ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ହାତୀନଦୀ କୂଳ ଲଂଘୁଥିବା ଯୋଗୁଁ ମୌସୁମୀ ବର୍ଷ‌ା ଆସିଲେ ନଈକୂଳିଆ ଲୋକେ ଆତଙ୍କିତ ହୋଇପଡ଼ିଥାନ୍ତି। ପ୍ରାୟ ୨୫ରୁ ଅଧିକ ଗାଁରେ ନଦୀ କୂଳ ଖାଉଥିବାରୁ ଆଗକୁ ଆଡ଼ିବନ୍ଧ ନିର୍ମାଣ ପାଇଁ ପଦକ୍ଷେପ ନନେଲେ ସେଗୁଡ଼ିକ ସ୍ଥିତି ହରାଇବା ଆଶଙ୍କା ରହିଛି। ଏଥିପାଇଁ ଓଏଚ୍‌ପିସିର ପାରିପାର୍ଶ୍ବିକ ଅନୁଦାନ ମିଳୁନଥିବା ଯୋଗୁଁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ବର୍ଷା ଆସିଲେ ଇନ୍ଦ୍ରାବତୀ ପ୍ରକଳ୍ପର ନିଷ୍କାସିତ ଜଳ ଓ ନାଳଗୁଡ଼ିକର ବର୍ଷାଜଳ ‌ଯୋଗୁଁ ନଦୀ କୂଳ ଲଂଘିଥାଏ। ସଂପୃକ୍ତ ଗାଁଗୁଡ଼ିକରେ ଭାଳେଣି ପଡ଼ିଯାଏ। ତଥାପି ଉଭୟ ରାଜନେତା ଓ ପ୍ରଶାସନ ଚୁପ୍‌ ରହୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପ୍ରକାଶ‌ ଯେ, ଇନ୍ଦ୍ରାବତୀ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ୧୯୯୪ ମସିହାରୁ ନିଷ୍କାସିତ ଜଳ ହାତୀ ନଦୀରେ ଛଡ଼ାଯାଉଛି। ନଦୀରେ ବର୍ଷସାରା ଅତ୍ୟଧିକ ପାଣି ବହିଥାଏ। ବର୍ଷା ଦିନେ ଅତ୍ୟଧିକ ଜଳ ପ୍ରବାହ ଯୋଗୁଁ କୂଳ ଖାଇବାରେ ଲାଗିଛି। ପ୍ରତିବର୍ଷ କୂଳ ଖାଇବା ଯୋଗୁଁ ନଦୀ ତଟବାସୀ ଭୟଭୀତ ହୋଇପଡ଼ିଛନ୍ତି। କଲମପୁର ବ୍ଲକ୍‌ର ଖଣ୍ଡିଡଙ୍ଗରିଗୁଡ଼ା, ବିରିପୁର, ମାଟିଖାଲ, ବାଲିଛଡ଼ା, କର୍ଲାପଡ଼ା, କର୍ମେଲି, ପରୁଆଗୁଡ଼ା, ଚୁରାଗାଁ, ଟେମରା, ବଙ୍କାପଲା, ଜୁନାଗଡ଼ ବ୍ଲକ୍‌ର ଦାସୀଗାଁ, ଚିଲିଗୁଡ଼ା, ‌କୋଲିଗାଁ, କୋଟେନ, ବଣିଜରା, ମାଟିଗାଁ, ବରଗାଁ, ପଲାସ, ବଲଧିଆମାଲ, ବାଗଡଙ୍ଗରି, ସାହାଜକନା, ମିଚାଗାଁ, ମସିଗାଁ, ଭଇଁରିଗୁଡ଼ା, ମୁର୍ଲାପଦର, ଚିଙ୍ଗୁଡ଼ିସର ଓ ପାଣିଗାଁ ଆଦି ୨୫ରୁ ଅଧିକ ଗାଁର କୂଳ ଖାଇ ପ୍ରତିବର୍ଷ ମାଟି ଧୋ‌ଇ ନେଉଥିବା ଯୋଗୁଁ କ୍ଷତିଗ୍ରସ୍ତ ‌ହେବାରେ ଲାଗିଛି। କଲମପୁର ବ୍ଲକ୍‌ ବାଲିଛଡ଼ା ଗ୍ରାମ କୂଳ ଖାଇଯିବା‌ ଯୋଗୁଁ ତାହା ଅସ୍ତିତ୍ବ ହରାଇବାରେ ଲାଗିଛି। ବର୍ଷା ଦିନେ ବନ୍ୟା ସମୟରେ ଏହି ଗାଁଗୁଡ଼ିକରେ ଲୋକେ ଭୟଭୀତ ହୋଇ ରହିଥାନ୍ତି। ଏହି ଗାଁର ଚାଷ ଜମିଗୁଡ଼ିକରେ ବନ୍ୟାଜଳ ମାଡ଼ୁଥିବାରୁ ଚାଷଜମି ହ୍ରାସ ପାଇବାରେ ଲାଗିଛି।

Twitter

ଇନ୍ଦ୍ରାବତୀ ପ୍ରକଳ୍ପର ଶକ୍ତି ଉତ୍ପାଦନ ପରେ ନିଷ୍କାସିତ ଜଳ ପ୍ରତିଦିନ ହାତୀନଦୀରେ ଛଡ଼ାଯାଉଥିବା ଯୋଗୁଁ ଗ‌ାଁଗୁଡ଼ିକର କୂଳ ବିପଦସଂକୁଳ ଅବସ୍ଥାରେ ରହିଛି। ଓଏଚ୍‌ପିସି ପକ୍ଷରୁ କୋଟି କୋଟି ଟଙ୍କା ବିଜୁଳି ଉତ୍ପାଦନ କରି ରାଜସ୍ବ ସଂଗ୍ରହ କରୁଥିବା ବେଳେ ପାରିପାର୍ଶ୍ବିକ ଉନ୍ନତି ଅନୁଦାନ ହାତୀନଦୀ କୂଳରେ ଆଡ଼ିବନ୍ଧ ନିର୍ମାଣ ପାଇଁ ଖର୍ଚ୍ଚ କରାଯାଉନାହିଁ। ବିଭିନ୍ନ ସମୟରେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲିଛଡ଼ା ସମେତ କାଁଭାଁ ସ୍ଥାନରେ ସ୍ପର୍ ନିର୍ମାଣ କରି ନିଜ ଦାୟିତ୍ବ ସାରି ଦେଉଛନ୍ତି। ବନ୍ୟା‌ ଆସିଲେ ରାଜନେତାଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ହାତୀନଦୀ କୂଳିଆ ଗାଁ କଥା ମନପ‌ଡ଼େ। କିନ୍ତୁ ବନ୍ୟା ପରେ ଆଡ଼ିବନ୍ଧ ଦାବି ସରକାରୀ ଫାଇଲ ଭିତରେ ହଜିଯାଏ। ହାତୀ ନଦୀର ପ୍ରାୟ ୫୫ କିମି ନଦୀକୂଳ ଅସୁରକ୍ଷିତ ଥିବା ଯୋଗୁଁ ସରକାର ଆଡ଼ିବନ୍ଧ ନିର୍ମାଣ ଓ ବ୍ୟାପକ ବୃକ୍ଷରୋପଣ ପାଇଁ ଠୋସ୍‌ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।

ହାତୀନଦୀ ଜୁନାଗଡ଼ ବ୍ଲକ୍‌ର ପାଣିଗାଁ ନିକଟରେ ତେଲନଦୀ ସହିତ ସଂଯୋଗ ହୋଇଛି। ତେଲ ନଦୀ ସମୁଦ୍ର ପତ୍ତନରୁ ୨୧୫ ମିଟର ଉଚ୍ଚତାରେ ଥିବା ବେଳେ ହାତୀନଦୀ ୨୧୩ ମିଟର ଉଚ୍ଚତାରେ ପାଣିଗାଁ ମୁହାଣରେ ଅବସ୍ଥିତ। ତେଲନଦୀ ଉପରେ ଥିବା ଯୋଗୁଁ ବନ୍ୟା ବେଳେ ହାତୀନଦୀ ଜଳ ଶୀଘ୍ର ନିଷ୍କାସନ ହେବାରେ ବାଧା ଉପୁଜିଥାଏ। ଏହି ମୁହାଣ ନିକଟରେ ବ୍ୟା‌ପକ ବାଲି ଜମି ଯିବା ଯୋଗୁଁ ମନ୍ଥର ଗତିରେ ବନ୍ୟାଜଳ ନିଷ୍କାସିତ ହୋଇଥାଏ। ଏହି ମୁହାଣରେ ବାଲି ଉଠାଣ ପାଇଁ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ। ସେହିଭଳି ଇନ୍ଦ୍ରାବତୀ ପ୍ରକଳ୍ପରେ ୪ଟି ଟର୍ବାଇନ ଦ୍ବାରା ବିଜୁଳି ଉତ୍ପାଦନ କରାଯାଉଥିବା ବେଳେ ମଙ୍ଗଲପୁର ଡ୍ୟାମର କ୍ୟାଚମେଣ୍ଟ ଅଞ୍ଚଳ କମ୍‌ ଥିବା ଯୋଗୁଁ ଅଧିକ ଜଳ ଅଟକ ରଖାଯାଇ ପାରେ ନାହିଁ। ଫଳରେ ହାତୀନଦୀରେ ଅଧିକ ପାଣି ଛଡ଼ାଯାଇଥାଏ। ଏହି ହାତୀନଦୀ ଉପକୂଳ ଅଞ୍ଚଳ ପାଇଁ ଏକ ଦୀର୍ଘ ମିଆଦୀ ବନ୍ୟା ନିୟନ୍ତ୍ରଣ, ଆଡ଼ିବନ୍ଧ ନିର୍ମାଣ ଓ ବ୍ୟାପକ ବୃକ୍ଷରୋପଣ କରାନଗଲେ କଳାହାଣ୍ଡି ଜିଲ୍ଲାର ୨୫ରୁ ଅଧିକ ଗାଁ ମାନଚିତ୍ରରୁ ସେମାନଙ୍କ ଅସ୍ତିତ୍ବ ହରାଇବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ।

The post କୂଳ ଲଂଘୁଛି ହାତୀନଦୀ, ମାନଚିତ୍ରରୁ ହଜିଯିବ ୨୫ରୁ ଅଧିକ ଗାଁ first appeared on Sambad.

from ଜିଲ୍ଲା | Sambad https://ift.tt/3efwYJ1