜେରକ୍ସ କରିବା ପାଇଁ ନିକଟସ୍ଥ ଦୋକାନକୁ ଚାଲିଚାଲି ଯାଉଥିବା ସମୟରେ ଗୋଟିଏ ବଲେରୋ ମମତାଙ୍କ ନିକଟରେ ଅଟକିବା ସହ ଆଗକୁ ଯିବା ପାଇଁ ରାସ୍ତା ପଚାରିଥିଲେ। କାର୍ ଆଗରେ ବସିଥିବା ବ୍ୟକ୍ତି ମମତାଙ୍କୁ ପଚାରୁଥିବା ବେଳେ ପଛ ସିଟ୍ରେ ବସିଥିବା ବ୍ୟକ୍ତି ଜଣକ ହଠାତ୍ ଗାଡ଼ିର ଡୋର୍ ଖୋଲିଦେବାରୁ ତାହା ମମତାଙ୍କ ମୁଣ୍ତରେ ମାଡ଼ ହୋଇଥିଲା ଓ ସେ ତଳେ ପଡ଼ିଯାଇଥିଲେ ଓ ଅଚେତ ହୋଇଯାଇଥିଲେ।
ଏହାପରେ ସେମାନେ ତାଙ୍କୁ କାର୍ରେ ଉଠାଇ ନେଇ ଚାଲିଯାଇଥିଲେ। ଚେତା ଫେରିଲା ବେଳକୁ ସେ ନିଜ ଦେହରେ ପୋଷାକ ନଥିବା ଦେଖିବା ସହିତ ଏକ ଟ୍ରକ୍ କ୍ୟାବିନ୍ରେ ନିଜକୁ ଆବିଷ୍କାର କରିଥିଲେ। ଏହି ଘଟଣା ଦେଖି ସେ ଡାକ ପକାଇବାରୁ ୨୫ ରୁ ୩୦ ବର୍ଷ ବୟସ ମଧ୍ୟରେ ଦୁଇ ଜଣ ଯୁବକ ତାଙ୍କ ନିକଟକୁ ଆସି ସେମାନଙ୍କ କଥା ମାନିବାକୁ କହିଥିଲେ ଏବଂ ସେମାନଙ୍କ କଥା ନ ମାନିଲେ ମାରିଦେବେ ବୋଲି ଧମକ ଦେଇଥିଲେ। ସେମାନଙ୍କ କଥା ଶୁଣି ମମତା ଭୟରେ କିଛି କହିନଥିଲେ। ପରବର୍ତ୍ତୀ ସମୟରେ ଏହି ଦୁଇ ଯୁବକ ତାଙ୍କୁ ବହୁ ବାର ଦୁଷ୍କର୍ମ କରିଥିଲେ। ଏହି ଦୁଇ ଜଣ ଯୁବକ ଟ୍ରକ୍ କ୍ୟାବିନ୍ ଡୋର୍ ବନ୍ଦ କରି ନିକଟସ୍ଥ ହୋଟେଲକୁ ଖାଇବାକୁ ଯାଇଥିଲେ। ତେବେ ଗୋଟିଏ ଡୋର୍ ଲକ୍ ହୋଇ ନଥିବା ଜାଣିପାରି ମମତା ଟ୍ରକ୍ରୁ ଓହ୍ଲାଇ ଖସିଯାଇଥିଲେ।
ବିଲ ମଧ୍ୟରେ ଚାଲିଚାଲି ବୋଲଗଡ଼ ଷ୍ଟେସନ୍ ଦେଇ ପ୍ରାୟ ୫ କିଲୋମିଟର ପରେ ଜଣକ ଘରର କବାଟ ଖୋଲାଥିବା ଦେଖି ସାହାଯ୍ୟ ପାଇଁ ନିବେଦନ କରିଥିଲେ ଏବଂ ତାଙ୍କ ଘରେ ଆଶ୍ରୟ ନେଇଥିଲେ। ଏ ସଂକ୍ରାନ୍ତରେ ମମତା ଫତେଗଡ଼ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ଫାଣ୍ତି ଏବଂ ପରେ ଫତେଗଡ଼ ଥାନାରେ ଅଭିଯୋଗ କରିଥିଲେ। ଫତେଗଡ଼ ଥାନା ଅଧିକାରୀ ଗିରିଜା ନନ୍ଦନ ପଟ୍ଟନାୟକ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଖବର ପାଇ ଜଳେଶ୍ବର ଥାନା ପୁଲିସ, ମମତାଙ୍କ ସ୍ବାମୀ, ତାଙ୍କ ବାପାମାଆ ତଥା ପରିବାର ବର୍ଗ ଫତେଗଡ଼ ଥାନାକୁ ଆସି ମହିଳାଙ୍କୁ ଫେରାଇ ନେଇଛନ୍ତି। ଭାପୁର ସିଏଚ୍ସିରେ ମମତାଙ୍କ ଡାକ୍ତରୀ ମାଇନା କରାଯିବା ସହ ଭାପୁର ଜେଏମ୍ଏଫ୍ସି କୋର୍ଟରେ ୧୬୪ ଧାରାରେ ତାଙ୍କର ବୟାନ ରେକର୍ଡ କରାଯାଇଛି।
The post ବିବାହିତାଙ୍କୁ ୨୧ ଦିନ ଧରି ଦୁଷ୍କର୍ମ first appeared on Sambad.from ଜିଲ୍ଲା | Sambad https://ift.tt/3gg6I3N
0 Comments