
କଟକ: ସରଧାଣତଃ ଚାଷ କଥା ଉଠିଲେ ଆମେ ପୁରୁଷମାନଙ୍କ ସଫଳତାକୁ ଦେଖିଥାଉ। କିନ୍ତୁ ଏବେ କୃଷିକ୍ଷେତ୍ର ଯେ ମହିଳାଙ୍କୁ ସ୍ବାବଲମ୍ବୀ କଲାଣି ଓ ନିଜେ ପାୱାରଟିଲର ଚଳାଇ ହଳ କରି ମହିଳା ୧୦ ଏକର ଚାଷ ଜମିରେ ଜୈବିକ ପଦ୍ଧତିରେ ସୁନାର ଫସଲ ଫଲାଇ ପାରିଛନ୍ତି, ତାହା ଅନେକଙ୍କୁ ଚକିତ କରିବା ସହିତ ଏକ ବିରଳ ଉଦାହରଣ ସୃଷ୍ଟି କରିଛି। କଟକ ଜିଲ୍ଲା କଣ୍ଟାପଡା ବ୍ଲକ୍ ନାହାଳପୁର ପଂଚାୟତର ଗେଲପୁର ଗାଁର ମା ଅନ୍ନପୂର୍ଣ୍ଣା ଭେଜିଟେବୁଲ ପ୍ରଡ୍ୟୁସର ଗ୍ରୁପ୍ର ଅଛନ୍ତି ୨୫ଜଣ ସଦସ୍ୟା। ୫/୬ମାସ ଭିତରେ ବିଭିନ୍ନ ଋତୁକାଳୀନ ପନିପରିବା ଚାଷ କରି ସେମାନେ ୫ଲକ୍ଷରୁ ଅଧିକ ଟଙ୍କାର ପରିବା ବଜାରରେ ବିକ୍ରି କରି ସ୍ବାବଲବମ୍ବୀ ହୋଇପାରିବା ସହ ସୃଷ୍ଟି କରିଛନ୍ତି ନିଜର ସ୍ବତନ୍ତ୍ର ପଚିରୟ। ସୂଚନା ଅନୁସାରେ, ସେମାନେ ପୂର୍ବରୁ ଘର ବାଡିରେ ଚାଷ କରୁଥିଲେ ପନିପରିବା। ହେଲେ ସେମାନଙ୍କୁ ବଜାର ବ୍ୟବସ୍ଥା ଠିକ୍ଭାବରେ ମିଳୁନଥିଲା କି ଉତ୍ପାଦନ ମଧ୍ୟ ସେଭଳି ଆଖିଦୃଶିଆ ହେଉ ନଥିଲା । ଫଳରେ ଜୈବିକ କୃଷି ପଦ୍ଧତିରେ ଚାଷ କରିବା ପାଇଁ ୨୫ଜଣ ସଦସ୍ୟ ଏକାଠି ହୋଇ ଆରମ୍ଭ କରିଥିଲେ ପନିପରିବା ଚାଷ। ପ୍ରଥମେ ୪ ଏକରରୁ ଆରମ୍ଭ କରିଥିବା ଚାଷ ଏବେ ୧୦ ଏକରକୁ ଛୁଇଁଲାଣି।
ମହିଳାମାନେ ନିଜ ନିଜ ବାଡି ପଛପଟେ ଥିବା ଚାଷ ଜମିରେ ହିଁ ଏହି ଚାଷ କରୁଥିବା ବେଳେ ସେମାନଙ୍କର ଏଭଳି ଚାଷ ପଦ୍ଧତି ଦେଖି ସେମାନଙ୍କୁ ସହଯୋଗର ହାତ ବଢାଇଥିଲେ ରୋଜାଲିନ୍ ସାହୁ। ତାଙ୍କ ନେତୃତ୍ବରେ ଉଦ୍ୟୋଗମିତ୍ର ମନମୋହିନୀ ସାହୁଙ୍କ ନେତୃତ୍ବରେ ୨୫ଜଣ ମହିଳା ଏକାଠି ହୋଇ ଆରମ୍ଭ କରିଥିଲେ ଏଭଳି ଜୈବିକ ପଦ୍ଧତିରେ ଚାଷ ଯୋଜନା।
ସେଥିପାଇଁ ପ୍ରଥମେ ନିଜେ ଜମି ହଳ କରିବାଠାରୁ ଆରମ୍ଭ କରି ଅନ୍ୟ ସବୁ କାମ କରୁଥିଲେ। ଗଲା ଫେବ୍ରୁଆରି ମାସରେ ୧ ଲକ୍ଷ ୬୮ ହଜାର ଟଙ୍କାରେ ପାୱାର ଟିଲର, ହୁଡା ଦେବା ମେସିନ୍, ପାଣି ସ୍ପ୍ରେ ମେସିନ୍ଠାରୁ ଆରମ୍ଭ କରି ଅନେକ କୃଷି ଯନ୍ତ୍ରପାତି କ୍ରୟ କରି ନିଜେ ତାଲିମ୍ ନେଇ ତାକୁ ବ୍ୟବହାର କରିଥିଲେ।
ଋତୁକାଳୀନ ପନିପରିବା କୋବି, ଭେଣ୍ଡି, ଝୁଡୁଙ୍ଗ, ବାଇଗଣ, ପୋଟଳ, ଜହ୍ନି, ପୋଇ, ସାରୁ ସମେତ ଅନେକ ପନିପରିବା ଚାଷ କରି ୫/୬ମାସ ଭିତରେ ୫ଲକ୍ଷ ଟଙ୍କା ରୋଗଗାର କରି ପାରିଛନ୍ତି ଏହି ମହିଳା ଗୋଷ୍ଠୀ। ଓରମାସ୍ ପକ୍ଷରୁ ସେମାନଙ୍କୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଆଗକୁ ସେମାନେ ନିଜର ଚାଷ କ୍ଷେତ୍ରକୁ ଅଧିକ ବ୍ୟାପକ କରିବେ। ଅଧିକରୁ ଅଧିକ ପନିପରିବା ଚାଷ କରି ଏହି ଗୋଷ୍ଠୀରେ ଅଧିକ ମହିଳାଙ୍କୁ ସାମିଲ କରି ଅଧିକ ରୋଜଗାର ସୃଷ୍ଟି କରିବେ ବୋଲି ଫେସିଲିଟେଟର ରୋଜାଲିନ୍ ସାହୁ ସୂଚନା ଦେଇଛନ୍ତି।
The post ଜୈବିକ ଚାଷ କରିଛି ମହିଳାଙ୍କୁ ସ୍ବାବଲମ୍ବୀ first appeared on Sambad.from ଜିଲ୍ଲା | Sambad https://ift.tt/3xPgRdY
0 Comments